କଟକ: କଟକ ପରିବାର ଅଦାଲତରେ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବିଚାର ଚାଲିଥିବା ଛାଡପତ୍ର, ପୁନଃମିଳନ ଓ ଅବସ୍ଥାପନ ଆବେଦନ ମାମଲା ଭିନ୍ନ ମୋଡ଼ ନେଇଛି । ପରିବାର ଅଦାଲତରେ ଆଜି ଉଭୟଙ୍କ ଆବେଦନର ଶୁଣାଣି ହୋଇଥିଲା । ଅଦାଲତ ଅନୁଭବଙ୍କ ଛାଡପତ୍ର ଆବେଦନକୁ ଖାରଜ କରିଛନ୍ତି । ସେହିପରି ବର୍ଷା ଅନୁଭବଙ୍କ ନିକଟରେ ପୁନଃରହିବା ପାଇଁ କରିଥିବା ଆବେଦନକୁ ମଧ୍ୟ ପରିବାର ଅଦାଲତ ଖାରଜ କରି ଦେଇଛନ୍ତି । ଉଭୟଙ୍କ ଆବେଦନ ପ୍ରସଙ୍ଗରେ କୋର୍ଟରେ ଏକାଧିକ ମାମଲା, ଜବାବ ଓ ପ୍ରତିଜବାବ ରହୁଥିବାରୁ ଅଦାଲତ ଉଭୟଙ୍କ ଆବେଦନକୁ ଖାରଜ କରିଛନ୍ତି । ସେହିପରି ବର୍ଷାଙ୍କ ପ୍ରସଙ୍ଗରେ କୋର୍ଟ ଦର୍ଶାଇଛନ୍ତି ଯେ ବର୍ଷା ତାଙ୍କ ସ୍ୱାମୀଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରିଥିବାବେଳେ ସେ ପୁଣି ତାଙ୍କ ସହ ଏକତ୍ର ରହିବାକୁ ଚାହୁଁଛନ୍ତି । ଏପରିସ୍ଥିତିରେ କୋର୍ଟ ଉଭୟଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି । ଫଳରେ କେହି କାହା ପାଖରେ ରହିପାରିବେ ନାହିଁ ।
ସୂଚନାଥାଉକି ଅନୁଭବଙ୍କ ପକ୍ଷରୁ ବର୍ଷାଙ୍କୁ ଛାଡ଼ପତ୍ର ଦେବାକୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ରୁଜୁ କରାଯାଇଥିଲା । ତେବେ ବର୍ଷାଙ୍କ ଆବେଦନ ଆଧାରରେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଛାଡ଼ପତ୍ର ମାମଲା ପଟିଆଲା କୋର୍ଟରୁ କଟକର ପାରିବାରିକ ଅଦାଲତକୁ ସ୍ଥାନାନ୍ତର ହୋଇଥିଲା । ଅନୁଭବଙ୍କ ପକ୍ଷରୁ ତାଙ୍କ ପତ୍ନୀ ବର୍ଷାକୁ ସେ ଛାଡ଼ପତ୍ର ଦେବାକୁ ପ୍ରାର୍ଥନା କରି ଦର୍ଶାଇଥିଲେ ଯେ ପାରିବାରିକ ଜୀବନରେ ବର୍ଷା କେବେ ହେଲେ ତାଙ୍କୁ ସହଯୋଗ କରୁନଥିଲେ । ଦୀର୍ଘଦିନର ତିକ୍ତତା ପରେ ସେ ବର୍ଷାଙ୍କ ସହ ସମ୍ପର୍କ ତୁଟାଇବାକୁ ସିଦ୍ଧାନ୍ତ ନେଇ ଛାଡ଼ପତ୍ର ନିମନ୍ତେ ଆବେଦନ କରିଛନ୍ତି । ଦୁହିଙ୍କ ଭିତରେ ମତ ପାର୍ଥକ୍ୟ କାରଣରୁ ଦୁହେଁ ଦୀର୍ଘଦିନ ହେବ ଅଲଗା ଅଲଗା ରହୁଥିବା ଦର୍ଶାଇଥିଲେ । ୪୭ ପୃଷ୍ଠା ସମ୍ବଳିତ ଏହି ପିଟିସନ୍ରେ ଅନୁଭବ ଦର୍ଶାଇଥିଲେ ଯେ ୨୦୧୪ରେ ଉଭୟଙ୍କ ବିବାହ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ବର୍ଷା ଶାରୀରିକ ସମ୍ପର୍କ ରଖିବାକୁ ଅନିଛା ପ୍ରକାଶ କରୁଥିଲେ ।
ଫଳରେ ମ୍ୟାରେଜ୍ କନ୍ଜ୍ୟୁମରେସନ୍ ହୋଇ ପାରିନାହିଁ । ବର୍ଷା ଅନୁଭବଙ୍କୁ ତାଙ୍କ ବୈବାହିକ ଜୀବନରେ କେବେ ବି ଖୁସି ଦେଇନାହାନ୍ତି, ବରଂ ସେ ସର୍ବଦା ତାଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ । ସେହିପରି ବର୍ଷା, ଅନୁଭବ ତଥା ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଧମକ ଦେଇ ମାନସିକ ନିର୍ଯାତନା ଦେଉଥିଲେ ବୋଲି ତାଙ୍କ ଆବେଦନରେ ସେ ଦର୍ଶାଇଥିଲେ । ଅନ୍ୟପକ୍ଷରେ ବର୍ଷା ମଧ୍ୟ ଅନୁରୂପ ଭାବେ ଅନୁଭବଙ୍କ ବିରୋଧରେ କଟକର ଏସ୍ଡିଜେଏମ୍ ଅଦାଲତରେ ଏକ ମାମଲା ରୁଜୁ କରଥିଲେ । ଏଥିରେ ସେ ପାରିବାରିକ ହିଂସାର ଶିକାର ହେଉଛନ୍ତି ବୋଲି ଦର୍ଶାଇଥିଲେ । ମହିଳା ହିଂସା ସୁରକ୍ଷା ଆଇନ-୨୦୦୫ ଅନୁସାରେ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ପ୍ରାର୍ଥନା କରିଥିଲେ । ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ଅନୁଭବ ମଦ ପିଇ ତାଙ୍କୁ ମାଡପିଟ କରି ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦେଇ ଆସୁଛନ୍ତି ।
ଏପରିସ୍ଥିତିରେ ସେ କ୍ଷତିପୂରଣ ବାବଦକୁ ଅନୁଭବଙ୍କ ନିକଟରୁ ୧୫ କୋଟି, ମାସିକ ୨୦ ହଜାର ଟଙ୍କା ଘରଭଡ଼ା ଓ ତାଙ୍କର ଚଳିବାକୁ ମାସିକ ୫୦ହଜାର ଦାବି କରିଛନ୍ତି । ଅନ୍ୟପକ୍ଷରେ ସେ କଟକର ପାରିବାରିକ ଅଦାଲତରେ ଅନୁଭବଙ୍କ ନିକଟରେ ରହିବାକୁ ଚାହୁଁଥିବା ଦର୍ଶାଇ ସେମାନଙ୍କ ବିବାହର ପୁନଃପ୍ରତିଷ୍ଠା ନିମନ୍ତେ ଆବେଦନ କରିଥିଲେ । କଟକର ପରିବାର ଅଦାଲତରେ ଗତ ଏକବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ମାମଲାର ଶୁଣାଣି ଚାଲିଥିଲା । ଏହି ମାମଲାର ରାୟ ପ୍ରକାଶ ପାଇଛି । ତେବେ ପରିବାର ଅଦାଲତ ରାୟ ବିରୋଧରେ ଆବଶ୍ୟକ ପଡ଼ିଲେ ସେ ହାଇକୋର୍ଟକୁ ଯିବେ ବୋଲି ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର ଦର୍ଶାଇଛନ୍ତି ।