13.1 C
Bhubaneswar
Sunday, January 18, 2026
Homeଦେଶ ବିଦେଶଜୋର ଧରୁଛି ଔରଙ୍ଗଜେବ ସମାଧିସ୍ଥଳ ହଟାଇବା ଦାବି

ଜୋର ଧରୁଛି ଔରଙ୍ଗଜେବ ସମାଧିସ୍ଥଳ ହଟାଇବା ଦାବି

ନାଗପୁର: ଔରଙ୍ଗଜେବଙ୍କ ସମାଧିସ୍ଥଳକୁ ହଟାଇବା ଦାବିରେ ମହାରାଷ୍ଟ୍ରର ନାଗପୁରରେ ଚାଲିଥିବା ପ୍ରତିବାଦ ହିଂସକ ରୂପ ଧାରଣ କରିଛି। ସୋମବାର (୧୭ ମାର୍ଚ୍ଚ, ୨୦୨୫) ଏହାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ ସମ୍ପ୍ରଦାୟର ଲୋକେ ପ୍ରତିପକ୍ଷ ସମ୍ପ୍ରଦାୟର ଲୋକଙ୍କ ସମ୍ପତ୍ତି ଆଦି ପୋଡାଜଳା କରିଛନ୍ତି। ଅନେକ ଗାଡ଼ି ପୋଡ଼ି ଦିଆଯାଇଥିବା ବେଳେ ପରସ୍ପର ଉପରକୁ ପଥର ମାଡ଼ ମଧ୍ୟ ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଟିମ୍ ଦଙ୍ଗାକାରୀଙ୍କ ଉପରେ ଲୁହ ବୁହା ଗ୍ୟାସ୍ ମାଡ଼ କରିଛି। ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି।

ଔରଙ୍ଗଜେବଙ୍କ ସମାଧିସ୍ଥଳକୁ ହଟାଇବା ଦାବି କରି ଦକ୍ଷିଣପନ୍ଥୀ ସଂଗଠନଗୁଡ଼ିକ ଦ୍ୱାରା ପ୍ରଦର୍ଶନ କରାଯାଉଥିଲା। ତେବେ ସୋମବାର ଏହାକୁ ନେଇ ଦୁଇଟି ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଯାହା ଶୀଘ୍ର ହିଂସାରେ ପରିଣତ ହୋଇଥିଲା। ଇସଲାମ୍ ଧର୍ମାବଲମ୍ବୀଙ୍କ ଅଭିଯୋଗ ଅନୁସାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ଏବଂ ବଜରଙ୍ଗ ଦଳ ପକ୍ଷରୁ ଔରଙ୍ଗଜେବ୍ ସମାଧିସ୍ଥଳ ହଟାଯିବାକୁ ନେଇ ଚାଲିଥିବା ପ୍ରତିବାଦ ସମୟରେ ଇସଲାମ୍ ଧର୍ମ ପବିତ୍ର ଗ୍ରନ୍ଥ କୁରାନ୍‌ର କିଛି ଲେଖାଥିବା (କଲ୍‌ମା) ଏକ ପୋଷାକକୁ ଉଦ୍ଦେଶ୍ୟମୂଳକ ଭାବେ ପୋଡାଯାଇଛି। ଏହାକୁ କେନ୍ଦ୍ର କରି ସେମାନେ, ପ୍ରତିବାଦକାରୀଙ୍କୁ ପଚରାଉଚୁରା କରିବାରୁ ବିବାଦ ସୃଷ୍ଟି ହୋଇଥିଲା। ତେବେ ପରିସ୍ଥିତିର ସୁଯୋଗ ନେଇ କିଛି ଅସାମାଜିକ ଲୋକ ପ୍ରତିପକ୍ଷଙ୍କ ଗାଡ଼ିଗୁଡ଼ିକରେ ନିଆଁ ଲଗାଇଦେଇଥିଲେ ଏବଂ ପଥର ଫିଙ୍ଗା ଆରମ୍ଭ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ପରିସ୍ଥିତି ଶୀଘ୍ର ନିୟନ୍ତ୍ରଣ ବାହାରକୁ ଚାଲିଗଲା ଏବଂ ସମଗ୍ର ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହେଲା।

ଏସବୁ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ନାଗପୁରର ନାଗରିକମାନଙ୍କୁ ଗୁଜବରେ ଧ୍ୟାନ ନଦେବା ଏବଂ ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଏହି ଘଟଣାରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନକୁ ଦାବି କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି। ହିଂସାର ତୀବ୍ରତାକୁ ଦୃଷ୍ଟିରେ ରଖି, ଗୁଜବ ଯେପରି ନ ବ୍ୟାପିବ, ସେଥିପାଇଁ ପ୍ରଶାସନ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ମଧ୍ୟ ବିଚାର କରୁଛି। ଅନ୍ୟପକ୍ଷେ ଡେପୁଟି କମିଶନର ଅଫ୍ ପୋଲିସ (ଡିସିପି) ଅର୍ଚ୍ଚିତ ଚଣ୍ଡକ୍ କହିଛନ୍ତି ଯେ କିଛି ଭୁଲ ବୁଝାମଣା ଯୋଗୁଁ ଏହି ଘଟଣା ଘଟିଛି ଏବଂ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି। ତେବେ ବର୍ତ୍ତମାନ ସମୟରେ ସ୍ଥାନୀୟ ଲୋକଙ୍କୁ ଘରୁ ବାହାରକୁ ନ ଆସିବା ଏବଂ ପଥର ଫିଙ୍ଗାଳିରେ ଅଂଶଗ୍ରହଣ ନ କରିବାକୁ ନିବେଦନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking