28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶହାଇକୋର୍ଟଙ୍କ ଅନୁମତି ସତ୍ତ୍ୱେ ସନ୍ଦେଶଖାଲି ଯିବାକୁ ଦେଲାନି ପୁଲିସ୍‌; ଧାରଣାରେ ବସିଲେ ଶୁଭେନ୍ଦୁ ଅଧିକାରୀ

ହାଇକୋର୍ଟଙ୍କ ଅନୁମତି ସତ୍ତ୍ୱେ ସନ୍ଦେଶଖାଲି ଯିବାକୁ ଦେଲାନି ପୁଲିସ୍‌; ଧାରଣାରେ ବସିଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା: ପଶ୍ଚିମବଙ୍ଗ ସନ୍ଦେଶଖାଲି ଅଞ୍ଚଳରେ ଦେଖାଦେଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଏଠାକୁ ଯିବା ପାଇଁ ଆଜି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏବଂ ଶଙ୍କର ଘୋଷ୍ ଚେଷ୍ଟା କରିଥିବା ବେଳେ ସେମାନଙ୍କୁ ପୁନର୍ବାର ଅଟକାଇ ଦିଆଯାଇଛି । ଫଳରେ ଉଭୟ ସେହିଠାରେ ହିଁ ଧାରଣାରେ ବସିରହିବା ଦେଖିବାକୁ ମିଳିଛି । ଦିନକ ପୂର୍ବେ ରାଜ୍ୟ ହାଇକୋର୍ଟ ଶୁଭେନ୍ଦୁ ଅଧିକାରୀ ଏବଂ ସିଲିଗୁଡି ବିଧାୟକ ଶଙ୍କର ଘୋଷଙ୍କୁ ଘଟଣାସ୍ଥଳକୁ ଯିବାକୁ ଅନୁମତି ପ୍ରଦାନ କରିଥିଲେ ମଧ୍ୟ ଆଜି ତାଙ୍କୁ ପୁଲିସ୍ ପ୍ରଶାସନ ଅଟକାଇଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପୁଲିସ୍ ଜାଣିଶୁୂଣି ତାଙ୍କୁ ସେଠାକୁ ଯିବାରେ ବାଧକ ସାଜୁଥିବା ଶୁଭେନ୍ଦୁ ଅଭିଯୋଗ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ପୁଲିସ୍ ତାଙ୍କୁ ଅଟକାଇବାର କୌଣସି କାରଣ ନାହିଁ ବୋଲି ଶୁଭେନ୍ଦୁ କହିଛନ୍ତି । ତେବେ ପୁଲିସ୍ ଆଜି ଉଭୟ ନେତାଙ୍କୁ ଯେଉଁଠାରେ ଅଟକାଇଥିଲା ସେଠାରେ ସେମାନେ ପ୍ରାୟ ଘଣ୍ଟାଧିକ କାଳ ବସିରହିବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ପୁଲିସ୍‌ର ଏପ୍ରକାର ଆଚରଣ ସାମ୍ବିଧାନିକ ଉଲ୍ଲଂଘନ ବୋଲି ଶୁଭେନ୍ଦୁ କହିଛନ୍ତି ।

ସୂଚନାଯୋଗ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସନ୍ଦେଶଖାଲିରେ ପୁନର୍ବାର ଧାରା ୧୪୪ ଲାଗୁ କରିଦିଆଯାଇଛି । କିଛି ଦିନ ପୂର୍ବେ ବିଜେପିର ଅନେକ ନେତା ସନ୍ଦେଶଖାଲି ଅଞ୍ଚଳକୁ ଯିବାକୁ ଚେଷ୍ଟା କରିଥିବା ବେଳେ ପୁଲିସ୍ ସହ ସେମାନଙ୍କର ହାତାହାତି ପରିସ୍ଥିତି ଉତ୍ପନ୍ନ ହୋଇଥିଲା । ପୁଲିସ୍ ସେମାନଙ୍କୁ ଅଟକାଇବା ବେଳେ କିଛି ବିଜେପି ନେତା ଗୁରୁତର ଆହତ ମଧ୍ୟ ହୋଇଥିଲେ । ଅନ୍ୟପକ୍ଷେ ଗତକାଲି ମହିଳା କମିଶନ ଅଧ୍ୟକ୍ଷା (ଏନ୍‌ସିଡବ୍ଲ୍ୟୁ) ରେଖା ଶର୍ମା ସନ୍ଦେଶଖାଲି ଅଞ୍ଚଳ ପରିଦର୍ଶନ କରି ଫେରିବା ପରେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପାଇଁ ସୁପାରିଶ କରିଥିଲେ । ଏହାପୂର୍ବରୁ ଜାତୀୟ ଅନୁସୂଚୀତ ଜାତି ଆୟୋଗ (ଏନ୍‌ସିଏସ୍‌ସି) ପକ୍ଷରୁ ମଧ୍ୟ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ନେଇ ସୁପାରିଶ୍ କରାଯାଇଥିଲା । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ହାଇକୋର୍ଟ ଗତକାଲି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏବଂ ଶଙ୍କର ଘୋଷଙ୍କୁ ସନ୍ଦେଶଖାଲି ଯିବାକୁ ଏବଂ ସେଠାରେ ସ୍ଥିତି ଅନୁଧ୍ୟାନ କରିବାକୁ ଅନୁମତି ପ୍ରଦାନ କରିଥିଲେ । ହାଇକୋର୍ଟ ସନ୍ଦେଶଖାଲି ଘଟଣାରେ ସମ୍ପୃକ୍ତ ଥିବା ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଶାହାଜହାନ୍‌ଙ୍କ ବିରୋଧରେ ରାଜ୍ୟ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking