ଲକ୍ଷ୍ନୌ: ପରକୀୟା ପ୍ରୀତିରୁ ପ୍ରଥମେ ପତ୍ନୀଙ୍କୁ ଟ୍ରିପଲ ତଲାକ ଦେଲା ସ୍ୱାମୀ । ତାପରେ ନିଜ ସାନଭାଇ ଓ ବନ୍ଧୁଙ୍କ ଦ୍ୱାରା ଦୁଷ୍କର୍ମ ମଧ୍ୟ କରାଇଲା । ଏତିକିରେ ଶେଷ ହେଲା ନାହିଁ ନିର୍ଯାତନାର ଅଧ୍ୟାୟ । ଶେଷରେ ନିଆଁ ଲଗାଇ ଜାଳି ମାରିଦେବାକୁ ଉଦ୍ୟମ ମଧ୍ୟ କଲା । ହେଲେ ପୀଡିତାଜଣଙ୍କ ପଡୋଶୀଙ୍କ ଦ୍ୱାରା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଏପରି ଏକ ଅଭିଯୋଗ ଉତ୍ତର ପ୍ରଦେଶ ବରେଲୀରେ ଦେଖିବାକୁ ମିଳିଛି । ପୋଲିସ ଏକ ମାମଲା ରୁଜୁ କରି ମୋଟ ୮ ଅଭିଯୁକ୍ତକୁ ଗିରଫ କରିଛି । ଏତଲା ଅନୁସାରେ, ପୀଡିତାଜଣଙ୍କ ଚଳିତ ବର୍ଷ (୨୦୨୩) ମାର୍ଚ୍ଚ ୫ ତାରିଖରେ ବରେଲୀ ଭୋଜିପୁରା ଅଞ୍ଚଳର ବାସିନ୍ଦା ଶାହାରୁଖ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ।
ତାଙ୍କ ସ୍ୱାମୀ ନୋଏଡାରେ କାମ କରନ୍ତି । ସେଠାରେ ତାଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ଥିଲା । ଏହି କାରଣରୁ ସେ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କଲେ । ଏପରିକି ହତ୍ୟା କରିବାକୁ ମଧ୍ୟ ଯୋଜନା କଲେ । ସେ ପ୍ରଥମେ ଜୁନ୍ ୮ ତାରିଖରେ ତିନି ତଲାକ ମାଧ୍ୟମରେ ଛାଡପତ୍ର ଦେଇଥିଲେ । ପରେ ନିଜର ସାନଭାଇ ଓ ବନ୍ଧଙ୍କୁ ଘରକୁ ଡାକି ତାଙ୍କର ଦୁଷ୍କର୍ମ ମଧ୍ୟ କରାଇଥିଲେ । ଏକଥା କାହା ନିକଟରେ ପ୍ରକାଶ କଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ଏକଥା ପୀଡିତାଙ୍କ ଶାଶୁ ମଧ୍ୟ ଜାଣିଥିଲେ । ଏକଥା ବାହାରେ ପ୍ରକାଶ ନକରିବା ପାଇଁ ସେ ମଧ୍ୟ ତାଙ୍କୁ ଧମକ ଦେଇଥିଲେ । ତାଙ୍କୁ ଏକ ଘରେ ବନ୍ଦ କରାଯାଇ ରଖାଯାଇଥିବା ବେଳେ ମୋବାଇଲ ମଧ୍ୟ ବ୍ୟବହାର କରିବା ପାଇଁ ଦିଆଯାଉନଥିଲା ।
ହେଲେ ପରେ ସମସ୍ତେ ମିଶି ତାଙ୍କୁ ନିଆଁ ଲଗାଇ ହତ୍ୟା କରିବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ । ସ୍ୱାମୀ, ଶାଶୁ ଓ ଶଶୁର ମିଶି ତାଙ୍କୁ ଡିଜେଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିବା ବେଳେ ସେ ଚିତ୍କାର କରିବାରୁ ପଡୋଶୀମାନେ ରୁଣ୍ଡ ହୋଇଥିଲେ । ଫଳରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା । ଏବେ ପୀଡିତା ତାଙ୍କ ବାପଘର ସଦସ୍ୟଙ୍କ ସାହାଯ୍ୟରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସ୍ୱାମୀ, ଶାଶୁ ଓ ଶଶୁରଙ୍କ ସମେତ ମୋଟ ୮ ଜଣଙ୍କ ବିରୋଧର ମାମଲା ରୁଜୁ କରି ସମସ୍ତଙ୍କୁ ଗିରଫ କରିଛି । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି । ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି ।