27.1 C
Bhubaneswar
Tuesday, December 16, 2025
Homeଓଡିଶାଯାଜପୁରରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଉପଲକ୍ଷେ ଶ୍ରୀ ଅନ୍ନ ଓ ବିସ୍କୃତ ଖାଦ୍ୟ ମେଳା

ଯାଜପୁରରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଉପଲକ୍ଷେ ଶ୍ରୀ ଅନ୍ନ ଓ ବିସ୍କୃତ ଖାଦ୍ୟ ମେଳା

ଯାଜପୁର: ଆଜି ପୂର୍ବାହ୍ନରେ ସ୍ଥାନୀୟ ମିଶନ ଶକ୍ତି ଭବନ ଠାରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ଉପଲକ୍ଷେ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା କହିଲେ ଆମ ରାଜ୍ୟ ଓ ଦେଶ ଏକ କୃଷି ପ୍ରଧାନ ଦେଶ। ମାଣ୍ଡିଆ ଏକ ଏଭଳି ଖାଦ୍ୟ ଏହା ଶରୀରକୁ ପୋଷଣ ଯୋଗାଇବା ସହିତ ରୋଗପ୍ରତିରୋଧକ ଶକ୍ତି ବଢାଇ ଥାଏ। ଆଗରୁ ଆମେ ମାଣ୍ଡିଆ ଯାଉ ଓ ପିଠା ଖାଉଥିଲୁ। ବର୍ତ୍ତମାନ ମଣ୍ଡିଆର ଲୋକପ୍ରିୟତା ବଢିବା ସହିତ ମିଶନ ଶକ୍ତି ମା’ ମାନଙ୍କ ଦ୍ଵାରା ମାଣ୍ଡିଆର ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ପୂର୍ବରୁ ମାଣ୍ଡିଆର ଖାଦ୍ୟ ପ୍ରତ୍ୟେକ ପରିବାରରେ ବ୍ୟବହୃତ ହେଉଥିଲା। ମାଣ୍ଡିଆ ଶରୀରକୁ ସୁସ୍ଥ ରଖେ ପିଲାମାନେ ଫାଷ୍ଟ ଫୁଡ୍ ଛାଡ଼ି ମାଣ୍ଡିଆ ଜାତ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାର ସୁକିନ୍ଦା ଓ ଦାନଗଦି ବ୍ଲକର ଚାଷୀମାନେ ମାଣ୍ଡିଆ ଚାଷ କରୁଥିବାରୁ ତାଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ଆଗକୁ ଜିଲ୍ଲାର ଅନ୍ୟାନ୍ୟ ବ୍ଲକରେ ମାଣ୍ଡିଆ ଚାଷ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପ ସଭାପତି ଗଣେଶ୍ୱର ବରାଳ, ସାଂସଦଙ୍କ ପ୍ରତିନିଧି ଶ୍ରୀ ଅବିନାଶ ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା ଯୋଗଦେଇ ପୁରୁଣା ଖାଦ୍ୟ ବ୍ୟବସ୍ଥାକୁ ଉଦ୍ଜିବିତ କରିବା ଓ ଖାଦ୍ୟ ସାରଣୀରେ ମାଣ୍ଡିଆ କୁ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ଉତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଅରୁଣ କୁମାର ବେହେରା କହିଲେ ୨୦୨୩ ମସିହାରେ ଆମ ଜିଲ୍ଲାକୁ ମିଲେଟ ମିଶନରେ ସାମିଲ କରାଯାଇଥିଲା। ଯାଜପୁର ଜିଲ୍ଲାରେ ପ୍ରଥମ ଥର ମାଣ୍ଡିଆ ଚାଷ ପାଇଁ ସୁକିନ୍ଦା ଓ ଦାନଗଦି ବ୍ଲକରେ ମୋଟ ୩୪୪ ହେକ୍ଟର ଜମିରେ ୭୦୦ ହିତାଧିକାରୀଙ୍କୁ ନେଇ ଚାଷ କରାଯାଇଥିଲା ଏବଂ ୧୩୯ କୁଇଣ୍ଟାଲ ମିଲେଟ୍ ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ କରାଯାଇଥିଲା। ସେହିପରି ଚଳିତ ବର୍ଷ ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଏହି ୨ ଟି ବ୍ଲକରେ ୯୧୩ ହିତାଧିକାରୀଙ୍କୁ ନେଇ ୩୬୯ ହେକ୍ଟର ଜମିରେ ମାଣ୍ଡିଆ, ଯଅ ଫସଲର କ୍ଷେତ୍ର ପ୍ରଦର୍ଶନ ହୋଇଅଛି ଏବଂ ୫୦୦ କୁଇଣ୍ଟାଲ୍ ମିଲେଟ୍ ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ କରାଯିବାର ଧାର୍ଯ୍ୟ ଲକ୍ଷ୍ୟ ରହିଅଛି। ଏହି ଯୋଜନା ଆନୁକୁଲ୍ୟରେ କ୍ଷେତ୍ର ପ୍ରଦର୍ଶନୀ ଅନ୍ତର୍ଗତ ମିଲେଟ୍ ଚାଷୀଙ୍କୁ ହେକ୍ଟର କୁ ପ୍ରଥମ ବର୍ଷରେ ୧୦,୦୦୦ ଟଙ୍କା, ଦ୍ଵିତୀୟ ବର୍ଷରେ ୭,୫୦୦ ଟଙ୍କା, ତୃତୀୟ ବର୍ଷରେ ୫,୦୦୦ ଟଙ୍କା ଏବଂ ଚତୁର୍ଥ ଓ ପଞ୍ଚମ ବର୍ଷରେ ୨,୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ସେହିପରି ଏହି ଯୋଜନାରେ ଫସଲ ବିବିଧିକରଣ, ଅମଳ ପରବର୍ତ୍ତୀ ପରିଚାଳନା ପାଇଁ ଓ ଥ୍ରେସର ଚୋପାଛଡ଼ା ଯନ୍ତ୍ର, କଷ୍ଟମ ହାଇୟାରିଂ ସେଣ୍ଟର୍ , ଗୋଷ୍ଠୀ ପରିଚାଳିତ ବିହନ କେନ୍ଦ୍ର, ଜୈବ ସାମଗ୍ରୀ ପ୍ରସ୍ତୁତି ଏବଂ ମିଲେଟର ବିପଣନ ପାଇଁ M-PAS ପଦ୍ଧତି ଏବଂ ରପ୍ତାନି ଇତ୍ୟାଦି ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଶ୍ଵ ସ୍ତରରେ ପୁଷ୍ଟି ଶସ୍ୟ ଓ ଶ୍ରୀ ଅନ୍ନର ପୁନରୁଦ୍ଧାର କରାଯାଇ ଏହାକୁ ପ୍ରତ୍ୟେକ ଖାଦ୍ୟ ଥାଳିରେ ସାମିଲ କରିବା ଦ୍ୱାରା ଏହାର ପୃଷ୍ଟି ପୋଷକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରରେ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ମେଳା ଆୟୋଜିତ ହେଉଅଛି। ଏହା ବିଭିନ୍ନ ଅଂଶୀଦାରଙ୍କ ଅନ୍ତର୍ଭୁକ୍ତ ମୂଳକ କାର୍ଯ୍ୟକ୍ରମ ହୋଇଥିବାରୁ ଏହାର ସଫଳ ରୂପାୟନ ନିମନ୍ତେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କ ସହଯୋଗ କାମନା କରାଯାଉଛି। ଏହି ଅବସରରେ ଶ୍ରେଷ୍ଠ ମାଣ୍ଡିଆ ଚାଷୀ ଦାନଗଦି ବ୍ଲକର ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା ଓ ସୁକିନ୍ଦା ବ୍ଲକର ସୁକାନ୍ତି ମହନ୍ତଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଦାନଗଦି ବ୍ଲକର ଶ୍ରେଷ୍ଠ ସି.ଆର.ପି ମଂଜୁଶ୍ରି ଜେନା ଏବଂ ସୁକିନ୍ଦା ବ୍ଲକର ଶ୍ରୀ ଶ୍ରୀଧର ପ୍ରଧାନ, ଦାନଗଦି ବ୍ଲକର ଉତ୍ତମ ମହିଳା ସ୍ଵୟଂ ସହାୟକ ଦଳ ଭାବେ ଦିବ୍ୟଜ୍ୟୋତି ଏସ.ଏଚ.ଜି, ବିଦ୍ୟାଳୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ରୋଷେଇ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ପରେ ଅତିଥିମାନେ ଜିଲ୍ଲାସ୍ତରୀୟ ଖାଦ୍ୟ ମେଳା ଓ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଯାଜପୁର କୃଷି ଜିଲ୍ଲା ଅଧିକାରୀ ଶ୍ରୀ ଅରୁଣ କୁମାର ପାତ୍ର ସଭା ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ। ସହକାରୀ କୃଷି ନିର୍ଦ୍ଦେଶକ ମୀରା ପରିଚ୍ଛା, ମନୋଜ କୁମାର ରାଉତ, ପରିଚାଳନାରେ ସହାୟତା କରିଥିଲେ। ଶେଷରେ ମିଲେଟ ଉପରେ ପର୍ଯ୍ୟବେସିତ ସାଂସ୍କୃତିକ କାର୍ଯ୍ୟକ୍ରମ ଘୋଡାନାଚ, ଓଡ଼ିଶୀ ନୃତ୍ୟ, ଢେମସା ଓ ସାଇଲୋରି ପରିବେଷଣ କରାଯାଇଥିଲା। ଏହି ଉତ୍ସବରେ ବିଭିନ୍ନ ବ୍ଲକରୁ ଆସିଥିବା ମିଶନ ଶକ୍ତି ମହିଳା, ସ୍ଵୟଂ ସହାୟକ ଗୋଷ୍ଠୀ, ମିଲେଟ ଚାଷୀ, ଗଣମାଧ୍ୟମ ପ୍ରତିନିଧି, ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking