କଳାପଥର : କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ କଳାପଥରଠାରେ ଥିବା ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ମିଳୁନଥିବା ଅଭିଯୋଗ ହେଉଛି । ଏହି ଡାକ୍ତରଖାନା ଉପରେ ପଶ୍ଚିମ ବାଙ୍କୀର ୧୦ଟି ପଞ୍ଚାୟତ ସମେତ ବୋଲଗଡ଼, ବେଗୁନିଆ ଓ ନୟାଗଡ଼ ଜିଲ୍ଲା ଭାପୁର ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି । ଉକ୍ତ ଅଞ୍ଚଳର ପ୍ରାୟ ୫ଶହରୁ ୭ଶହ ରୋଗୀ ପ୍ରତ୍ୟହ ଡାକ୍ତରଖାନାକୁ ଆସିଥାନ୍ତି । କିନ୍ତୁ ପରିତାପର ବିଷୟ ଏତେ ସଂଖ୍ୟକ ରୋଗୀଙ୍କ ପାଇଁ ମାତ୍ର ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ଯେଉଁ ଡାକ୍ତରଙ୍କୁୁ ଏଠାରେ ଅବସ୍ଥାପିତ କରାଯାଇଛି ସେ ସପ୍ତାହରେ ମାତ୍ର ୨/୩ ଦିନ ଏଠାକୁ ଆସୁଥିବା ଦେଖିବାକୁ ମିଳୁଛି । ଅନ୍ୟଦିନ ମାନଙ୍କରେ ଡାକ୍ତର ଅନୁପସ୍ଥିତ ରହୁଥିବାରୁ ଲୋକମାନେ ଫାର୍ମାସିଷ୍ଟଙ୍କ ଉପରେ ନିର୍ଭର କରୁଛନ୍ତି । ସା୍ଥୟୀ ଡାକ୍ତର ନିଯୁକ୍ତି ପାଇଁ ବାରମ୍ବାର ଦାବି ସତ୍ତ୍ୱେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ସମାଧାନ କରାନଯିବା ଫଳରେ ଅସନ୍ତୋଷ ଦେଖାଦେଉଛି । ଏହି ଡାକ୍ତରଖାନା ପରିସରରେ ଡାକ୍ତରଙ୍କ ରହିବାପାଇଁ ଲକ୍ଷ୍ୟାଧିକ ଟଙ୍କା ବ୍ୟୟରେ ସରକାରୀ କ୍ୱାର୍ଟର୍ସ ନିର୍ମାଣ ହୋଇଥିବାବେଳେ ଡାକ୍ତର ରହୁନଥିବାରୁ ଏହା ଭୂତକୋଠି ପାଲଟିଛି । କଳାପଥରରେ ଡାକ୍ତରଖାନା ଥାଇ ମଧ୍ୟ ସେଠାରୁ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ମିଳିପାରୁନଥିବା ଜଣାପଡ଼ିଛି । ଫଳରେ ଲୋକମାନେ ବାଧ୍ୟ ହୋଇ ନକଲି ଡାକ୍ତରଙ୍କ ଉପରେ ନିର୍ଭର କରୁଛନ୍ତି । ଏହାର ସୁଯୋଗ ନେଇ କ୍ୱାକ୍ମାନେ ସକ୍ରିୟ ହୋଇ ଉଠିଛନ୍ତି । ଏପରିକି ବାଘମାରି -କଣ୍ଟିଲୋ ରାଜ୍ୟ ରାଜ ପଥ କଡ଼ରେ ଥିବା ନର୍ସିଂହୋମ୍ ସହିତ ଡାକ୍ତରଖାନାର ପାଚେରିକୁ ଲାଗି ନକଲି ଡାକ୍ତରମାନେ ଦୋକାନ ଖୋଲି ରୋଗୀଙ୍କୁ ଚିକିତ୍ସା କରିବା ସହିତ ସେଠାରେ ଅବୈଧ ଗର୍ଭପାତ କରାଯାଉଥିବା ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ଡାକ୍ତରଖନାର ରୋଗୀ କଲ୍ୟାଣ ସମିତି ଠିକ୍ ଭାବରେ କାର୍ଯ୍ୟକାରୀ ହେଉନାହିିଁ । ଡାକ୍ତରଖାନା ପରିସର ଦିନକୁ ଦିନ ସଙ୍କୁଚିତ ହୋଇ ପଡୁଥିବାବେଳେ ଏଥିପ୍ରତି କାହାରି ନଜର ପଡ଼ୁନି । କେବଳ ସରକାରୀ ଭାବେ ଡାକ୍ତରଖାନାର ଉନ୍ନତି ପାଇଁ ଆସୁଥିବା ଅର୍ଥକୁ ଠିକାଦାରୀକରି ଲୁଟିବା ଉପରେ ଗୁରୁତ୍ୱ ଦିଅଯାଉଛି ବୋଲି ଆଲୋଚନା ହେଉଛି । ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମାଜସେବୀ ମିରଜା ସର୍ଦ୍ଦାର ଅଲ୍ଲୀବେଗମ ସମେତ ସାଧାରଣରେ ଦାବି ହେଉଛି ।