ହରିୟାଣା: ହରିୟାଣାର ଫରିଦାବାଦରୁ ମା- ଝିଅ ସମ୍ପର୍କକୁ ଲଜ୍ଜା ଦେଉଥିବା ଏକ ଯନ୍ତ୍ରଣାଦାୟକ ମାମଲା ସାମ୍ନାକୁ ଆସିଛି । ଏଠାରେ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ୍ର ସୂଚନାନୁସାରେ, ଜଣେ ୧୬ ବର୍ଷର ଝିଅ ପ୍ରେମ ପାଇଁ ନିଜ ମା’ଙ୍କୁ ହତ୍ୟା କରିଛି । ତେବେ ଝିଅଟି ନିଜ ପ୍ରେମିକ ସହ ମିଶି ଏହି ଘଟଣା ଘଟାଇଥିବା ପୋଲିସର ସୂଚନାରୁ ଜଣାପଡ଼ିଛି ।
ପୋଲିସର ସୂଚନାନୁସାରେ, ନାବାଳିକା ଜଣକ ନିଜ ପ୍ରେମିକକୁ ବିବାହ କରିବାକୁ ଚାହୁଁଥିଲା, କିନ୍ତୁ ମାଆ ଏଥିରେ ବିରୋଧ କରିଥିଲେ । ଏଥିରେ ରାଗିଯାଇ ଝିଅ ତାଙ୍କ ପ୍ରେମିକଙ୍କ ସହ ଷଡଯନ୍ତ୍ର କରି ଏହି ଘଟଣା ଘଟାଇଥିଲା । ତେବେ ପ୍ରଥମେ ଲେମ୍ବୁ ପାଣିରେ ନିଦ ବଟିକା ମିଶାଇ ଝିଅଟି ମା’କୁ ପିଇବାକୁ ଦେଇଥିଲା । ତା ପରେ ମା’ ନିଦ୍ରାବସ୍ଥାରେ ଥିବାବେଳେ ମା’କୁ ଜୀବନରୁ ମାରିବା ପାଇଁ ପ୍ରେମିକ ତାକୁ ଭିଡିଓ କଲ୍ରେ ଶିଖାଇଥିଲା ।
ଅଭିଯୁକ୍ତମାନେ ବୁଲନ୍ଦଶାହର ବାସିନ୍ଦା ଲାଭକେଶ (୧୮ ବର୍ଷ) ଏବଂ ଫରିଦାବାଦର ୧୬ ବର୍ଷ ବୟସ୍କ ନାବାଳିକା ଦିପାନସୁ ବୋଲି ଜଣାପଡିଛି । ପ୍ରକୃତରେ, ଜୁଲାଇ ୧୧ ରେ, ଫରିଦାବାଦର ଓଡିଆ କଲୋନୀ ଡାବୁଆର ବାସିନ୍ଦା ବିଶାଲ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ, ରାତିରେ କେହି ଜଣେ ତାଙ୍କ ମା ସୁଧାଙ୍କୁ ହତ୍ୟା କରିଛନ୍ତି । ଏହା ପରେ ପୋଲିସ ଡାବୁଆରେ ହତ୍ୟା ମାମଲା ରୁଜୁ କରିଥିଲା ଏବଂ ମାମଲାର ତଦନ୍ତ କ୍ରାଇମ ବ୍ରାଞ୍ଚ DLF କୁ ହସ୍ତାନ୍ତର କରାଯାଇଥିଲା । କ୍ରାଇମ ବ୍ରାଞ୍ଚ DLF ଶୀଘ୍ର ଏହାର ସମାଧାନ ପାଇଁ ଏକ ଟିମ୍ ଗଠନ କରି ମାମଲାର ତଦନ୍ତ ଆରମ୍ଭ କରିଥିଲା । କ୍ରାଇମ ବ୍ରାଞ୍ଚ ଡିଏଲ୍ଏଫ୍ ଟିମ୍ ଏହି ଘଟଣାର ଖୁଲାସା କରୁଥିବାବେଳେ ଅଭିଯୁକ୍ତ ଦୀପାଂସୁଙ୍କୁ ୩ ଅଗଷ୍ଟରେ ଏବଂ ଅଭିଯୁକ୍ତ ଯୁବକଙ୍କୁ ଅଗଷ୍ଟ ୪ ରେ ଗିରଫ କରିଛି ।