ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ବଢୁଥିବାରୁ ନିର୍ବାଚନ ଆୟୋଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ୫ ରାଜ୍ୟରେ ହୋଇଥିବା ନିର୍ବାଚନ ଫଳାଫଳ ୨ ମେ’ ରେ ଘୋଷିତ କରାଯିବ । ସେଥିପାଇଁ ଫଳାଫଳ ପରେ କୌଣସି ପ୍ରକାରର ବିଜୟ ଶୋଭାଯାତ୍ରା କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ଏମିତି କଠୋର ନିଷ୍ପତ୍ତି ନେଇଛନ୍ତି । ଫଳାଫଳ ପରେ ବିଜୟୀ ପ୍ରାର୍ଥୀ କେବଳ ୨ ଜଣଙ୍କ ସହିତ ନିଜ ବିଜୟ ସାର୍ଟିଫିକେଟ ପାଇଁ ଯାଇପାରିବେ ।
କହିରଖୁଛୁ ଯେ, ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀ ନିର୍ବାଚନ ଫଳାଫଳମେ ୨ରେ ଘୋଷଣା କରାଯିବ । ୪ ରାଜ୍ୟରେ ନିର୍ବାଚନ ଶେଷ ହୋଇଛି । ଯେତେବେଳେ କି ବଙ୍ଗଳାରେ ଆଉ ଗୋଟିଏ ପର୍ଯ୍ୟାୟ ଭୋଟିଂ ବାକି ଅଛି । ଏହାରି ମଧ୍ୟରେ ନିର୍ବାଚନ କମିଶନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।
ଗତ କିଛି ଦିନ ହେବ କରୋନା ସଂକ୍ରମଣ ପ୍ରବଳ ମାତ୍ରାରେ ବୃଦ୍ଧି ପାଉଛି । ନିର୍ବାଚନ ରାଲିରେ ଗହଳି ନେଇ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି ହେଉଥିଲା । ବଙ୍ଗଲାରେ ୭ମ ପର୍ଯ୍ୟାୟ ମତଦାନ ପୂର୍ବରୁ ନିର୍ବାଚନ ଆୟୋଗ ବଡ ରାଲି, ରୋଡ୍ ଶୋ ଓ ପଦ ଯାତ୍ରା ଉପରେ ରୋକ ଲଗାଇଦେଇଥିଲେ । ରାଜନୈତିକ ଦଳଙ୍କୁ ଭର୍ଚୁଆଲ ସଭା କରିବା ପାଇଁ ଅପିଲ କରିଥିଲେ ।
ସୂଚନାଯୋଗ୍ୟ , କରୋନା ସଂକ୍ରମଣ ନେଇ ମାଡ୍ରାସ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କ ଉପରେ ଉତ୍ତ୍ୟକ୍ତ ହୋଇଥିଲେ ଏବଂ କଡା ଚେତାବନୀ ଦେଇଥିଲେ । ମାଡ୍ରାସ ହାଇକୋର୍ଟ ଏକ ଆବେଦନର ଶୁଣାଣି ମଧ୍ୟରେ କହିଥିଲେ ଯେ, କରୋନାର ଦ୍ୱିତୀୟ ଲହର ପାଇଁ ନିର୍ବାଚନ କମିଶନ ସଂପୂର୍ଣ୍ଣ ଭାବେ ଦାୟୀ । ନିର୍ବାଚନ କମିଶନ କୌଣସି ପ୍ରକାର ନିର୍ବାଚନୀ ସଭା ଉପରେ ରୋକ ଲାଗଇଲେ ନାହିଁ , ଯେଉଁଠି ବିପୁଳ ମାତ୍ରାରେ ଲୋକେ ଏକାଠି ହେଉଥିଲେ । ଏହାସହିତ ଲହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ୨ ମେ ରେ ଭୋଟ ଗଣତି ପାଇଁ ପୁରା ପ୍ଲାନ ପ୍ରସ୍ତୁତ କରାଯାଉ ।