ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରଞ୍ଜାଗୋଳ ପଞ୍ଚାୟତ ସାନହିନ୍ଦୋଳ ଗ୍ରାମର ଦୁଇ ଅନାଥ ଭାଇଭଉଣୀ ଆବାସ ଯୋଜନାରୁ ବଞ୍ଚିତ । ସରକାରୀ ଯୋଜନା ସେମାନଙ୍କ ପାଇଁ ସାତସପନ ପାଲଟିଥିବା କୋହଭରା କଣ୍ଠରେ ଦୁଇ ଭାଇ ଭଉଣୀ କହିଛନ୍ତି । ସୂଚନା ଅନୁଯାୟୀ, ସାନହିନ୍ଦୋଳ ଗ୍ରାମର ମାୟାଧର ପ୍ରଧାନ ଓ ତାଙ୍କ ସ୍ତ୍ରୀ ରେଣୁକା ପ୍ରଧାନ ଆଜକୁ ପ୍ରାୟ ୧୫ ବର୍ଷ ତଳେ ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ଫଳରେ ପୁଅ ବବଲୁ (୧୭) ଏବଂ ଝିଅ ପୂଜା (୨୧) ଅନାଥ ହୋଇଯାଇଥିଲେ । ବାପା ମା’ଙ୍କ ମୃତ୍ୟୁ ବେଳକୁ ପୁଅର ବୟସ ୨ ଓ ଝିଅର ବୟସ ମାତ୍ର ୪ ବୟସ ହୋଇଥିଲା ।
ସେହିଦିନ ଠାରୁ ପାଖପଡ଼ୋଶୀଙ୍କ ସହାୟତାରେ ୨ଟି ଜୀବନ ସଂଗ୍ରାମରେ ଆଗକୁ ବଢ଼ି ଚାଲିଛନ୍ତି । ଦୁର୍ଭାଗ୍ୟ ବଶତଃ ଝିଅଟି ଦିବ୍ୟାଙ୍ଗ ନା କିଛି ଜାଣି ପାରୁଛି ନା ପାଟିଖୋଲି କିଛି କହିପାରୁଛି । ଏଭଳିସ୍ଥଳେ ସରକାରଙ୍କ ପକ୍ଷରୁ ପାଉଥିବା ଭତ୍ତା ୫ଶହରୁ ଆଜି ଯାଏଁ ୭ଶହ ଟଙ୍କା ମଧ୍ୟ ହୋଇପାରିଲା ନାହିଁ । ବାରମ୍ବାର ଏ ସମ୍ପର୍କରେ ପଞ୍ଚାୟତରେ କାଗଜପତ୍ର ଦେଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଉପଯୁକ୍ତ ଭତ୍ତା ମିଳିପାରିନାହିଁ । ଯାହାକୁ ନେଇ ଭାଇଭଉଣୀ ଉଭୟେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ତୋଦୟ ଯୋଜନାରେ ଯେଉଁ ୩୫ କିଲୋ ଚାଉଳ ମିଳୁଛି ତାହାହିଁ ଏକମାତ୍ର ଭରସା । ବବଲୁ ବହୁ କଷ୍ଟେ ମଷ୍ଟେ ଦଶମ ଶ୍ରେଣୀ ଯାଏଁ ଶିକ୍ଷା ଅଧ୍ୟୟନ କରିଥିବା ବେଳେ ଆଗକୁ ଶିକ୍ଷା ଅଧ୍ୟୟନ ପାଇଁ ଆଗ୍ରହୀ ଥିଲେ ମଧ୍ୟ ଅର୍ଥ ଅଭାବରୁ ଆଗକୁ ସେ ପଢ଼ି ପାରୁନାହିଁ । ସମ୍ପ୍ରତି କହିଲେ କେବଳ ବରଡ଼ା ଛପର ଘର ଖଣ୍ଡିଏ । ସରକାରଙ୍କ ଆବାସ ଯୋଜନାରୁ ଏହି ଦୁଇ ଭାଇ ଭଉଣୀ ବଞ୍ଚିତ ରହିଛନ୍ତି । ଏଥିପ୍ରତି ସରକାର ଓ ପ୍ରଶାସନ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ପକ୍କାଘର ଖଣ୍ଡେ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।