30.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଡିଏମ୍‌କେ ମନ୍ତ୍ରୀ ଉଦୟନିଧିଙ୍କ ମନ୍ତବ୍ୟକୁ ନେଇ ଝଡ଼

ଡିଏମ୍‌କେ ମନ୍ତ୍ରୀ ଉଦୟନିଧିଙ୍କ ମନ୍ତବ୍ୟକୁ ନେଇ ଝଡ଼

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନଙ୍କ ପୁତ୍ର ତଥା କ୍ରୀଡାମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଇତିମଧ୍ୟରେ ସନାତନ ଧର୍ମକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ରକରି ରାଜନୈତିକ ଝଡ ସୃଷ୍ଟି ହୋଇଛି । ଉଦୟନିଧିଙ୍କ ଏହି ମନ୍ତବ୍ୟ ପ୍ରତିବାଦରେ ବିନୀତ ଜିନ୍ଦଲ ନାମକ ସୁପ୍ରିମକୋର୍ଟର ଜଣେ ଆଇନଜୀବୀ ତାଙ୍କ ବିରୋଧରେ ନୂଆଦିଲ୍ଲୀର ଏକ ଥାନାରେ ଏତଲା ରୁଜ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ଉଦୟନିଧି ସନାତନ ଧର୍ମକୁ ମଶା, ଡେଙ୍ଗୁ, କରୋନା ଏବଂ ମ୍ୟାଲେରିଆ ସହ ତୁଳନା କରିଥିବାବେଳେ ଏହି ଧର୍ମର ବିଲୋପ ପାଇଁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ।

ଉଦୟନିଧି ଜଣେ ମନ୍ତ୍ରୀଭାବେ କାର୍ଯ୍ୟରତ ଥିବାବେଳେ କୌଣସି ଧର୍ମ ପ୍ରତି ଏଭଳି ଭାଷା ପ୍ରୟୋଗ କରିବା ଅସାମ୍ବିଧାନିକ ବୋଲି ଜିନ୍ଦଲ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ଭାରତୀୟ ସମ୍ବିଧାନ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବେ ବୋଲି ଉଦୟନିଧି ମନ୍ତ୍ରୀଭାବେ ଯାହା ଶପଥ ନେଇଥିଲେ, ତାହାକୁ ସେ ସମ୍ପୂର୍ଣ୍ଣ ହେୟଜ୍ଞାନ କରିଥିବା ଅଭିଯୋଗ ହୋଇଛି । ସନାତନ ଧର୍ମ ହେଉଛି ବିଶ୍ୱର ସବୁଠୁ ପ୍ରାଚୀନ ଧର୍ମ । ଜଣେ ଭାରତୀୟଭାବେ ଏହି ଧର୍ମକୁ ଅପମାନ ନିହାତିଭାବେ ଅସହ୍ୟ ହୋଇପଡିଥିବା ଜିନ୍ଦଲ କହିଛନ୍ତି । ସନାତନ ଧର୍ମକୁ ବିରୋଧ କରିବା ଏବଂ ସନାତନ ଧର୍ମକୁ ଉଚ୍ଛେଦ ଆହ୍ୱାନ ଦେବା ମଧ୍ୟରେ ଯଥେଷ୍ଟ ତଫାତ୍ ରହିଛି ବୋଲି ଜିନ୍ଦଲ କହିଛନ୍ତି ।

ଉଦୟନିଧିଙ୍କ ଏଭଳି ମନ୍ତବ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ ତୀବ୍ର ନିନ୍ଦା କରିଥିବାବେଳେ ବିଜେପି ପକ୍ଷରୁ ‘ଇଣ୍ଡିଆ’ ମେଣ୍ଟକୁ ଏଥିପାଇଁ ଟାର୍ଗେଟ କରାଯାଇଛି । ମୋଗଲ, ବ୍ରିଟିଶ ଶାସକମାନେ ସନାତନ ଧର୍ମକୁ ବିଲୋପ କରିପାରିନଥିବାବେଳେ ଡିଏମ୍‌କେ ମନ୍ତ୍ରୀ ଉଦୟନିଧିଙ୍କ ଏଭଳି ମନ୍ତବ୍ୟ ହାସ୍ୟାସ୍ପଦ ଏବଂ ଦିବାସ୍ୱପ୍ନ ବୋଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି । ଯିଏ ସନାତନ ଧର୍ମକୁ ବିଲୋପ କରିବାକୁ ଆହ୍ୱାନ ଦେଉଛି, ସେ ନିଜେ ବିଲୋପ ହୋଇଯିବ ବୋଲି ବିଶ୍ୱ ହିନ୍ଦୁ ପରିଷଦ ସେଣ୍ଟ୍ରାଲ ୱାର୍କିଂ କମିଟି ମୁଖ୍ୟ ଆଲୋକ କୁମାର କହିଛନ୍ତି । ଅପରପକ୍ଷରେ ଏହା ଉପରେ ଟିପ୍ପଣୀ ଦେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଉଦୟନିଧିଙ୍କ ଏଭଳି ମନ୍ତବ୍ୟରୁ ସ୍ପଷ୍ଟ ଜଣାପଡୁଛି ଯେ ‘ଇଣ୍ଡିଆ’ ମେଣ୍ଟ ହେଉଛି ସମ୍ପୂର୍ଣ୍ଣ ହିନ୍ଦୁ ବିରୋଧୀ । ଅଣ-ହିନ୍ଦୁ ଭୋଟ ହାତେଇବାକୁ ‘ଇଣ୍ଡିଆ’ ମେଣ୍ଟ ସନାତନ ଧର୍ମକୁ ସମାଲୋଚନା କରିଥିବା ଶାହ କହିଛନ୍ତି ।

ରାଜସ୍ଥାନରେ ରବିବାର ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ଶାହ କହିଛନ୍ତି ଯେ କଂଗ୍ରେସ ପକ୍ଷରୁ ନିକଟରେ କୁହାଯାଇଛି ଯେ ୨୦୨୪ରେ ଯଦି ନରେନ୍ଦ୍ର ମୋଦୀ ପୁଣି ପ୍ରଧାନମନ୍ତ୍ରୀ ହେବେ, ତାହାହେଲେ ଭାରତରେ ସନାତନ ଧର୍ମର ରାଜୁତି ଚାଲିବ । ଏପରିକି କଂଗ୍ରେସ ସାଂସଦ ରାହଲ ଗାନ୍ଧୀ ଆଉ ପାଦେ ଆଗେଇଯାଇ କହିଛନ୍ତି ‘ ହିନ୍ଦୁ ସଂଗଠନଗୁଡିକ ଲସ୍କର-ଇ-ତୋଇବା ଏବଂ ଅଲକାଏଦା ଆତଙ୍କବାଦୀ ସଂଗଠନଠାରୁ ଅଧିକ ବିପଜ୍ଜନକ’ । ହିନ୍ଦୁ ଧର୍ମ ବିରୋଧରେ ଯେତେ ଅପପ୍ରଚାର କଲେ ସୁଦ୍ଧା ଆଗାମୀ ନିର୍ବାଚନରେ ‘ଇଣ୍ଡିଆ’ ମେଣ୍ଟର ପରାଜୟ ସୁନିଶ୍ଚିତ ବୋଲି ଶାହ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଇଣ୍ଡିଆ ମେଣ୍ଟ୍‌ର କଂଗ୍ରେସ ହେଉ କିମ୍ବା ସମାଜବାଦୀ ପାର୍ଟି ଅଥବା ତୃଣମୂଳ କଂଗ୍ରେସ, ଏମାନେ ସଂଖ୍ୟାଲଘୁ ଭୋଟ ହାତେଇବାକୁ ଯେକୌଣସି ସ୍ତରକୁ ଖସିପାରନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking