33.1 C
Bhubaneswar
Thursday, October 1, 2026
Homeଦେଶ ବିଦେଶଫର୍ମ-୬ରୁ ଅତିରିକ୍ତ ଘୋଷଣାନାମା ହଟାଇଲେ ଭାରତ ନିର୍ବାଚନ ଆୟୋଗ

ଫର୍ମ-୬ରୁ ଅତିରିକ୍ତ ଘୋଷଣାନାମା ହଟାଇଲେ ଭାରତ ନିର୍ବାଚନ ଆୟୋଗ

ଭୁବନେଶ୍ୱର: ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପ୍ରକ୍ରିୟା ସମାପ୍ତ ହୋଇଥିବା ପରିପ୍ରେକ୍ଷୀରେ, ବର୍ତ୍ତମାନର ଭୋଟର ତାଲିକାରେ ନାମ ନଥିବା ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ନାମ ସାମିଲ କରାଇବାର ସୁଯୋଗ ଅବ୍ୟାହତ ରହିଛି। ଏଥିପାଇଁ ଯୋଗ୍ୟ ନାଗରିକମାନେ ପୂର୍ବଭଳି ଫର୍ମ-୬ ମାଧ୍ୟମରେ ଆବେଦନ କରିପାରିବେ।

ଏସଆଇଆର ସମୟରେ ଯଦି କୌଣସି ଯୋଗ୍ୟ ନାଗରିକଙ୍କ ନାମ କୌଣସି କାରଣରୁ ଭୋଟର ତାଲିକାରୁ ବାଦ ପଡ଼ିଥାଏ, ତେବେ ପୁନର୍ବାର ନାମ ସାମିଲ କରାଇବା ପାଇଁ ଫର୍ମ-୬ ଦାଖଲ କରିବା ସମୟରେ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବା ଆବଶ୍ୟକ ହେବ ନାହିଁ। ସେହିପରି, ଆବେଦନକାରୀଙ୍କ ପିତାମାତା କିମ୍ବା ଜେଜେବାପା/ଜେଜେମାଆଙ୍କ ନାମ ୨୦୦୨ ମସିହାର ଭୋଟର ତାଲିକାରେ ଥିଲା କି ନାହିଁ, ସେ ସମ୍ପର୍କିତ ତଥ୍ୟ ମଧ୍ୟ ଦାଖଲ କରିବାକୁ ପଡ଼ିବ ନାହିଁ।

ଏ ସମ୍ପର୍କିତ ଅତିରିକ୍ତ ଘୋଷଣାନାମାକୁ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଫର୍ମ-୬ରୁ ହଟାଇ ଦେଇଛନ୍ତି। ଏହା ଫଳରେ ଏସଆଇଆର-୨୦୨୬ ପରେ ଭୋଟର ତାଲିକାରେ ନାମ ସାମିଲ କରାଇବାକୁ ଇଚ୍ଛୁକ ଯୋଗ୍ୟ ନାଗରିକମାନେ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ଅତିରିକ୍ତ ତଥ୍ୟ କିମ୍ବା ଘୋଷଣାନାମା ବିନା ସାଧାରଣ ପ୍ରକ୍ରିୟାରେ ଫର୍ମ-୬ ଦାଖଲ କରିପାରିବେ।

ତେବେ, କେବଳ ଫର୍ମ-୬ ଦାଖଲ କରିବା ଦ୍ୱାରା ଆବେଦନକାରୀଙ୍କ ନାମ ସ୍ୱତଃସ୍ଫୂର୍ତ୍ତ ଭାବେ ଭୋଟର ତାଲିକାରେ ସାମିଲ ହେବ ନାହିଁ। ନାମ ସାମିଲ ପୂର୍ବରୁ ଆବେଦନକାରୀଙ୍କ ଯୋଗ୍ୟତା ଏବଂ ଆବେଦନରେ ଦିଆଯାଇଥିବା ତଥ୍ୟର ନିର୍ଦ୍ଧାରିତ ଯାଞ୍ଚ ପ୍ରକ୍ରିୟା ପୂର୍ବଭଳି ଜାରି ରହିବ।

ସମ୍ପୃକ୍ତ ନିର୍ବାଚନ କର୍ତ୍ତୃପକ୍ଷ ଆବେଦନରେ ଦିଆଯାଇଥିବା ତଥ୍ୟ ଏବଂ ଆବଶ୍ୟକୀୟ ଦସ୍ତାବିଜ ଯାଞ୍ଚ କରିବା ପରେ ଆଇନ ଓ ନିର୍ଦ୍ଧାରିତ ନିୟମ ଅନୁଯାୟୀ ନାମ ଅନ୍ତର୍ଭୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବେ। ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ନକରି କୌଣସି ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯିବ ନାହିଁ।

ଏଥିସହିତ, ଫର୍ମ-୬ ମାଧ୍ୟମରେ ନାମ ସାମିଲ କରିବାର ସାଧାରଣ ବ୍ୟବସ୍ଥା ଅବ୍ୟାହତ ରହିଛି। ତେଣୁ, ଯେଉଁ ଯୋଗ୍ୟ ନାଗରିକଙ୍କ ନାମ ବର୍ତ୍ତମାନର ଭୋଟର ତାଲିକାରେ ନାହିଁ, ସେମାନେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରି ଫର୍ମ-୬ ଦାଖଲ କରି ଭୋଟର ଭାବେ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ।

ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା ଏବଂ ଏହାର ଶୁଦ୍ଧତା, ସ୍ୱଚ୍ଛତା ବଜାୟ ରଖିବା ସହିତ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ଭାବେ ପଞ୍ଜୀକରଣର ସୁଯୋଗ ଦେବା ଉଦ୍ଦେଶ୍ୟରେ ପ୍ରାପ୍ତ ସମସ୍ତ ଆବେଦନର ନିର୍ଦ୍ଧାରିତ ନିୟମ ଅନୁଯାୟୀ ଯାଞ୍ଚ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking