26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶନିର୍ବାଚନୀ ସମୟ: ଚିନ୍ତାରେ କେନ୍ଦ୍ର ଅର୍ଥମନ୍ତ୍ରୀ: ଟେନ୍‌ସନ୍‌ରେ ପ୍ରଧାନମନ୍ତ୍ରୀ

ନିର୍ବାଚନୀ ସମୟ: ଚିନ୍ତାରେ କେନ୍ଦ୍ର ଅର୍ଥମନ୍ତ୍ରୀ: ଟେନ୍‌ସନ୍‌ରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରିପୋର୍ଟ ଅନୁସାରେ କଂଗ୍ରେସ ପକ୍ଷରୁ ଗତ ୭ତାରିଖ ଅପରାହ୍ନ ୩.୪୫ ମିନିଟ୍ ସମୟରେ ସୋସିଆଲ ମିଡିଆ ଏକ୍ସ’ରେ ଏକ ପୋଷ୍ଟ କରାଯାଇଛି । ଏଥିରେ ୧.୪୯ ମିନିଟ୍ ଅବଧିର ଏକ ୟୁଟ୍ୟୁବ୍ ଭିଡିଓକୁ ମଧ୍ୟ କଂଗ୍ରେସ ସଂଲଗ୍ନ କରିଛି । ତେବେ ଭିଡିଓଟିରେ ଦେଶର ସୁନାମଧନ୍ୟ ତଥା ଜଣାଶୁଣା ଅର୍ଥନୀତିଜ୍ଞ ପରକଲା ପ୍ରଭାକର ୨୦୨୪ ଲୋକସଭା ନିର୍ବାଚନ ରେଜଲ୍ଟ ପ୍ରକାଶ ପାଇବା ପରେ ଦେଶର ସ୍ଥିତି କ’ଣ ହେବ ସେନେଇ କିଛି ବିବୃତ୍ତି ଦେଉଥିବାର ଦେଖିବାକୁ ମିଳିଛି ।

ସିଧାସଳଖ କହିଲେ ୨୦୨୪ ଲୋକସଭା ନିର୍ବାଚନରେ ଯଦି ବିଜେପି ବିଜୟୀ ହୁଏ ତେବେ ଦେଶରେ କ’ଣ ସବୁ ପରିବର୍ତ୍ତନ ଦେଖିବାକୁ ମିଳିବ ସେନେଇ ସେ କହୁଥିବାର ଦେଖାଯାଇଛି । ପ୍ରକାଶ, ଭିଡିଓଟିରେ ଅର୍ଥଶାସ୍ତ୍ରୀ ପରକଲା ପ୍ରଭାକରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ‘ଯଦି ତୃତୀୟ ଥର ଲାଗି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ କେନ୍ଦ୍ରରେ ସରକାର ଗଠନ କରେ ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁନର୍ବାର ଦେଶର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ କ’ଣ ହେବ? ଏହି ପ୍ରଶ୍ନର ଉତ୍ତରରେ ଅର୍ଥଶାସ୍ତ୍ରୀ ପ୍ରଭାକର କହିଛନ୍ତି ଯେ, ଯଦି ଏମିତି ହୁଏ ତେବେ ଦେଶରେ ଆଉ କେବେ ଯେ ନିର୍ବାଚନ ହେବ, ସେସବୁ ଚିନ୍ତା କରିବା ମଧ୍ୟ ଭୁଲିଯିବାକୁ ହେବ । ୨୦୨୪ରେ ଯଦି ବିଜେପି ସରକାର ଗଠନ କରେ ତେବେ ୨୦୨୯ କିମ୍ବା ପରବର୍ତ୍ତୀ ସମୟରେ ଦେଶରେ ଆଉ ନିର୍ବାଚନ ବ୍ୟବସ୍ଥା ହିଁ ରହିବନି । କେବଳ ସେତିକି ନୁହେଁ ବର୍ତ୍ତମାନ ସମୟରେ ଦେଶରେ ସମ୍ବିଧାନ, ଗଣତନ୍ତ୍ର ବା ମାନଚିତ୍ର ଆଦି ଯାହା କିଛି ସ୍ଥିରାବସ୍ଥାରେ ରହିଛି ସେସବୁରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ । ଦେଶବାସୀଙ୍କ ପକ୍ଷେ ଏହାକୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇପଡିବ ।

ପରିବର୍ତ୍ତନ କେଉଁସ୍ତରର ହେବ ତାହା କଳ୍ପନା ମଧ୍ୟ କରିବା ସାଧାରଣ ନାଗରିକଙ୍କ ପକ୍ଷେ କଷ୍ଟକର । ବର୍ତ୍ତମାନ ସମୟରେ ସଂସଦ ଭବନରେ ଶୁଣୁଥିବା ଅପର।।ଧିକ ବୟାନବାଜି ସବୁକିଛି ଲାଲକିଲ୍ଲାରୁ ଶୁଣିବାକୁ ମିଳିବ । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଲାଲକିଲ୍ଲାରୁ ଏପ୍ରକାର ହେଟ୍ ସ୍ପିଚ୍ ଦେବେ । ଏହା ଭାରତ ଭଳି ଦେଶପାଇଁ ସବୁଠୁ ବଡ଼ ବିପଦ ସାବ୍ୟସ୍ତ ହେବ । ଅର୍ଥନୀତିଜ୍ଞ ପ୍ରଭାକର ଏହି ପରିପ୍ରେକ୍ଷୀରେ ମଣିପୁର ପ୍ରସଙ୍ଗ ମଧ୍ୟ ଉଠାଇବା ସହ ଚେତାବନୀ ମଧ୍ୟ ଦେଇଛନ୍ତି । ପ୍ରଭାକର କହିଛନ୍ତି, ବର୍ତ୍ତମାନ ସମୟରେ ଆମେ ସମସ୍ତେ ଅନୁଭବ କରୁଛେ ଯେ ମଣିପୁରରେ ହିଂସାକାଣ୍ଡ ଘଟୁଛି । ଏସମ୍ପର୍କରେ ନିୟମିତ ଭାବେ ଆମେ ସମସ୍ତେ କିଛି ନା କିଛି ଶୁଣୁଛେ, ଦେଖୁଛେ ବା ଜାଣୁଛେ । କିନ୍ତୁ ୨୦୨୪ରେ ଯଦି ବିଜେପି ପୁନର୍ବାର ସରକାର ଗଠନ କରେ ତେବେ ଏସବୁ ଶୁଣିବା ପାଇଁ ମଧ୍ୟ ଆମ ପାଖରେ ସମୟ ନଥିବ । କାରଣ ମଣିପୁର ଭଳି ପରିସ୍ଥିତି ଆମ ଆଖପାଖରେ ଘଟିବ ଏବଂ ଆମେ ଦୈନିକ ଏସବୁ ପରିସ୍ଥିତିର ସାମ୍ନା କରିବା । ଯଦି ମୋଦୀ ଦେଶର ପୁନର୍ବାର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ପୁରା ଦେଶରେ ଲଦାଖ, ମଣିପୁର ଭଳି ସ୍ଥିତି ଉତ୍ପନ୍ନ ହେବାର ସମ୍ଭାବନା ବଢ଼ିଯିବ । ଆଜି କିଛି ରାଜ୍ୟର ଚାଷୀଙ୍କ ପ୍ରତି ଯେଉଁପ୍ରକାର ବ୍ୟବହାର କରାଯାଉଛି ସେସବୁ ଦେଶର ପ୍ରତ୍ୟେକ ରାଜ୍ୟର ପ୍ରତ୍ୟେକ ଚାଷୀଙ୍କ ସହ ଘଟିବ ।

ପ୍ରକାଶ ଦେଶର ଅନ୍ୟତମ ବିଶିଷ୍ଟ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞଭାବେ ପରିଚିତ ପରକଲା ପ୍ରଭାକରଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆରେ କଂଗ୍ରେସ ଅପଲୋଡ୍ କରିବା ପରେ ପରେ ଏବେ ଏହା ବିଜୁଳି ବେଗରେ ଭାଇରାଲ୍ ହେବାରେ ଲାଗିଛି । ଅନ୍ୟପକ୍ଷେ କଂଗ୍ରେସ ମଧ୍ୟ ଏହି ଭିଡିଓ ଆଳରେ ବିଜେପିକୁ ଘେରିବା ତଥା ସମାଲୋଚନା କରିବା ଆରମ୍ଭ କରିଦେଇଛି । କଂଗ୍ରେସ ଦର୍ଶାଇଛି ଯେ, ପରକଲା ପ୍ରଭାକର ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ । ସେ ବାସ୍ତବିକ ପରିସ୍ଥିତିକୁ ଅନୁଭବ କରିବା ସହ ନିଜ ବ୍ୟକ୍ତିଗତ ମନ୍ତବ୍ୟ ଭୟଶୂନ୍ୟ ଭାବେ ସମସ୍ତଙ୍କ ସମ୍ମୁଖରେ ରଖିଛନ୍ତି । ଏହା ହିଁ ହେଉଛି ବିଜେପିର ପ୍ରକୃତ ପରିଚୟ, ଅସଲ ଉଦ୍ଦେଶ୍ୟ ।

ପରକଲା ପ୍ରଭାକରଙ୍କ ବିବୃତ୍ତି ସବୁକିଛି ସ୍ପଷ୍ଟ କରିଦେଉଛି । ତେବେ କେବଳ ପରକଲା ପ୍ରଭାକର ନୁହଁନ୍ତି ବରଂ ଦେଶର ସମସ୍ତ ବିଶିଷ୍ଟ ତଥା ମାନ୍ୟଗଣ୍ୟ ବୁଦ୍ଧିଜୀବୀ ଏକଥାକୁ ହୃଦବୋଧ କରୁଛନ୍ତି । କିନ୍ତୁ ସେମାନେ ସମସ୍ତେ ପରକଲା ପ୍ରଭାକରଙ୍କ ଭଳି ସାହସୀ ହୋଇନଥିବାରୁ ମୁକ୍ତ ଭାବେ ଏସବୁ କହିପାରୁନାହାନ୍ତି ବୋଲି କଂଗ୍ରେସ ଦୃଢ଼ୋକ୍ତି ବ୍ୟକ୍ତ କରିଛି । ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର ଦୁଇ ସପ୍ତାହରୁ ମଧ୍ୟ କମ୍ ସମୟ ରହିଲା । ଏପ୍ରିଲ୍ ୧୯ରେ ଦେଶରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଅର୍ଥାତ୍ ଏହି ଦିନ ଠାରୁ ଦେଶରେ ‘କ୍ଷମତା ଯୁଦ୍ଧ’ର ବିଧିବଦ୍ଧ ଆରମ୍ଭ ହେବା ସହ ଏହି ପ୍ରକ୍ରିୟା ଜୁନ୍ ୧ ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟ ସୁଦ୍ଧା ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ ଏବଂ ଜୁନ୍ ୪ ତାରିଖରେ ବିଧିବଦ୍ଧ ଫଳାଫଳ ଘୋଷଣା ମଧ୍ୟ କରାଯିବ ।

ତେବେ ବର୍ତ୍ତମାନ ସୁଦ୍ଧା ଦେଶର ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସ ପକ୍ଷରୁ ନିର୍ବାଚନ ଜିତିବା ଉଦ୍ଦେଶ୍ୟରେ ଜୋରଦାର ପ୍ରଚାର, ନିର୍ବାଚନୀ ଇସ୍ତାହାର, ଶୋଭାଯାତ୍ରା, ରାଲି, ଡିବେଟ୍ ଆଦି କାର୍ଯ୍ୟକ୍ରମମାନ କରାଯାଉଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷେ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପକ୍ଷରୁ ମଧ୍ୟ ନିୟମିତ ବ୍ୟବଧାନରେ କିଛି ନା କିଛି ସର୍ଭେ କରାଯାଇ ଫଳାଫଳକୁ ସାମ୍ନାକୁ ଆଣିବାକୁ ପ୍ରୟାସ କରାଯାଉଛି । ନିର୍ବାଚନୀ ବିଶେଷଜ୍ଞମାନେ ମଧ୍ୟ ନିଜ ପୂର୍ବାନୁମାନ କରିବା ଆରମ୍ଭ କରିଦେଇଛନ୍ତି । ଅବଶ୍ୟ ଏସବୁଥିରେ ବିଜେପି, କଂଗ୍ରେସ ଠାରୁ ବେଶ୍ ଆଗୁଆ ରହୁଥିବା ଦର୍ଶାଯାଉଥିବା ଦେଖିବାକୁ ମିଳୁଛି । ଅର୍ଥାତ୍ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ପୁନର୍ବାର ସରକାର ଗଢ଼ିବାର ସମସ୍ତ ସମ୍ଭାବନାକୁ ଦର୍ଶାଯାଉଛି ।

କିନ୍ତୁ ଏସବୁ ମଧ୍ୟରେ କଂଗ୍ରେସ ପକ୍ଷରୁ ନିଜ ଦଳୀୟ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସମ୍ବଳିତ ଏକ ପୋଷ୍ଟ କରାଯାଇଛି ଯାହା ବିଜେପିର ନିଦ ହଜାଇଦେଇଛି । ପ୍ରଚାର କାର୍ଯ୍ୟକ୍ରମରେ ନିଜ ଓଜସ୍ୱିନୀ ଶବ୍ଦଯୁକ୍ତ ଭାଷଣ ମାଧ୍ୟମରେ ବିରୋଧୀ ଦଳଙ୍କୁ ଧୂଳିସାତ୍ କରିପାରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଭିଡିଓ ତଥା ଏଥିରେ ଥିବା ବିବୃତ୍ତିକୁ ନେଇ ଟେନ୍‌ସନ୍‌ରେ ପଡ଼ିଯାଇଛନ୍ତି । ସବୁଠୁ ବଡ଼ ଚିନ୍ତାରେ ପଡ଼ିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ଏବେ କ’ଣ କରିବେ? କ’ଣ ନକରିବେ ସେହି ଚିନ୍ତାରେ ରହିଛନ୍ତି । ଭିଡିଓରେ ଦିଆଯାଇଥିବା ବିବୃତ୍ତି ଏବଂ ବିବୃତ୍ତିକାରୀ ନିଜ ସ୍ୱାମୀଙ୍କ ବୟାନ୍‌କୁ କିପରି ମୁକାବିଲା କରିବେ ଏବଂ ଦେଶବାସୀଙ୍କ ସମ୍ମୁଖରେ ଦଳର ଭାବମୂର୍ତ୍ତିକୁ କିପରି ଅକ୍ଷୂଣ୍ଣ ରଖିବେ ସେହି ଚିନ୍ତାରେ ସେ ଘାଣ୍ଟିହେବା ଆରମ୍ଭ କରିଛନ୍ତି ।

ପରକଲା ପ୍ରଭାକର କିଏ?
ପରକଲା ପ୍ରଭାକରଙ୍କ ସମ୍ପର୍କରେ ଏବେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି । ଯେବେଠାରୁ କଂଗ୍ରେସର ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି ପରକଲା ପ୍ରଭାକର ବାସ୍ତବରେ କିଏ ସେସମ୍ପର୍କରେ ସମସ୍ତଙ୍କ ଜିଜ୍ଞାସା ବଢ଼ିଯାଇଛି । ପରକଲା ପ୍ରଭାକର ଆଉ କେହି ନୁହଁନ୍ତି ସେ ହେଉଛନ୍ତି ମୋଦୀ ସରକାରଙ୍କ କ୍ୟାବିନେଟ୍‌ରେ କେନ୍ଦ୍ର ଅର୍ଥମନ୍ତ୍ରୀ ପାହ୍ୟାରେ ଅବସ୍ଥାପିତ ନିର୍ମଳା ସୀତାରମଣଙ୍କ ସ୍ୱାମୀ । ୨ ଜାନୁଆରୀ ୧୯୫୯ରେ ଆନ୍ଧ୍ରପ୍ରଦେଶର ନର୍ସାପୁରମ୍ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ପରକଲା ପ୍ରଭାକର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ହାସଲ କରିବା ସହ ଏମ୍‌ଫିଲ୍ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ପରେ ପରେନ ସେ ଲଣ୍ଡନ୍ ସ୍କୁଲ ଅଫ୍ ଇକୋନୋମିକ୍ସ ଭଳି ଶିକ୍ଷାନୁଷ୍ଠାନରୁ ମଧ୍ୟ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି । ୧୯୮୬ରେ ସୀତାରମଣଙ୍କ ସହ ପରକଲା ପ୍ରଭାକରଙ୍କ ବିବାହ ହୋଇଥିଲା । ଉଭୟଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛନ୍ତି ।

ଜଣେ ରାଜନୈତିକ ବିଶ୍ଳେଷକ ତଥା ଅର୍ଥଶାସ୍ତ୍ରୀ ଭାବେ ସେ ବେଶ୍ ପରିଚିତ । ଆନ୍ଧ୍ରପ୍ରଦେଶ ସରକାରଙ୍କ ପାଇଁ ସେ କ୍ୟାବିନେଟ୍ ପାହ୍ୟା ପରାମର୍ଶଦାତା ଭାବେ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ କାମ କରିସାରିଛନ୍ତି । ଏତଦ୍‌ବ୍ୟତୀତ ସେ ଆନ୍ଧ୍ରପ୍ରଦେଶ ବିଜେପି ପାଇଁ ମୁଖପାତ୍ର ଭାବେ ମଧ୍ୟ କିଛି ବର୍ଷ କାମ କରିଛନ୍ତି । ଆନ୍ଧ୍ରପ୍ରଦେଶର ଅନ୍ୟତମ ରାଜନୈତିକ ଦଳ ତଥା ଅଭିନେତା ଚିରିଞ୍ଜିବୀଙ୍କ ନେତୃତ୍ୱାଧୀନ ପ୍ରଜା ରାଜ୍ୟମ ପାର୍ଟି ପାଇଁ ମଧ୍ୟ ମୁଖପାତ୍ର ତଥା ସହସଂସ୍ଥାପକ ସଚିବ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ଟିଭି ଚ୍ୟାନେଲ ଇଟିଭି୨ରେ ପ୍ରସାରିତ ହେଉଥିବା ‘ପ୍ରତିଧ୍ୱନୀ’ ଏବଂ ଏନ୍‌ଟିଭିରେ ପ୍ରସାରିତ ହେଉଥିବା ‘ନମସ୍ତେ ଆନ୍ଧ୍ରପ୍ରଦେଶ’ ଭଳି ସାମ୍ପ୍ରତିକ ଘଟଣାବଳୀ ସମ୍ବନ୍ଧିତ କାର୍ଯ୍ୟକ୍ରମ ପଛର ମୁଖ୍ୟ ଉଦ୍ୟୋକ୍ତା ମଧ୍ୟ ପ୍ରଭାକର ହିଁ ଥିଲେ । ଏହି କାର୍ଯ୍ୟକ୍ରମ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking