ବାଣପୁର: ଓଡ଼ିଶା ବାହାରକୁ ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ଯାଇଥିବା ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ପରିବାର ଲୋକ ଶବକୁ ଗାଡ଼ିରେ ରଖି ବାଣପୁର ଥାନାରେ କ୍ଷତିପୂରଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଖବରରୁ ପ୍ରକାଶ ବାଣପୁର ଥାନା ଅନ୍ତର୍ଗତ ସାଲୁଣି ଗ୍ରାମର ସତ୍ୟ ରଣସିଂହଙ୍କ ପୁଅ ସୁନୀଲ ରଣସିଂହ(୧୯) ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ଯାଇଥିଲେ । ବାପା ସତ୍ୟଙ୍କର ଶରୀର ଅସୁସ୍ଥ ଥିବାରୁ ପୁଅ ରୋଜଗାର କରିଲେ ବାପା ତମେ ଔଷଧ କଣିବ ବୋଲି କହି ବାଣପୁର ଦାଶରଥିପୁର ଗ୍ରାମର ଠିକାଦାର ପ୍ରଦୀପ ପରିଡାଙ୍କ ସାଥିରେ ସୁଦୂର ଚେନ୍ନାଇ ସହରକୁ ଯାଇଥିଲେ । ମାତ୍ର ଏକମାସ ତଳେ ସୁନୀଲ ଯାଇଥିବା ବେଳେ କାମ ଠିକସେ କରିପାରୁ ନଥିବାରୁ ଠିକାଦାର ତାକୁ ମାରଧର କରୁଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ଅତ୍ୟଧିକ ମାରଧର କରିବା ଏବଂ ଠିକରେ ଖାଇବାକୁ ନ ଦେବାରୁ ସୁନୀଲଙ୍କର ସେଠାରେ ଶରୀର ମଧ୍ୟ ଅସୁସ୍ଥ ହୋଇଯାଥିଲା ।
ଠିକାଦାର ଚେନ୍ନାଇରେ ସୁନୀଲଙ୍କୁ ଚିକିତ୍ସା ନ କରି ଟ୍ରେନ ଟିକେଟ କାଟି ଗ୍ରାମକୁ ଅନ୍ୟଜଣେ ଶ୍ରମିକଙ୍କ ସହ ଛାଡିଦେଇଥିଲେ । ସେଠାରୁ ମାତ୍ର ୧୦୦କିଲୋମିଟର ଦୂର ନେଲୁର ଷ୍ଟେସନଠାରେ ସୁନୀଲଙ୍କର ବାନ୍ତି ହୋଇଥିଲା । ଟ୍ରେନରେ ବସିଥିବା ଯାତ୍ରୀମାନେ ବାହାରକୁ ବାହାର କରିଦେଇଥିଲେ । ଫଳରେ ଷ୍ଟେସନର ଅତ୍ୟଧିକ ଖରାରେ ପଡି ସୁନୀଲଙ୍କର ମୃତ୍ୟୁ ଘଟିଥିଲା । ମୃତ ଶରୀର ସେଠାରୁ ଆଣିବାକୁ ଠିକାଦାର କୌଣସି ପଦକ୍ଷେପ ନ ନେବାରୁ ପରିବାର ଲୋକ ଧାର କରଜ କରି ଗ୍ରାମବାସୀଙ୍କ ସହାୟତାରେ ଦୀର୍ଘ ଚାରିଦିନ ପରେ ଆମ୍ବୁଲାନ୍ସ ମାଧ୍ୟମରେ ମୃତ ଶରୀର ଆଣିଥିଲେ । ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ର ହୋଇ ବାଣପୁର ଥାନାରେ କ୍ଷତିପୂରଣ ଦାବିରେ ହୋ ହଲ୍ଲା କରିଥିବା ବେଳେ ପୁଲିସ ବୁଝାସୁଝା କରିଛି । ସ୍ଥାନୀୟ କିଛି ଭଦ୍ରଲୋକଙ୍କ ହସ୍ତକ୍ଷେପ ପରେ ଠିକାଦାର କ୍ଷତିପୂରଣ ବାବଦକୁ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦେବା ପାଇଁ ସହମତି ପ୍ରକାଶ କରିବାରୁ ଗ୍ରାମବାସୀ ଥାନାରୁ ଫେରିଥିବା ଜଣାପଡ଼ିଛି ।