ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ନିକଟ ତୃପ୍ତିନଗର ତୃତୀୟ ଲେନ୍ରେ ଜଣେ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଯୁବକ ଜଣଙ୍କ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ବୁରୁକୁଦି ଗ୍ରାମର ରଞ୍ଜିତ ପାତ୍ର । ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ । ବଡବଜାର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ବୁରୁକୁଦି ଗ୍ରାମର ରଞ୍ଜିତଙ୍କ ତୃପ୍ତିନଗରରେ ରହୁଥିବା ଜଣେ ସମ୍ପର୍କୀୟ ଭାଉଜଙ୍କ ସହ ସମ୍ପର୍କ ଗଢି ଉଠିଥିଲା । ଏହାକୁ ନେଇ ରଞ୍ଜିତଙ୍କ ଘରେ ଅସନ୍ତୋଷ ଲାଗି ରହିଥିଲା । ହେଲେ ରଞ୍ଜିତ ସମ୍ପର୍କୀୟ ଭାଉଜ ସହ ସଂପର୍କ ଭାଙ୍ଗି ପାରୁନଥିଲେ । ଦୁଇ ଦିନ ପୂର୍ବେ ରଞ୍ଜିତ ବିଶାଖାପାଟଣା ଓ ସୀମାଞ୍ଚଳ ଯାଇଥିଲେ । ସେଠାରୁ ଫେରିବା ପରେ ଘରକୁ ଯାଇ ପରିବାର ବର୍ଗଙ୍କ ସହ କଥାବାର୍ତ୍ତା ପରେ ସମ୍ପର୍କୀୟ ଭାଉଜଙ୍କ ଘରକୁ ଯାଇଥିଲେ । ସେଠାରେ ବିଭିନ୍ନ କାରଣକୁ ନେଇ ରଞ୍ଜିତ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ଝଗଡା ହୋଇଥିଲା ।
କିଛି ସମୟ ପରେ ସେହି ଘରେ ହିଁ ରଞ୍ଜିତଙ୍କ ଶବ ଏକ ରଶିରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଭାଉଜ ନିଜ ପରିବାର ଲୋକଙ୍କ ସହାୟତାରେ ଏମକେସିଜି ମେଡ଼ିକାଲକୁ ଆଣିଥିଲେ । ଡାକ୍ତର ସେଠାରେ ରଞ୍ଜିତଙ୍କ ମୃତ୍ୟୁ ଘୋଷଣା କରିଥିଲେ । ଖବରପାଇ ବଡବଜାର ଥାନା ପୁଲିସ ବଡ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ସନ୍ଧ୍ୟା ହୋଇଯାଇଥିବାରୁ ଶବଗୃହରେ ସଂରକ୍ଷିତ କରି ରଖିଥିଲା । ଶୁକ୍ରବାର ସକାଳୁ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ଘଟଣାକୁ ନେଇ ରଞ୍ଜିତଙ୍କ ପତ୍ନୀ ବଡବଜାର ଥାନାରେ ଏତଲା ଦେବା ସହ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପରେ ଫାଶିରେ ଝୁଲାଇ ଦିଆଯାଇଥିବା ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ପ୍ରକାରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ରଞ୍ଜିତଙ୍କ ମୃତ୍ୟୁର ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।