ଭୁବନେଶ୍ୱର: ଆଜି କଂଗ୍ରେସ ଭବନଠାରେ ଇଣ୍ଡିଆ ବ୍ଲକ୍ର ବିଭିନ୍ନ ଦଳ—କଂଗ୍ରେସ, ସିପିଆଇ(ଏମ୍), ସିପିଆଇ, ସିପିଆଇ(ଏମ୍ଏଲ୍) ଲିବରେସନ, ଫରୱାର୍ଡ ବ୍ଲକ୍, ଏନ୍ସିପି ଓ ଏସ ପି ର ରାଜ୍ୟ ନେତୃବୃନ୍ଦ ଏକତ୍ରିତ ହୋଇ ରାଜ୍ୟର ସାମ୍ପ୍ରତିକ ଜନସମସ୍ୟା ଓ ବିଜେପି ସରକାରର ଜନବିରୋଧୀ ନୀତି ଉପରେ ଆଲୋଚନା କରିଛନ୍ତି ।
🔴 ଓଡ଼ିଶାର ସ୍ୱାର୍ଥ ବିରୋଧୀ ଏମ୍ ଏମ୍ ଡି ଆର୍ ବିଲ୍–୨୦୨୬କୁ ତୀବ୍ର ବିରୋଧ ବିରୋଧ କରି ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ବିଲ୍ଟି ଆଇନରେ ପରିଣତ ହେଲେ ରାଜ୍ୟର ଖଣିଜ ସମ୍ପଦ, ରାଜସ୍ୱ ଅଧିକାର ଓ ସଂଘୀୟ ଅଧିକାର ଉପରେ ଗଭୀର ପ୍ରଭାବ ପକାଇବ ବୋଲି ଦଳମାନେ ମତ ପ୍ରକାଶ କରିଛନ୍ତି। ଏହି ଆଇନ ଦ୍ବାରା ଓଡ଼ିଶା ଆର୍ଥିକ ଭାବରେ ଏକ ବିପର୍ଯ୍ୟସ୍ତ ଅଵସ୍ଥାକୁ ସମ୍ମୁଖୀନ ହେବେ, କର୍ପୋରେଟ ଲୁଣ୍ଠନ ଵୃଦ୍ଧି ପାଇବ ଏବଂ ଆଦିବାସୀ ଜନଜାତି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ। ବିଜେପିର ସାଂସଦମାନେ ସଂସଦରେ ଏହି ବିଲ୍ କୁ ସମର୍ଥନ କରି ରାଜ୍ୟବାସୀଙ୍କୁ ବିଶ୍ୱାସଘାତକତା କରିଛନ୍ତି ବୋଲି କୁହାଯାଇଛି। ବିଲ୍କୁ ରାଷ୍ଟ୍ରପତି ମହୋଦୟା ସମ୍ମତି ନ ଦେବା ପାଇଁ ମାନନୀୟା ରାଷ୍ଟ୍ରପତିଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ସ୍ମାରକପତ୍ର ପ୍ରଦାନ କରାଯିବ।
🔴 ପ୍ରାଥମିକ ଶିକ୍ଷାର ପାଠ୍ୟପୁସ୍ତକରେ ଘଟିଥିବା ଗୁରୁତର ଓ ଅକ୍ଷମଣୀୟ ତ୍ରୁଟି ପାଇଁ ବୈଠକରେ ଦାୟିତ୍ୱ ନିର୍ଦ୍ଧାରଣ ଓ ତୁରନ୍ତ ସଂଶୋଧନ ଦାବି କରାଯାଇଛି। ଏହି ଘଟଣା ପାଇଁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇଛି। ଶିକ୍ଷକ ମାନଙ୍କ ଦାବିକୁ ସମର୍ଥନ କରି କୁହାଯାଇଛି, ସେମାନେ ଶହଶହ ସଂଖ୍ୟାରେ ବର୍ଷାରେ ଭିଜି ଭିଜି ଧାରଣା ଦେଉଥିବା ବେଳେ ସରକାର ନିଦାବିଷ୍ଣୁ ସାଜିବାକୁ ନିନ୍ଦା କରାଯାଇଛି।
ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସରକାର ଘୋଷଣା କରିଥିବା ରିଲିଫ୍ ପ୍ୟାକେଜ୍କୁ ଦଳମାନେ ସମୁଦ୍ରକୁ ଶଙ୍ଖ ପାଣି ବୋଲି କହିଛନ୍ତି। ପ୍ରତି ଏକର ଚାଷରେ କ୍ଷତି ସର୍ବନିମ୍ନ ୨୫, ୦୦୦ଟଙ୍କା ରୁ ଅଧିକ ହୋଇଥିବାବେଳେ ସରକାର ଏକର ପିଛା ୧,୦୦୦ରୁ କମ୍ ସହାୟତା ଘୋଷଣା କରିବା ବିପନ୍ନ ଚାଷୀଙ୍କ କ୍ଷତ ଉପରେ ଆଘାତ ସଦୃଶ ଏବଂ ନିର୍ମମ ଉପହାସ ବୋଲି ଦଳମାନେ କହିଛନ୍ତି। ପ୍ରକୃତ କ୍ଷୟକ୍ଷତିର ଆକଳନ କରି ଚାଷୀ ଓ ବନ୍ୟା ବିପନ୍ନଙ୍କୁ ଯଥୋଚିତ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି।
🔴ବୈଠକରେ ଓଡ଼ିଶାରେ ବିଜେପି ସରକାରର ଜନବିରୋଧୀ ଶାସନ, ବେକାରୀ, ମୂଲ୍ୟବୃଦ୍ଧି, କୃଷକ ଓ ଶ୍ରମିକଙ୍କ ସମସ୍ୟା, ଶିକ୍ଷା-ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷାର ଅବ୍ୟବସ୍ଥା ସମେତ ବିଭିନ୍ନ ଜନସମସ୍ୟା ଉପରେ ଆଲୋଚନା ହୋଇଛି। ଏହି ସମସ୍ୟାଗୁଡ଼ିକୁ ନେଇ ଓଡ଼ିଶାବ୍ୟାପୀ ଐକ୍ୟବଦ୍ଧ ଗଣଆନ୍ଦୋଳନ ଗଢ଼ି ତୋଳିବାକୁ ଦଳମାନେ ସଂକଳ୍ପ ନେଇଛନ୍ତି।
🔴୨୦ ଅଗଷ୍ଟ ପରେ ବିଭିନ୍ନ ଇଣ୍ଡିଆ ବ୍ଲକ୍ର ଦଳମାନେ ପୁନର୍ବାର ଆଲୋଚନା କରି ମିଳିତ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିବେ। ଲୋକଙ୍କ ମୁଖ୍ୟ ସମସ୍ୟାକୁ କେନ୍ଦ୍ର କରି ଧାରାବାହିକ ପ୍ରଚାର ଓ ଆନ୍ଦୋଳନ କରାଯିବ। ଲୋକଙ୍କ ନ୍ୟାୟସଙ୍ଗତ ଦାବି ଓ ଅଧିକାର ପାଇଁ ସମସ୍ତ ବିଜେପିର ନିତୀ ବିରୋଧରେ ଥିବା ସମସ୍ତ ବିରୋଧୀ ଦଳ, ଗଣତାନ୍ତ୍ରିକ ଶକ୍ତି, ସାମାଜିକ ସଂଗଠନ, କୃଷକ, ଶ୍ରମିକ, ଯୁବ, ଛାତ୍ର ଓ ମହିଳାମାନେ ଏକତ୍ରିତ ହୋଇ ଆଗେଇ ଆସିବାକୁ ବୈଠକରେ ଆହ୍ୱାନ କରାଯାଇଛି।
🔴ବୈଠକରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ସିପିଆଇ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଏନ୍ସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ ଓ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ପ୍ରତାପ ବାରିକଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ସନ୍ତୋଷ ସିଂ ସାଲୁଜା, ଅରବିନ୍ଦ ଦାସ, ଯମେଶ୍ୱର ସାମନ୍ତରାୟ, ଜୟନ୍ତ ଦାସ, ବଦ୍ରୀ ନାରାୟଣ ଦାଶ ଏବଂ ମହେନ୍ଦ୍ର ପରିଡ଼ା ପ୍ରମୁଖ ବିଭିନ୍ନ ଦଳର ନେତାମାନେ ଯୋଗଦେଇଥିଲେ।










