35.1 C
Bhubaneswar
Monday, June 17, 2024
Homeଦେଶ ବିଦେଶନିର୍ବାଚନୀ ପ୍ରଚାର ଶେଷ, ୨୫କୁ ଅପେକ୍ଷା; ୫୮ ଆସନ, ମୈଦାନରେ ୮୮୯ ପ୍ରାର୍ଥୀ

ନିର୍ବାଚନୀ ପ୍ରଚାର ଶେଷ, ୨୫କୁ ଅପେକ୍ଷା; ୫୮ ଆସନ, ମୈଦାନରେ ୮୮୯ ପ୍ରାର୍ଥୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପର୍ବ ଶେଷ ଚରଣରେ ଉପନୀତ ହୋଇଛି । ୧୯ ଏପ୍ରିଲରୁ ଆରମ୍ଭ ହୋଇଥିବା ବିଶ୍ୱର ଏହି ବୃହତ୍ ନିର୍ବାଚନ ରୂପୀ ମହାକୁମ୍ଭରେ ବର୍ତ୍ତମାନ ସୁଦ୍ଧା ୫ମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଶେଷ ହୋଇସାରିଥିବା ବେଳେ ଆସନ୍ତା ୨୫ ତାରିଖରେ ୬ଷ୍ଠ ପର୍ଯ୍ୟାୟ ଭୋଟ୍‌ଗ୍ରହଣ କରାଯିବ । ତେବେ ଆଜି ନିର୍ବାଚନୀ ପ୍ରଚାରର ଅନ୍ତିମ ଦିବସ ଥିବା ବେଳେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଜି ପଞ୍ଜାବ ଏବଂ ହରିଆଣାରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ନିର୍ବାଚନୀ ପ୍ରଚାର ରାଲିକୁ ସମ୍ବୋଧିତ କରି ବିରୋଧୀ ଏବଂ ବିରୋଧୀ ମଞ୍ଚ ଇଣ୍ଡିଆ ମେଣ୍ଟକୁୂ ଟାର୍ଗେଟ୍ କରିବା ଦେଖିବାକୁ ମିଳିଛି । ସେହିପରି ବିରୋଧୀଙ୍କ ପକ୍ଷରୁ ମଧ୍ୟ ଜବରଦସ୍ତ ପ୍ରଚାର ଦେଖିବାକୁ ମିଳିଛି ।
୬ଷ୍ଠ ପର୍ଯ୍ୟାୟ ଭୋଟ୍ ଅନ୍ତର୍ଗତ ୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୫୮ଟି ଲୋକସଭା ଆସନ ପାଇଁ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ତେବେ ୬ଷ୍ଠ ପର୍ଯ୍ୟାୟରେ ସାମିଲ ଥିବା ଏହି ୫୮ଟି ଲୋକସଭା ଆସନ ମଧ୍ୟରେ ଦିଲ୍ଲୀର ସମସ୍ତ ୭ଟି ଆସନ ସାମିଲ ରହିଛି । ଦିଲ୍ଲୀକୁ ବାଦ୍ ଦେଲେ ଉତ୍ତରପ୍ରଦେଶର ୧୪ ଆସନ, ହରିଆଣାର ସମସ୍ତ ୧୦ଟି ଆସନ, ବିହାର ଓ ପଶ୍ଚିମବଙ୍ଗର ୮ଟି ଲେଖାଏ ଆସନ, ଓଡ଼ିଶାର ୬ଟି ଆସନ, ଝାଡଖଣ୍ଡର ୪ଟି ଆସନ ଏବଂ ଜମ୍ମୁ କାଶ୍ମୀରର ୧ଟି ଆସନ ସାମିଲ ରହିଛି । ପ୍ରକାଶ, ୬ଷ୍ଠ ପର୍ଯ୍ୟାୟ ଅନ୍ତର୍ଗତ ମୋଟ୍ ୮୮୯ ଜଣ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ତେବେ ଏମାନଙ୍କ ମଧ୍ୟରେ ସାମିଲ ଥିବା କିଛି ହେଭିୱେଟ୍ ନେତାମାନଙ୍କ ମଧ୍ୟରେ ଓଡ଼ିଶାର ସମ୍ବଲପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପିର ଧର୍ମେନ୍ଦ୍ର ପ୍ରଧାନ, ଉତ୍ତର ପୂର୍ବ ଦିଲ୍ଲୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପିର ମନୋଜ ତିୱାରୀ ଓ କଂଗ୍ରେସର କହ୍ନେୟା କୁମାର, ଉତ୍ତରପ୍ରଦେଶର ସୁଲତାନ୍‌ପୁର ଆସନରୁ ବିଜେପିର ମାନେକା ଗାନ୍ଧୀ, ଜମ୍ମୁ କାଶ୍ମୀରର ଅନନ୍ତନାଗ-ରାଜୌରୀ ଆସନରୁ ପିଡିପି ସୁପ୍ରିମୋ ମେହବୁବା ମୁଫ୍‌ତୀ, ପଶ୍ଚିମବଙ୍ଗର ତାମଲୁକ୍ ଆସନରୁ ବିଜେପିର ଅଭିଜିତ୍ ଗଙ୍ଗୋପାଧ୍ୟାୟ, କର୍ଣ୍ଣାଟର କର୍ଣ୍ଣଲ ଆସନରୁ ବିଜେପିର ମନୋହର ଲାଲ୍ ଖଟ୍ଟର, କୁରୁକ୍ଷେତ୍ର ଆସନରୁ ବିଜେପିର ନବୀନ ଜିନ୍ଦଲ ଏବଂ ଗୁଡଗାଓଁ ଆସନରୁ ବିଜେପିର ରାଓ ଇନ୍ଦ୍ରଜିତ୍ ସିଂହ ପ୍ରମୁଖ ସାମିଲ ଅଛନ୍ତି ।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୫ଟି ପର୍ଯ୍ୟାୟ ଭୋଟିଂ ପ୍ରକ୍ରିୟା ଅନୁଷ୍ଠିତ ହୋଇସାରିଥିବା ବେଳେ ଏଥିମଧ୍ୟରେ ୨୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୪୨୮ ସଂସଦୀୟ ଆସନ ପାଇଁ ଭୋଟିଂ ପ୍ରକ୍ରିୟା ସମାପ୍ତ ହୋଇସାରିଛି । ସଂସଦର ମୋଟ୍ ୫୪୫ ଆସନ ମଧ୍ୟରୁ ବାକି ଆସନଗୁଡ଼ିକରେ ମଧ୍ୟ ୬ଷ୍ଠ ଏବଂ ୭ମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଅନ୍ତର୍ଗତ ଭୋଟ୍‌ଗ୍ରହଣ କରାଯିବ । ଦେଶରେ ଅନ୍ତିମ ମତଦାନ ପ୍ରକ୍ରିୟା ଅର୍ଥାତ୍ ୭ମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜୁନ୍ ୧ରେ ଅନୁଷ୍ଠିତ ହେବ ଏବଂ ଜୁନ୍ ୪ ତାରିଖରେ ଫଳାଫଳ ଘୋଷଣା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking