ନୂଆଦିଲ୍ଲୀ : ବୁଧବାର ଲକ୍ଷ୍ନୌ କୋର୍ଟରେ ହତ୍ୟା କରାଯାଇଥିବା ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ ପାୟଲ ମାହେଶ୍ୱରୀ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ସେ ନିଜ ପାଇଁ ସୁରକ୍ଷା ଦାବି କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କୁ ଲକ୍ଷ୍ନୌ କୋର୍ଟରେ ଗୁଳିମାରି ହତ୍ୟା କରାଯାଇଛି । ତେଣୁ ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି । ସେ କହିଛନ୍ତି, ପୋଲିସ ଗିରଫରୁ ତାଙ୍କୁ ଆରାମ ଦିଆଯାଉ, ନଚେତ୍ ତାଙ୍କ ସ୍ୱାମୀଙ୍କ ଭଳି ତାଙ୍କୁ ମଧ୍ୟ ହତ୍ୟା କରାଯାଇପାରେ । ଜେଲ କିମ୍ବା ହାଜର ସମୟରେ ହତ୍ୟାକୁ ନେଇ ପାୟଲ ମଧ୍ୟବର୍ତ୍ତୀକାଳୀନ ଜାମିନ ଦାବି କରିଛନ୍ତି ।
ଆଜି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ । ଗୋଟିଏ ସମୟରେ ସଞ୍ଜୀବ ଜୀବା ଗ୍ୟାଙ୍ଗଷ୍ଟର ଏବଂ ପରେ ଜଣେ ରାଜନେତା ହୋଇ ମୁଖତାର ଅନସାରୀଙ୍କ ସହଯୋଗୀ ଥିଲା । ବୁଧବାର ଲକ୍ଷ୍ନୌ ଜିଲ୍ଲା କୋର୍ଟର ପରିସରରେ ଓକିଲ ବେଶରେ ଆସି ଜଣେ ୧୯ ବର୍ଷିୟ ଯୁବକ ଜୀବାଙ୍କୁ ଗୁଳି କରି ହତ୍ୟା କରିଥିଲା । ପୋଲିସର ସୂଚନା ମୁତାବକ, ଏହି ଆକ୍ରମଣରେ ଏକ ଦୁଇ ବର୍ଷର ଝିଅ ଏବଂ ଜଣେ ପୋଲିସ କନଷ୍ଟେବଳଙ୍କୁ ମଧ୍ୟ ଗୁଳି ଲାଗିଥିଲା । ଝିଅଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ତାର ଅବସ୍ଥା ଗୁରୁତର ରହିଛି ।
ସେହିଭଳି ପୋଲିସ କନେଷ୍ଟବଳଙ୍କ ଗୋଡରେ ଗୁଳି ବାଜିଥିବା ପୋଲିସ କହିଛି । ମୁଖତାର ଅନସାରୀ ଗ୍ୟାଙ୍ଗର ଜଣେ କୁଖ୍ୟାତ ସଦସ୍ୟ ଥିଲା ୪୮ ବର୍ଷିୟ ଜୀବା । ସେ ପଶ୍ଚିମ ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାର ବାସିନ୍ଦା ଥିଲା । ସେ ଉତ୍ତରପ୍ରଦେଶରେ ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟ ଏବଂ ପୂର୍ବତନ ବିଜେପି ମନ୍ତ୍ରୀ ବ୍ରହ୍ମଦତ୍ତ ଦ୍ୱିବେଦୀଙ୍କ ହତ୍ୟା ଅଭିଯୁକ୍ତ ଥିଲା । ତା ବିରୋଧରେ ହତ୍ୟା, ଠକେଇ ଏବଂ ଅପରାଧିକ ଷଡଯନ୍ତ୍ର ମାମଲା ରହିଥିଲା । ତେବେ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରୀ ଅଧିକାରୀ କହିଛନ୍ତି ଯେ, ଘଟଣାର ତଦନ୍ତ ପାଇଁ ତିନି ଜଣିଆ ଏସଆଇଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଏକ ସପ୍ତାହ ମଧ୍ୟରେ ତଦନ୍ତ ଶେଷ କରିବାକୁ ଏସଆଇଟିକୁ କୁହାଯାଇଛି ।