ବ୍ରହ୍ମପୁର: ଦୀର୍ଘ ୨୧ ଦିନ ହେବେ ସ୍ତ୍ରୀଙ୍କ ମାନ୍ୟତା ସହ ନିଜ ଶିଶୁର ବାପାର ପରିଚୟ ନିମନ୍ତେ କେ.ଦୀପିକା ତାଙ୍କ ଧାରଣା ଜାରି ରଖିଛନ୍ତି। ତାଙ୍କୁ ସମର୍ଥନ ଜଣାଇ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଦୀର୍ଘ ଦିନ ହେବ ଦେଶୀବେହେରା ସାହିସ୍ଥିତ ଧାରଣା ସ୍ଥଳରେ ବସି ରହିଛନ୍ତି । ଏହାକୁ ନେଇ ଦୀପିକାଙ୍କ ଶାଶୂ ଘର ଲୋକେ ବାରମ୍ବାର ଦୁର୍ବ୍ୟବହାର କରିବା ସହ ଗଣ୍ଡଗୋଳ କରୁଥିବା ନେଇ ଦୀପିକା ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଦୀପିକାଙ୍କ ପ୍ରେମିକ ଦିନେଶଙ୍କ ମା’ ଓ ବାପା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅଭିଯୋଗ କରିଛନ୍ତି ।
ତାଙ୍କ ଘର ସମ୍ମୁଖରେ ଦୀର୍ଘ ୨୧ ଦିନ ଧରି ଜଣେ ମହିଳା ଧାରଣାରେ ବସି ରହିଛନ୍ତି । ଯାହାଫଳରେ ତାଙ୍କ ଘରେ ରହୁଥିବା ବୃଦ୍ଧ ଦମ୍ପତିଙ୍କ ସହ ପରିବାରର ଅନ୍ୟ ସଦସ୍ୟମାନେ ବିଭିନ୍ନ ସମସ୍ୟାରେ ରହିଛନ୍ତି । ଉକ୍ତ ଘଟଣାର ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏହା ପରେ ବି ଉକ୍ତ ମହିଳା ଜଣଙ୍କ ତାଙ୍କ ଘର ଆଗରେ ଧାରଣା ବସି ରହିଛନ୍ତି ବୋଲି ଦିନେଶଙ୍କ ମା’ ଓ ବାପା ଅଭିଯୋଗ କହିଛିନ୍ତି । ଅନ୍ୟପକ୍ଷରେ ତାଙ୍କୁ ନ୍ୟାୟ ପାଇବାରେ ସାହାଯ୍ୟ କରିବା ନିମନ୍ତେ ଏକ ଭିଡ଼ିଓ ଜାରି କରି ଦୀପିକା ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ ଦିନେଶ ତାଙ୍କୁ ବିବାହ କରିବାକୁ କହି ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ବେଳେ ପରେ ବିବାହ କରିନଥିଲେ । ଏନେଇ ଦୀପିକା ଟାଉନ ଥାନାରେ ଅଭିଯୋଗ ପରେ ପୁଲିସ ଦିନେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏଥି ମଧ୍ୟରେ ଦୀପିକାଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । କିନ୍ତୁ ଦିନେଶ ଅନ୍ୟତ୍ର ବିବାହ କରୁଥିବା ଶୁଣି ଦୀପିକା ଆସି ତାଙ୍କ ଘର ଆଗରେ ଦୀର୍ଘ ୨୧ ଦିନ ହେବ ଖରା ଓ ବର୍ଷାରେ ଧାରଣା ଦେଇଛନ୍ତି ।