24.1 C
Bhubaneswar
Thursday, January 16, 2025
Homeଓଡିଶାଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ୍ ନେଇ ବିଭାଗୀୟ ତନାଘନା: ସ୍ୱୀକୃତି ନଥିବା ସ୍କୁଲ୍ ସମ୍ପର୍କରେ ରିପୋର୍ଟ...

ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ୍ ନେଇ ବିଭାଗୀୟ ତନାଘନା: ସ୍ୱୀକୃତି ନଥିବା ସ୍କୁଲ୍ ସମ୍ପର୍କରେ ରିପୋର୍ଟ ଦିଅ

ଭୁବନେଶ୍ୱର: ରାଜ୍ୟରେ ସ୍ୱୀକୃତି ପାଇନଥିବା ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ ବନ୍ଦହେବ । ଏଥିଲାଗି ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଯେଉଁ ସବୁ ସ୍କୁଲକୁ ସ୍ୱୀକୃତି ପ୍ରଦାନ କରାଯାଇନାହିଁ, ସମ୍ପୃକ୍ତ ସ୍କୁଲର ତାଲିକା ଆସନ୍ତା ଜାନୁଆରୀ ୩୧ତାରିଖ ସୁଦ୍ଧା କରାଯିବ । ଇତିମଧ୍ୟରେ କେତେ ସ୍କୁଲ ସ୍ୱୀକୃତି ପାଇନାହାନ୍ତି ସେ ସବୁର ଏକ ତାଲିକା ପ୍ରସ୍ତୁତ କରିବାକୁ ସବୁ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷା ଅଧିକାର ଆଇନ-୨୦୦୯ ଅନୁଯାୟୀ ଘରୋଇ ସ୍କୁଲରେ ଶିକ୍ଷାଦାନ ବ୍ୟବସ୍ଥା, ଭିତ୍ତିଭୂମି, ରୋଷେଇଘର, ଖେଳପଡିଆ, ଅଭିଜ୍ଞ ଶିକ୍ଷକ ଆଦି ଶୈକ୍ଷିକ ପରିବେଶ ସମ୍ପର୍କରେ ଯାଞ୍ଚ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯିବ । ପ୍ରକାଶ ଥାଉକି, ଘରୋଇ ସ୍କୁଲକୁ ଏନ୍‌ଓସି ପ୍ରଦାନ ବ୍ୟବସ୍ଥାକୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି । କେଉଁଠି ସ୍କୁଲ ବିନା ଏନ୍‌ଓସିରେ ଚାଲିଛି ତ କେଉଁଠି ସରକାର କିଛି ସ୍କୁଲକୁ ଏନ୍‌ଓସି ପ୍ରଦାନରେ ବିଳମ୍ବ କରୁଥିବା ଅଭିଯୋଗ ହେଉଛି । ତେବେ ପୂର୍ବରୁ ଏନ୍‌ଓସି ବ୍ୟବସ୍ଥାକୁ ନେଇ ସରକାର କୌଣସି ସ୍ଥାୟୀ ବ୍ୟବସ୍ଥା କରିନଥିବାବେଳେ ଘରୋଇ ସ୍କୁଲକୁ ସୁହାଇବା ଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

ଏନ୍‌ଓସି ବ୍ୟବସ୍ଥାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ରାଜଧାନୀର ପ୍ରମୁଖ ଘରୋଇ ସ୍କୁଲରେ ପିଲାଙ୍କୁ ଶିକ୍ଷାଦାନ ବ୍ୟବସ୍ଥା ଏବଂ ଶୈଖିକ ବ୍ୟବସ୍ଥାର ତଦାରଖ କରାଯାଉଥିବା ବେଳେ ଘରୋଇ ସ୍କୁଲର ସମସ୍ତ ତଥ୍ୟକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ପୂର୍ବରୁ ଅନେକ ସ୍କୁଲର ସ୍ୱୀକୃତି ନଥାଇ ପାଠପଢ଼ା ହୋଇଥିବା ଜଣାପଡ଼ିଥିଲା । ପିଲାଙ୍କ ଭବିଷ୍ୟତକୁ ନଜର ଦେଇ ସ୍ୱୀକୃତି ଏବଂ ମୌଳିକ ସୁବିଧା ନଥିବା ଘରୋଇ ସ୍କୁଲ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୫ବର୍ଷ ମଧ୍ୟରେ କେଉଁ ଘରୋଇ ସ୍କୁଲ କେତେ ଟଙ୍କା ଆଦାୟ କରିଛି ଏବଂ କେତେ ଟଙ୍କା ବୃଦ୍ଧି କରିଛି ସେ ସବୁର ତଦାରଖ ମଧ୍ୟ କରାଯିବ ।

ଏହାବ୍ୟତୀତ କେଉଁ ଘରୋଇ ସ୍କୁଲକୁ କେତେ ଜମି ପ୍ରଦାନ କରାଯାଇଛି ଏବଂ ସ୍କୁଲରେ ପିଲାଙ୍କ ଲାଗି ଅବଶ୍ୟକ ସୁବିଧା ଯଥା, ପାଠାଗାର, ଖାଇବା ବ୍ୟବସ୍ଥା, ସାଇକେଲ ଷ୍ଟାଣ୍ଡ, ଖେଳପଡ଼ିଆ, ପାଚେରୀ ରହିଛି କି ନାହିଁ ତାହା ମଧ୍ୟ ଅଧିକାରୀମାନେ ପରିଦର୍ଶନ କରି ଯାଞ୍ଚ କରିବେ । ସ୍ୱୀକୃତି ଥାଇ ଯଦି ଏହି ସବୁ ନିୟମକୁ ଯେଉଁ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଅବମାନନା କରୁଥିବା ଜଣାପଡ଼ନ୍ତି; ତେବେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ କରୋନା ପରେ କିଛି ଘରୋଇ ସ୍କୁଲ ବାହାରୁ ସ୍ୱୀକୃତି ଆଣି ନାମଲେଖାଇଥିବା ଅଭିଯୋଗ ହେବା ପରେ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଗଣଶିକ୍ଷା ବିଭାଗ ପକ୍ଷରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking