ବେଙ୍ଗାଲୁର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଜନତା ଦଳ ସେକ୍ୟୁଲାର୍ (ଜେଡିଏସ୍) ପକ୍ଷରୁ ଶୁକ୍ରବାର ୫୦ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ାଙ୍କ ବୋହୂ ଭବାନୀ ରେଭାନ୍ନାଙ୍କ ନାମ ନାହିଁ । ସମ୍ମାନଜନକ ହାସନ ଆସନରୁ ଏଚ୍ପି ସ୍ୱରୂପଙ୍କୁ ପାର୍ଟି ପ୍ରାର୍ଥୀ କରିଛି । ସ୍ୱରୂପ ହାସନ ଜିଲ୍ଲା ପଞ୍ଚାୟର ପୂର୍ବତନ ଉପସଭାପତି ଏବଂ ପୂର୍ବତନ ବିଧାୟକ ଏଚ୍ଏସ୍ ପ୍ରକାଶଙ୍କ ପୁତ୍ର ।
ଏହି ଆସନରୁ ଭବାନୀଙ୍କୁ ପ୍ରମୁଖ ଦାବିଦାର ଭାବେ ଦେଖାଯାଉଥିଲା । ତାଲିକା ପ୍ରକାଶ କରି ପାର୍ଟି ମୁଖ୍ୟ ଏଚ୍ଡି କୁମାରସ୍ୱାମୀ କହିଛନ୍ତି, ହାସନ ଆସନକୁ ନେଇ ପରିବାରରେ କୌଣସି ଅସନ୍ତୋଷ ନାହିଁ । ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି କୁମାରସ୍ୱାମୀଙ୍କ ବଡ଼ଭାଇ ଏଚ୍ଡି ରେଭାନ୍ନା (ହୋଲେନାରସିପୁରା), କେଏସ୍ ଲିଙ୍ଗେଶ (ବେଲୁର), ଏଚ୍କେ କୁମାରସ୍ୱାମୀ (ସାକ୍ଲେଶପୁର) ଏବଂ ସିଏନ୍ ବାଲାକ୍ରିଷ୍ଣା (ଶ୍ରଭାନବେଲାଗୋଲା) । ୱାଇଏସ୍ଭି ଦତ୍ତାଙ୍କୁ କାଦୁର ଆସନରୁ ପାର୍ଟି ପ୍ରାର୍ଥୀ କରିଛି । ନିକଟରେ ପାର୍ଟିରେ ଯୋଗଦେଇଥିବା ପୂର୍ବତନ ମନ୍ତ୍ରୀ ଏ. ମଞ୍ଜୁଙ୍କୁ ଅରାକାଲାଗୁଡ଼ାରୁ, ପୂର୍ବତନ ସିଭିଲ୍ ଜଜ୍ ସୁଭାଷ ଚନ୍ଦ୍ର ରାଠୋରଙ୍କୁ ଚିତ୍ତାପୁର ଆସନ ପାଇଁ ଟିକେଟ୍ ମିଳିଛି ।