32.1 C
Bhubaneswar
Friday, May 17, 2024
Homeଦେଶ ବିଦେଶମଝି ସମୁଦ୍ରରୁ ଧରାପଡିଲା ୬୦୨ କୋଟିର ଡ୍ରଗ୍ସ, ୧୪ ଗିରଫ

ମଝି ସମୁଦ୍ରରୁ ଧରାପଡିଲା ୬୦୨ କୋଟିର ଡ୍ରଗ୍ସ, ୧୪ ଗିରଫ

ପୋରବନ୍ଦର: ଭାରତୀୟ ତଟରକ୍ଷୀ ବାହିନୀ (ଇଣ୍ଡିଆନ୍ କୋଷ୍ଟଗାର୍ଡ), ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପକ୍ଷରୁ କରାଯାଇଥିବା ଏକ ବଡ଼ ଧରଣର ମିଳିତ ଅପରେସନ୍ ଯୋଗୁ ମଝି ସମୁଦ୍ରରୁ ପ୍ରାୟ ୮୬କିଗ୍ରା ଓଜନର ଡ୍ରଗ୍ସ (ଆନୁମାନିକ ବଜାର ମୂଲ୍ୟ ୬୦୨ କୋଟି ଟଙ୍କା) ଜବତ କରାଯାଇପାରିଛି । ଏହି ଘଟଣାରେ ୧୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନେ ପାକିସ୍ତାନୀ ନାଗରିକ ବୋଲି ଚିହ୍ନଟ ହୋଇଛନ୍ତି । ରିପୋର୍ଟ ଅନୁସାରେ ସମୁଦ୍ରପଥ ଦେଇ ବିପୁଳ ପରିମାଣର ଡ୍ରଗ୍ସ ଭାରତ ଆସୁଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା ।

ଏହାପରେ ଏଟିଏସ୍‌, ଏନ୍‌ସିବି ପକ୍ଷରୁ ଭାରତୀୟ ତଟରକ୍ଷୀ ବାହିନୀଙ୍କ ସହାୟତା ନିଆଯାଇଥିଲା । ମଝି ସମୁଦ୍ରରେ ଏକ ସନ୍ଦିଗ୍ଧ ଷ୍ଟିମର ଥିବା ଏବଂ ସେଥିରେ କିଛି ପାକିସ୍ତାନୀ ନାଗରିକ ଥିବା ନେଇ ସୂଚନା ମିଳିବା ମାତ୍ରେ ମିଳିତ ଅପରେସନ୍ କରାଯାଇଥିଲା । ଗୁଇନ୍ଦା ସୂଚନା ମିଳିବା ପରଠାରୁ ସୁରକ୍ଷା ଏଜେନ୍ସିମାନେ ଗତ ଦୁଇ ଦିନ ଧରି ଅନ୍ତରାଷ୍ଟ୍ରୀୟ ସୀମାରେ ତୀକ୍ଷ୍ମ ନଜର ରଖିଆସୁଥିଲେ । ତେବେ ଏହି ଅପରେଶନ ପାଇଁ କୋଷ୍ଟଗାର୍ଡ ଜାହାଜ ଏବଂ ବିମାନ ନିୟୋଜିତ କରାଯାଇଥିଲା ।

ତଟରକ୍ଷୀ ବାହିନୀ, ଏଟିଏସ୍ ଏବଂ ଏନ୍‌ସିବି ପକ୍ଷରୁ ଅପରେସନ୍ କରାଯିବା ସମୟରେ ଷ୍ଟିମରରେ ଥିବା ଏହି ପାକିସ୍ତାନୀ ନାଗରିକମାନେ ଏଟିଏସ୍ ଅଧିକାରୀଙ୍କ ଉପରେ ନିଜର ଡଙ୍ଗା ଚଢାଇ ମାରିଦେବାକୁ ଉଦ୍ୟମ କରିଥିଲେ । ବାଧ୍ୟହୋଇ ଇଣ୍ଡିଆନ୍ କୋଷ୍ଟଗାର୍ଡଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ପରେ ସନ୍ଦିଗ୍ଧମାନେ ଆତ୍ମସମର୍ପଣ କରୁଥିବା ନେଇ ସୂଚନା ଦେବା ପରେ ଏମାନଙ୍କୁ ଗିରଫ କରାଯାଇଥିଲା । ଗିରଫ ୧୪ ପାକିସ୍ତାନୀ ନାଗରିକଙ୍କ ନିକଟରୁ ୮୬ କିଲୋଗ୍ରାମ ଓଜନର ଡ୍ରଗ୍ସ ଜବତ କରାଯାଇଥିବା ଏନ୍‌ସିବି ସୂଚନା ଦେଇଛି । ସୂଚନାଯୋଗ୍ୟ, ଦିନକ ପୂର୍ବରୁ ଏନ୍‌ସିବି ଗୁଜୁରାଟ ଏବଂ ରାଜସ୍ଥାନରେ ‘ମିଆଉଁ ମିଆଉଁ’ ନାମରେ ଜଣାଶୁଣା ନିଷେଧ ଔଷଧ ମେଫେଡ୍ରୋନ୍ ଉତ୍ପାଦନ କରୁଥିବା ତିନୋଟି ଲ୍ୟାବ୍ ଉପରେ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିଥିଲା । ଏଥିସହ ଡ୍ରଗ୍ସ ବିରୋଧୀ ଏଜେନ୍ସି ପ୍ରାୟ ୩୦୦ କୋଟି ଟଙ୍କା ମୂଲ୍ୟର ନିଶା ଦ୍ରବ୍ୟ ଜବତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking