ନୂଆଦିଲ୍ଲୀ: ପ୍ରତ୍ୟେକ ସମାଲୋଚନା ଅପରାଧ ଶ୍ରେଣୀଭୂକ୍ତ ହୋଇପାରିବ ନାହିଁ । ଯଦି ଏହି ବାଚାର ସହ ଆଗକୁ ବଢାଯାଏ, ତେବେ ଗଣତନ୍ତ୍ର ବଞ୍ଚିପାରିବ ନାହିଁ । ସମ୍ବିଧାନ ଦ୍ୱାରା ପ୍ରଦାନ କରାଯାଇଥିବା ମୁକ୍ତ ଅଭିବ୍ୟକ୍ତିର ସ୍ୱାଧୀନତା ସମ୍ପର୍କରେ ପୋଲିସ ସମ୍ବେଦନଶୀଳ ହେବା ଉଚିତ । କୌଣସି ପ୍ରସଙ୍ଗରେ ସମାଲୋଚନା କରିବା ନାଗରିକଙ୍କର ସାମ୍ବିଧାନିକ ଅଧିକାର । ଆଜି କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ସମାଲୋଚନା କରିଥିବା ଜଣେ ବ୍ୟକ୍ତିଙ୍କ ଉପରେ ହୋଇଥିବା ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି । କାର୍ଯ୍ୟାନୁଷ୍ଠାନ ନେଇ ସରକାର ଓ ପୋଲିସର କାର୍ଯ୍ୟାଶୈଳୀକୁ ମଧ୍ୟ କୋର୍ଟ ନାପସନ୍ଦ କରିଛନ୍ତି । ସୂଚନା ଅନୁସାରେ, ମହାରାଷ୍ଟ୍ରର କୋହ୍ଲାପୁର କଲେଜରେ କାର୍ଯ୍ୟରତ ଜଣେ କାଶ୍ମୀରୀ ପ୍ରଫେସର ଜାଭେଦ ଅହମ୍ମଦ ହାଜାମଙ୍କ ବିରୋଧରେ ଏହି ଅପରାଧିକ ମାମଲା ପଞ୍ଜିକୃତ ହୋଇଛି । ସେ ହ୍ୱାଟ୍ସଆପରେ ଅଗଷ୍ଟ ୫ ତାରିଖକୁ ଜାମ୍ମୁ କାଶ୍ମୀର ପାଇଁ କଳା ଦିନ ବୋଲି ଦର୍ଶାଇ ଷ୍ଟାଟସ ଦେଇଥିଲେ । ଏହା ସହିତ ସେ ଅଗଷ୍ଟ ୧୪ ତାରିଖରେ ସୋସିଆଲ ମିଡିଆରେ ପାକିସ୍ତାନ ସ୍ୱାଧୀନତା ଦିବସରେ ଶୁଭେଚ୍ଛା ମଧ୍ୟ ଜଣାଇଥିବା ଅଭିଯୋଗ ହୋଇଥିଲା । ଉଭୟ ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି ।
ଏହି ମାମଲାର ଆଜି ଶୁଣାଣି କରି ଖଣ୍ଡପୀଠ କହିଛନ୍ତି, ପାକିସ୍ତାନବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ଏକ ସକରାତ୍ମକ ଆଭିମୁଖ୍ୟର ପ୍ରତୀକ । ଏହାଦ୍ୱାରା ବିଭିନ୍ନ ଧାର୍ମିକ ଗୋଷ୍ଠୀ ମଧ୍ୟରେ ଶତ୍ରୁତା, ଘୃଣା କିମ୍ବା ଅନ୍ୟ ଉତ୍ତେଜିତ ଭାବନା ସୃଷ୍ଟି ହେବାର ଆଶଙ୍କା ନାହିଁ । ସେହିପରି ଧାରା-୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ମଧ୍ୟ ସମାଲୋଚନା କରିବା କୌଣସି ଅପରାଧ ନୁହେଁ । ଏହା ବାକ-ସ୍ୱାଧୀନତାର ପରିସର । ଭାରତୀୟ ସମ୍ବିଧାନ ଧାରା ୧୯ (୧) ଅନୁଯାୟୀ ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାକୁ ନିଶ୍ଚିତ କରାଯାଇଛି । ଏହାକୁ ଅପରାଧ ଶ୍ରେଣୀଭୂକ୍ତ କରାଗଲେ, ମୌଳିକ ଅଧିକାର କ୍ଷୂର୍ଣ୍ଣ ହେବ । ଦେଶର ନାଗରିକମାନେ କୌଣସି ପ୍ରସଙ୍ଗରେ ମୁକ୍ତ ମନ୍ତବ୍ୟ ଦେଇପାରିବେ, ଆବଶ୍ୟକ ହେଲେ ସେମାନେ ସମାଲୋଚନା କିମ୍ବା ଅସନ୍ତୋଷ ଜାହିର ମଧ୍ୟ କରିପାରନ୍ତି ।ସମସ୍ତ ପ୍ରକାର ସମାଲୋଚନା କେବେ ଅପରାଧ ହୋଇପାରିବନାହିଁ ବୋଲି କୋର୍ଟ କହିଛନ୍ତି ।