ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ(ବି) ପଞ୍ଚାୟତର ଡେଙ୍ଗାବାହାଳି ଗ୍ରାମରେ ଦୁଇଭାଇଙ୍କ କରୋନାରେ ମୃତ୍ୟୁ ପରେ ସେମାନଙ୍କ ପରିବାର ଏବେ ଅସହାୟ ହୋଇପଡିଛନ୍ତି ପରିବାର । ସ୍ୱର୍ଗତ ରାଧୁ ସାହୁଙ୍କ ଦୁଇପୁତ୍ର କୁନା (୪୫) ଟୁନା (୩୮) । କୁନାଙ୍କ ପତ୍ନୀ ବୁନ୍ଧୁ ଓ ଦୁଇଝିଅ । ଟୁନାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଓ ଗୋଟିଏ ପୁଅ ଓ ଗୋଟିଏ ଝିଅ ।
ଦୁଇ ଭାଇଙ୍କ ଜଣେ ଅବିବାହିତ ଭଉଣୀ କୁମୁଦିନୀ (୪୫) ମଧ୍ୟ ଅଛନ୍ତି । ରାଧୁ ସାହୁ ୫ ବର୍ଷ ପୂର୍ବେ ଆରପାରିକୁ ଚାଲିଯିବା ପରେ ଦୁଇଭାଇ କାଠମିସ୍ତ୍ରୀ ଭାବେ କାମକରି ପରିବାର ପ୍ରତିପୋଷଣ କରୁଥିଲେ । ତେବେ କିଛି ଦିନ ତଳେ ଦୁଇ ଭାଇ କରୋନାରେ ଆକ୍ରାନ୍ତ ହୋଇ ଚାଲିଯିବା ପରେ ଏବେ ସେମାନଙ୍କ ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି ।
ବଡ଼ଭାଇ କୁନା କରୋନାରେ ଆକ୍ରାନ୍ତ ହୋଇ ଗତ ୧୭ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତେବେ ଗତ ୪ ଦିନ ତଳେ ସାନଭାଇ କରୋନାରେ ଆକ୍ରାନ୍ତ ହୋଇ ଘରେ ସଂଗରୋଧରେ ଥିଲୋ ତାଙ୍କ ଦେହ ଅତ୍ୟନ୍ତ ଖରାପ ହେବାରୁ କାମାକ୍ଷାନଗର ମେଡିକାଲକୁ ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁଇ ରୋଜଗାରିଆ ପୁଅ ଚାଲିଯିବା ପରେ ପରିବାର ଏବେ ପୁରୁଷ ଶୂନ୍ୟ ହୋଇଯାଇଛି । ପରିବାର ପ୍ରତିପୋଷଣ ସହ କୁନି କୁନି ପିଲାଙ୍କ ଭବିଷ୍ୟତ ଚିନ୍ତାରେ ପୁରା ପରିବାର । ଦୀର୍ଘ ଦିନ ହେବ ଭଉଣୀ ଅବିବାହିତ ଅବସ୍ଥାରେ ଥିବା ବେଳେ ସରକାରଙ୍କ ତରଫରୁ ଭତ୍ତା ବି ମିଳୁନି ।
ସରକାରଙ୍କ ତରଫରୁ ସହାୟତା ଦେବା ଦୂରର କଥା ଆଶ୍ୱାସନା ଦେବା ପାଇଁ କେହି ପହଞ୍ଚି ନଥିବା ଭଉଣୀ କୁୁମୁଦିନୀ ଦୁଃଖର ସହ ପ୍ରକାଶ କେରିଛନ୍ତି । ଏହି ଶ୍ରମିକ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଗ୍ରାମବାସୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।