ଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୋଟିଏ ପଟେ ଇଡି ପଚରାଉଚରା ପାଇଁ ଡକାଇଥିବା ବେଳେ ଅନ୍ୟପଟେ ତାଙ୍କ ଦଳର ବିଧାୟକଙ୍କ ଘର ଏବଂ ଠିକଣା ଉପରେ ମଧ୍ୟ ଚଢ଼ାଉ ଜାରି ରଖିଛି। ଦିଲ୍ଲୀ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ଇଡି ଟିମ୍ ପହଞ୍ଚିଛି। ସିଭିଲ୍ ଲାଇନ୍ସ୍ଥିତ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଇଡି ସର୍ଚ୍ଚ ଅପରେସନ୍ ଚଳାଇଛି।ସୂଚନା ଅନୁସାରେ, ମନ୍ତ୍ରୀଙ୍କ ସହ ଜଡ଼ିତ ୧୨ଟି ସ୍ଥାନରେ ଚଢ଼ାଉ ଚାଲିଛି। କୁହାଯାଉଛି ଯେ ମନ୍ତ୍ରୀଙ୍କ ଉପରେ କଷ୍ଟମ୍ସ ସମ୍ବନ୍ଧୀୟ କିଛି ମାମଲା ରହିଛି, ଯେଉଁଠି ସେ ହାୱାଲା ମାଧ୍ୟମରେ ଟଙ୍କା ବିଦେଶ ପଠାଇଥିବା ଅଭିଯୋଗ ହୋଇଛି। ଅର୍ଥ ହେରଫେର ଘଟଣାରେ ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ବିରୋଧରେ PMLA ଅଧୀନରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ୭ କୋଟିରୁ ଅଧିକ ଟଙ୍କା ସୀମା ଶୁଳ୍କ ଚୋରି ଏବଂ ଅନ୍ତର୍ଜାତୀୟ ହାୱାଲା ଲେଣଦେଣ ପାଇଁ ଆମଦାନୀରେ ମିଥ୍ୟା ଘୋଷଣାର ଅଭିଯୋଗ ଆଧାରରେ ଏହି ମାମଲା କରାଯାଇଥିଲା। କୋର୍ଟ ଏହି ଅଭିଯୋଗକୁ ଗ୍ରହଣ କରିଛନ୍ତି। ଦିଲ୍ଲୀ ସମେତ ପାଖାପାଖି ୧୨ଟି ସ୍ଥାନରେ ଇଡି ଖୋଜାଖୋଜି କରୁଛି।