25.1 C
Bhubaneswar
Wednesday, April 16, 2025
Homeଆଇପିଏଲ୍‌-୨୦୨୩ଆଇପିଏଲ୍‌: ଗୁଜୁରାଟକୁ ୫ ରନ୍‌ରେ ହରାଇଲା ଦିଲ୍ଲୀ

ଆଇପିଏଲ୍‌: ଗୁଜୁରାଟକୁ ୫ ରନ୍‌ରେ ହରାଇଲା ଦିଲ୍ଲୀ

ଅହମଦାବାଦ: ଏକା ଲଢିଲେ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା । ଶେଷରେ ଦେଖିବାକୁ ମିଳିଲା ରାହୁଲ ତେୱାତିୟାଙ୍କ ହ୍ୟାଟ୍ରିକ୍ ଛକା । କିନ୍ତୁ ଲୋ ସ୍କୋରିଂ ମୁକାବିଲାରେ ରୋମାଞ୍ଚକର ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଓପନର୍ ଓ ମିଡିଲ ଅର୍ଡର ବ୍ୟାଟରଙ୍କ ବିଫଳତା ସତ୍ତ୍ୱେ ଏକାକି ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା । ଶେଷରେ ରାହୁଲ ତେୱାତିୟାଙ୍କ ବିସ୍ଫୋରକ ବ୍ୟାଟିଂ ବେକାର୍ ଯାଇଛି । ଟେବୁଲର ଶୀର୍ଷରେ ଥିବା ଗୁଜରାଟ ଟାଇଟନ୍ସକୁ ୫ ରନରେ ପରାସ୍ତ କରିଛି ନିମ୍ନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ । ଗୁଜରାଟ ଟାଇଟନ୍ସ ପକ୍ଷରୁ ଓପନର ରିଦ୍ଧିମାନ ଶାହ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବା ବେଳେ ଶୁବମାନ ଗିଲ ମାତ୍ର ୬ ରନ କରିବାକୁ ସକ୍ଷମ ହୋଇଥିଲେ ।

ବ୍ୟାଟିଂ ବିପର୍ଯ୍ୟୟ ମଧ୍ୟରେ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ଧୌର୍ଯ୍ୟର ସହ ବ୍ୟାଟିଂ କରି ଶେଷ ପର୍ଯ୍ୟନ୍ତ ନେଇଥିଲେ । ସେ ବ୍ୟକ୍ତିଗତ ଭାବେ ୫୩ ବଲ ଖେଳି ୭ ଚୌକା ସହାୟତାରେ ୫୯ ରନ୍ କରି ଅପରାଜିତ ଥିଲେ । ବିଜୟ ଶଙ୍କର ମାତ୍ର ୬ ରନ କରି ପ୍ୟାଭିଲିୟନ ଫେରିଥିବା ବେଳେ ଡେଭିଡ୍ ମିଲର ଖାତା ଖୋଲି ପାରିନଥିଲେ । ଅଭିନବ ମନୋହର ୨୬ ରନର ଉପଯୋଗୀ ଇନିଂସ ଖେଳିଥିଲେ । ରାହୁଲ ତେୱାତିୟା ୨୦ ରନ କରି ଆଉଟ ହୋଇଥିଲେ । ରାସିଦ ଖାନ ୩ ରନ କରି ଅପରାଜିତ ଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୁଲଦୀପ ଯାଦବ ୪ ଓଭରରେ ମାତ୍ର ୧୫ ରନ ଦେଇ ଗୋଟିଏ ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ୪ ଓଭରରେ ୨୪ ରନ, ଖଲିଲ ଅହମଦ ୪ ଓଭରରେ ୨୪ ରନ ୨ ୱିକେଟ୍‌, ଇଶାନ୍ତ ଶର୍ମା ୪ ଓଭରରେ ୨୩ ରନ ୨ ୱିକେଟ ଓ ଏନରିଚ୍ ନୋର୍କିୟା ୪ ଓଭରରେ ୩୮ ରନ ଦେଇ ଗୋଟିଏ ସଫଳତା ପାଇଛନ୍ତି ।

ଦିଲ୍ଲୀର ପାଳି ଆରମ୍ଭ କରିଥିଲେ ଫିଲିପ୍ ସଲ୍ଟ ଓ ଅଧିନାୟକ ଡେଭିଡ ୱାର୍ନର । ଉଭୟ ବ୍ୟାଟର ଶସ୍ତାରେ ଆଉଟ୍ ହୋଇଥିଲେ । ଫିଲିପ୍ ଖାତା ଖୋଲିପାରି ନଥିଲା ବେଳେ ୱାର୍ନର ମାତ୍ର ୨ ରନ୍ ସଂଗ୍ରହ କରି ପାଭଲିଅନ୍‌କୁ ଫେରି ଯାଇଥିଲେ । ଯୁବ ବ୍ୟାଟ୍‌ର ପ୍ରିୟମ୍ ଗର୍ଗ ୧୦ ରନ୍‌, ରିଲି ରୋସୁ ୮ ରନ୍ ଓ ମନୀଷ ପାଣ୍ଡେ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ । ଦିଲ୍ଲୀ ଟିମ୍‌କୁ ପାଳି ଆରମ୍ଭରୁ ଝଟକା ଲାଗିଥିବା ବେଳେ ସ୍କୋର ୨୩ ରନ୍ ବେଳକୁ ଆଗଧାଡ଼ିର ୫ ଜଣ ଖେଳାଳି ଆଉଟ୍ ହୋଇ ପାଭଲିଅନ୍ ଫେରିଥିଲେ । ଗୁଜରାଟ ଟାଇଟନ୍ସର ବୋଲର ମହମ୍ମଦ ସାମି ଭଲ ପ୍ରଦର୍ଶନ କରିଥିଲେ । ସେ ମୋଟ୍ ୪ ଓଭର ବୋଲିଂ କରିଥିଲେ । ମାତ୍ର ୧୧ ରନ୍ ଖର୍ଚ୍ଚ କରି ଦିଲ୍ଲୀର ୪ଟି ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ମୋହିତ ଶର୍ମାଙ୍କୁ ୨ଟି ୱିକେଟ୍ ମିଳିଥିବା ବେଳେ ରସିଦ ଖାନ୍ ଗୋଟିଏ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking