ଭୁବନେଶ୍ୱର: ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ପରିପ୍ରେକ୍ଷୀରେ ପ୍ରସ୍ତୁତ କରାଯାଉଥିବା ଭିଜନ ଡକ୍ୟୁମେଣ୍ଟ ପାଇଁ ବିଭିନ୍ନ ବର୍ଗର ଜନସାଧାରଣଙ୍କ ଠାରୁ ୱେବ୍ ପୋର୍ଟାଲ୍ ଓ ହ୍ୱାଟ୍ସ୍ଆପ୍, ଇ-ମେଲ ଆଦି ଜରିଆରେ ଗ୍ରହଣ କରାଯାଉଥିବା ମତାମତ ଓ ପ୍ରସ୍ତାବ ଗ୍ରହଣର ସମୟ ସୀମା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଆଗାମୀ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟସୀମା ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଥିଲା। ଆଜି ଲୋକସେବା ଭବନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଇଲେକ୍ଟ୍ରୋନିକସ ଓ ଆଇଟି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ବିଷ୍ଣୁପଦ ସେଠୀଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଡକ୍ୟୁମେଣ୍ଟ ସମସ୍ତଙ୍କ ମତାମତ ଏବଂ ପ୍ରସ୍ତାବକୁ ନେଇ ଅଧିକ ବଳିଷ୍ଠ ଓ ଋଦ୍ଧିମନ୍ତ ହେବ, ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ନଭେମ୍ବର ୧୬ ସୁଦ୍ଧା ଜନସାଧାରଣଙ୍କ ଠାରୁ ମତାମତ ଏବଂ ପ୍ରସ୍ତାବ ପ୍ରାପ୍ତି ସଂଖ୍ୟା ୨ ହଜାର ଥିବା ବେଳେ ଆଜି ଅପରାହ୍ନ ସୁଦ୍ଧା ଏହାର ସଂଖ୍ୟା ୧୦ ହଜାର ଥିଲା ଏବଂ ସଂଧ୍ୟା ସୁଦ୍ଧା ଏହା ୧୫ ହଜାରରେ ପହଁଚିଛି।ଏହାକୁ ଦୃଷ୍ଟିରେ ରଖି ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ରଖି ବିଭିନ୍ନ ବର୍ଗର ଜନସାଧାରଣଙ୍କ ଠାରୁ ଯେପରି ଅଧିକରୁ ଅଧିକ ପ୍ରସ୍ତାବ ଓ ମତାମତ ଆସିବ, ଏଥିପାଇଁ ବୈଠକରେ ଆଲୋଚନା ପୂର୍ବକ ପ୍ରସ୍ତାବ ତଥା ମତାମତ ଗ୍ରହଣ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ପାଇଁ ଅଧିକ ପ୍ରସ୍ତାବ ତଥା ମତାମତ ଗ୍ରହଣ ପାଇଁ ବ୍ୟାପକ ପ୍ରଚାର ପ୍ରସାର ଜରିଆରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ଏ ସମ୍ପର୍କରେ ମୁଦ୍ରଣ, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମରେ ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ଆଜିର ଯୁବପିଢି ଆଗାମୀ କାଲିର ଭବିଷ୍ୟତ ଏବଂ ରାଜ୍ୟର ବିକାଶ ତଥା ଦେଶ ଗଠନରେ ସେମାନେ ମୂଲ୍ୟବାନ ଯୋଗଦାନ କରିବାକୁ ଥିବାରୁ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ମଧ୍ୟ ମତାମତ ଓ ପ୍ରସ୍ତାବ ପ୍ରଦାନ କରିବାକୁ ପରାମର୍ଶ ରହିଛି । ଉପଯୋଗୀ ମତାମତ ପ୍ରଦାନକାରୀ ୪୮ ଘଣ୍ଟା ମଧ୍ୟରେ ମ ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ପ୍ରମାଣପତ୍ର ଡିଜିଟାଲ ବ୍ୟବସ୍ଥାରେ ପାଇବାର ବ୍ୟବସ୍ଥା ରହିଛି। ପ୍ରବାସୀ ଓଡ଼ିଆ ସଂଗଠନମାନଙ୍କୁ ମଧ୍ୟ ସେମାନଙ୍କ ମତାମତ କରିବା ପାଇଁ ଅନୁରୋଧ କରାଯାଉଛି।