ଦୁବା : ଆଇସିସି ପକ୍ଷରୁ ବୁଧବାର ପ୍ରକାଶିତ ଦିନିକିଆ ର୍ୟାଙ୍କିଙ୍ଗ୍ରେ ଭାରତୀୟ କ୍ୟାପ୍ଟେନ୍ ରୋହିତ ଶର୍ମା ବ୍ୟାଟିଂ ତାଲିକାର ଟପ୍-୫ରେ ପହଞ୍ଚିଛନ୍ତି । ସେହିପରି ପାକିସ୍ତାନ କ୍ୟାପ୍ଟେନ୍ ବାବର୍ ଆଜମ୍ ପୂର୍ବପରି ତାଲିକାର ଶୀର୍ଷରେ ରହିଛନ୍ତି । ତେବେ ବାବର ଏବଂ ଦ୍ୱିତୀୟ ସ୍ଥାନରେ ଥିବା ଭାରତୀୟ ଓପ୍ନର୍ ଶୁବମନ ଗିଲ୍ଙ୍କ ମଧ୍ୟରେ ବ୍ୟବଧାନ ମାତ୍ର ଦୁଇ ପଏଣ୍ଟ୍ ହୋଇଛି । ଅନ୍ୟପକ୍ଷରେ ବିରାଟ କୋହଲି ସପ୍ତମକୁ ଖସିଯାଇଛନ୍ତି । ବୋଲିଂ ର୍ୟାଙ୍କିଙ୍ଗ୍ରେ ପାକିସ୍ତାନୀ ପେସର୍ ଶାହିନ ଶାହ ଆଫ୍ରିଦି ଲମ୍ବା ଲମ୍ଫ ପ୍ରଦାନ କରି ଦଶମ ସ୍ଥାନରୁ ସିଧା ଶୀର୍ଷରେ ପହଞ୍ଚିଛନ୍ତି । ବ୍ୟାଟିଂ ର୍ୟାଙ୍କିଙ୍ଗ୍ରେ ରୋହିତ ଶର୍ମାଙ୍କୁ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ୮୭ ରନ୍ର ଇନିଂସ୍ର ଲାଭ ମିଳିଛି ।
ଗତ ସପ୍ତାହରେ ଷଷ୍ଠରୁ ଖସି ଅଷ୍ଟମରେ ପହଞ୍ଚିଥିବା ଭାରତୀୟ କ୍ୟାପ୍ଟେନ୍ ସଦ୍ୟତମ ର୍ୟାଙ୍କିଙ୍ଗ୍ରେ ୭୪୩ ରେଟିଂ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି । ତାଙ୍କୁ ତିନିଟି ସ୍ଥାନର ଲାଭ ମିଳିଛି । ଭାରତୀୟ ଓପ୍ନର୍ ଗିଲ୍ ର୍ୟାଙ୍କିଙ୍ଗ୍ରେ ବାବରଙ୍କ ପରେ ପୂର୍ବପରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତେବେ ବାବର ଏବଂ ତାଙ୍କ ମଧ୍ୟରେ ବ୍ୟବଧାନ ମାତ୍ର ୨ ପଏଣ୍ଟ୍ ହୋଇଛି । ବାବରଙ୍କର ରେଟିଂ ପଏଣ୍ଟ ୮୧୮ ଥିବା ବେଳେ ଗିଲ୍ଙ୍କ ପଏଣ୍ଟ ୮୧୬ ରହିଛି । ସାଉଥ୍ ଆଫ୍ରିକା ଓପ୍ନର୍ କ୍ୱିଣ୍ଟନ୍ ଡି କକ୍ ୭୬୫ ପଏଣ୍ଟ୍ ସହ ତୃତୀୟ ସ୍ଥାନରେ କାଏମ ଥିବାବେଳେ ଡେଭିଡ୍ ୱାର୍ଣ୍ଣର୍ ୭୬୧ ପଏଣ୍ଟ୍ ସହ ପଞ୍ଚମରୁ ଚତୁର୍ଥକୁ ଉଠିଛନ୍ତି । ଗତ ସପ୍ତାହର ର୍ୟାଙ୍କିଙ୍ଗ୍ରେ ଚତୁର୍ଥରେ ଥିବା ହେନ୍ରିକ୍ କ୍ଲାସନ୍ ଦୁଇଟି ସ୍ଥାନ ତଳକୁ ଖସି ଷଷ୍ଠରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ କୋହଲିଙ୍କୁ ଗୋଟିଏ ସ୍ଥାନର କ୍ଷତି ହୋଇଛି ଏବଂ ସେ ଷଷ୍ଠରୁ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କର ରେଟିଂ ପଏର୍ଟ୍ ୭୩୫ ରହିଛି ।