କଟକ : ଟାଙ୍ଗୀ ସ୍ଥିତ ଡ୍ରିମସ କୋଭିଡ୍ କେୟାର ସେଣ୍ଟରରେ ଗତ ୪ ତାରିଖରେ ବେକରେ ଛୁରୀ ପଶି ଗୁରୁତର ହୋଇଥିବା ଚୌଦ୍ୱାର ଦେବୀ ନଗରର ସୁକୁମାର ସୁବୁଦ୍ଧିରାୟଙ୍କର ମଙ୍ଗଳବାର ଅପରାହ୍ନରେ ଏସସିବି କୋଭିଡ଼୍ ଆଇସିୟୁରେ ମୃତ୍ୟୁ ଘଟିଛି । ଘଟିଥିଲା । ମୃତ ଦେହକୁ ସଂରକ୍ଷିତ ରଖାଯାଇଥିବା ବେଳେ ବୁଧବାର ବ୍ୟବଚ୍ଛେଦ କରାଯିବା ପରେ କୋଭିଡ୍ ନିୟମ ଅନୁଯାୟୀ ସତ୍କାର କରାଯିବ ବୋଲି ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ସୁକୁମାର କରୋନା ଆକ୍ରାନ୍ତ ହେବା ପରେ ଘରେ ସଂଗରୋଧରେ ରହିଥିଲେ । ପରେ ଗତ ୨୮ ତାରିଖରେ ଟାଙ୍ଗୀ ସ୍ଥିତ ଡ୍ରିମସ କୋଭିଡ଼୍ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ । ଆରୋଗ୍ୟ ହେବା ପରେ ଗତ ୪ ତାରିଖରେ ତାଙ୍କର ସେଠାରୁ ଡିସଚାର୍ଜ ହେବାର ଥିଲା । ତେବେ ସେହିଦିନ ସକାଳେ ହଠାତ୍ ତାଙ୍କ ବେକରେ ଛୁରୀ ପଶି ଯାଇଥିବା ଜଣାପଡ଼ିଥିଲା । ସଂପୃକ୍ତ ଯୁବକ ଜଣକ ଛୁରୀରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ରୋକାଯାଇଥିଲା ଓ ବେକରେ ଛୁରୀ ଲାଗିଥିବା ଅବସ୍ଥାରେ ତାଙ୍କୁ ଏସସିବିକୁ ଅଣାଯାଇଥିଲା । ଏସସିବିରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ଛୁରୀ ବାହାର କରାଯିବା ପରେ କୋଭିଡ଼୍ ୱାର୍ଡ଼ର ଆସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା ।
ଅପରପକ୍ଷେ ଡ୍ରିମସ କୋଭିଡ଼ କେୟାର ସେଣ୍ଟରରେ ଅବ୍ୟବସ୍ଥା ଲାଗି ରହୁଥିବା ନେଇ ଅନେକ ସମୟରେ ଅଭିଯୋଗ ହେଉଛି । କେଉଁ ପରିସ୍ଥିତିରେ ଓ କିପରି ସଂପୃକ୍ତ ଯୁବକଙ୍କ ବେକରେ ଛୁରୀ ପଶିଲା ତାହାକୁ ନେଇ ସନ୍ଦେହ ଓ ସଂଶୟ ଲାଗି ରହିଛି । ମୃତକଙ୍କ ପିତାଙ୍କ ପକ୍ଷରୁ ମଧ୍ୟ ଟାଙ୍ଗୀ ଥାନାରେ ଏନେଇ ଅଭିଯୋଗ କରାଯାଇଛି । ତଦନୁଯାୟୀ ଥାନାଧିକାରୀ ସୁଚିତ୍ର ବୀର୍ଯ୍ୟ ଦାସ ଘଟଣାସ୍ଥଳ ପରିଦର୍ଶନ କରି ସେହି କୋଠରୀରେ ଥିବା ଅନ୍ୟ ୨ ଜଣ ରୋଗୀ, କର୍ତ୍ତବ୍ୟରେ ଥିବା ନର୍ସ ଓ ଡାକ୍ତରଙ୍କୁ ପଚରା ଉଚରା କରିଛନ୍ତି ।
ତେବେ ଏହି ଘଟଣା ପରେ ଡ୍ରିମସ କୋଭିଡ କେୟାର ସେଣ୍ଟର ଦାୟିତ୍ୱରେ ଥିବା ଡାକ୍ତରଙ୍କ ଠାରୁ ଏକ ପୁଙ୍ଖାନୁ ପୁଙ୍ଖ ରିପୋର୍ଟ ମଗାଯାଇଥିଲା ଓ ସମ୍ପୃକ୍ତ ଯୁବକ କାହା ସହ ଟେଲିଫୋନରେ କଥା ହେବା ପରେ ଫଳ କାଟିବାକୁ ଆଣିଥିବା ଛୁରୀ ବେକରେ ଭୁସିଦେଇଥିଲେ । ତେବେ କାର୍ଯ୍ୟରେ ଥିବା ଷ୍ଟାଫ ତାଙ୍କୁ ଅଟକାଇ ତୁରନ୍ତ ଏସସିବିକୁ ପଠାଇଥିବା ନେଇ ଜିଲ୍ଲା କୋଭିଡ୍ ନୋଡ଼ାଲ ଅଧିକାରୀ ଡାକ୍ତର ଉମେଶ ରାୟ କହିଥିଲେ ।