ମୟୂରଭଞ୍ଜ : ସନ୍ଧ୍ୟା ସମୟରେ ବୃଦ୍ଧଙ୍କୁ ଦଳିଦେଲା ହାତୀ। ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ । ମୃତକ ଶ୍ରୀକାନ୍ତ ବେହେରା (୭୦) ବର୍ଷ। ତେବେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଧିନରେ ଦୀର୍ଘଦିନ ହେବ ଡେରା ପକାଇ ହାତୀପଲ ତାଣ୍ଡବଲୀଳା କରୁଥିବା ବେଳେ ବନବିଭାଗ ହାତୀପଲକୁ ଘଉଡାଇବାରେ ବିଫଳ ହୋଇଛି । ରବିବାର ସନ୍ଧ୍ୟା ସମୟରେ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ସାରୁମୁଳା ଜଙ୍ଗଲ ରାସ୍ତାଦେଇ ଫୁଟବଲଖେଳ ଦେଖି ଫେରୁଥିବା ବେଳେ ହାତୀ ଆକ୍ରମଣରେ ସାରୁମୁଳା ଗ୍ରାମର ଶ୍ରୀକାନ୍ତ ବେହେରାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ହାତୀ ବୃଦ୍ଧଙ୍କୁ ପାଦରେ ଦଳି ଦେଇଥିବାରୁ ମୃତଦେହ ମାଟିରେ ଅଧା ପୋତିହୋଇ ଯାଇଥିବା ଦେଖିବାକୁ ମିଳିଛି । ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସାହାଯ୍ୟରେ ମୃତଦେହ ଉଦ୍ଧାର କରିଛି । ତେବେ ହାତୀ ଆକ୍ରମଣରେ ବୃଦ୍ଧ ଶ୍ରୀକାନ୍ତଙ୍କ ମୃତ୍ୟୁ ହୋଇଥିବା ରାସଗୋବିନ୍ଦପୁର ରେଞ୍ଜରଙ୍କ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି। ଅନ୍ୟପଟେ ମୃତକ ଶ୍ରୀକାନ୍ତଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ବନବିଭାଗ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ।