33.1 C
Bhubaneswar
Monday, May 20, 2024
Homeଓଡିଶାବଡଦାଣ୍ଡରେ ଏକାଠି ହେଲେ ଭକ୍ତ ଓ ଭଗବାନ

ବଡଦାଣ୍ଡରେ ଏକାଠି ହେଲେ ଭକ୍ତ ଓ ଭଗବାନ

ପୁରୀ: ଆଜି ଆଷାଢ଼ ଶୁକ୍ଲ ପକ୍ଷ ଦ୍ବିତୀୟା ତିଥିରେ ବଡ଼ଦାଣ୍ଡରେ ଭଗବାନ-ଭକ୍ତ-ରଥ-ପଥର ମହାମିଳନ ପର୍ବ ଅନୁଷ୍ଠିତ ହେବ। ଆରମ୍ଭ ହେବ, ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା। ବଡ଼ଦାଣ୍ଡରେ ହଜାର ହଜାର ଉତ୍କଣ୍ଠିତ ଭକ୍ତ । ଭଜନ କୀର୍ତ୍ତନରେ କମ୍ପୁଛି ରଥ-ପଥ । ସିଂହଦ୍ୱାରେ ଅପେକ୍ଷାରତ ରଥତ୍ରୟ । ସବୁରି ପ୍ରତୀକ୍ଷା ସେହି ଦିବ୍ୟ କ୍ଷଣକୁ । ରଥାରୁଢ ହେବେ ଶ୍ରୀଜିଉ । ପବିତ୍ର ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଗଡ଼ିବ ରଥ । ସେବକ ଓ ପ୍ରଶାସକଙ୍କ ଆଖିରୁ ନିଦ ହଜିଯାଇଛି । କିପରି ଶୃଙ୍ଖଳିତ ହେବ ମହାପ୍ରଭୁଙ୍କ ରଥଯାତ୍ରା । ଠାକୁରଙ୍କ ନୀତିକାନ୍ତି ଠାରୁ ଭକ୍ତଙ୍କ ଦର୍ଶନ ସୁବିଧା କେଉଁଥିରେ ଉଣା ନ କରିବାକୁ ଚାଲିଛି ପ୍ରସ୍ତୁତି ।
ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ବଜ ରଥ ସିଂହଦ୍ବାର ଚକଡ଼ାରେ ବିଜେ କରିଛନ୍ତି। ଟିକିଏ ସ୍ପର୍ଶ ପାଇଁ ଅପେକ୍ଷା କରିଛନ୍ତି ବ୍ରହ୍ମାଣ୍ଡ କର୍ତାଙ୍କୁ। ଦେବତା ହୋଇଯିବେ ତିନି ରଥ। ଭାଇଭଉଣୀଙ୍କ ସହିତ ଭଗବାନ ଶ୍ରୀଜଗନ୍ନାଥ ଘୋଷଯାତ୍ରାରେ ବାହାରିବେ। ଏଥର ମଧ୍ୟ ଆଖି ଝଲସା ଫୁଲରେ ସୁସଜ୍ଜିତ ହୋଇଛି ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଚଳଚଞ୍ଚଳ ହୋଇଉଠିଛି ପୁଣ୍ୟଭୂମି ଶ୍ରୀକ୍ଷେତ୍ର।
ଜଗାର ଘୋଷଯାତ୍ରା ଦେଖିବା ପାଇଁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ଆସିଛନ୍ତି । କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେବାକୁ ଧାଇଁ ଆସିଛନ୍ତି ଶହ ଶହ ଭକ୍ତ । ଆଉ ଶ୍ରୀକ୍ଷେତ୍ର ବଡଦାଣ୍ଡରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଦିନ ୧୨ଟା ୩୦ରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଶ୍ରୀଶ୍ରୀ ମଦନମୋହନ, ଶ୍ରୀଶ୍ରୀ ରାମ ଓ ଶ୍ରୀଶ୍ରୀ କୃଷ୍ଣ ବିଜେ, ୧ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଚିତାଲାଗି, ବେଶ ଶେଷ ହେବ । ୨ଟା ୩୦ରୁ ୩ଟା ୩୦ ଯାଏଁ ଛେରାପହଁରା, ୩ଟାରୁ ୪ଟା ପର୍ଯ୍ୟନ୍ତ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲଗାଯିବ ଆଉ ଏହାପରେ ରଥଟଣା ଆରମ୍ଭ ହେବ ।ଟ୍ରାଫିକ ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ଭିଡକୁ ନିୟନ୍ତ୍ରଣ କରି ଶୃଙ୍ଖଳିତ ଦର୍ଶନ ସହ ସୁଚାରୁ ଭାବେ ରଥଯାତ୍ରା ସଂପନ୍ନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୮୦ ପ୍ଲାଟୁନ୍ ଫୋର୍ସ ସହିତ ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଓ ଜାହାଜ ମୁତୟନ ହୋଇଛି। ସିସିଟିଭି ଓ ଡ୍ରୋନ ଦ୍ୱାରା ପୂରା ସହର ଉପରେ ରଖାଯାଇଛି ନଜର। ଶ୍ରୀମନ୍ଦିର ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସମସ୍ତ ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ଡିଜିପି ସୁନୀଲ କୁମାର ବଂଶଲ । ସେହିପରି ଗୁଇନ୍ଦା ବିଭାଗ ମଧ୍ୟ ରଥଯାତ୍ରା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇଛି । ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ତଟରକ୍ଷୀ ବାହିନୀ, ଦମକଳ ବାହିନୀ, ଏନଡିଆରଏଫର ଯବାନମାନେ ମୁତୟନ ହୋଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking