ଭୁବନେଶ୍ୱର : ପିପିଲି ଉପନିର୍ବାଚନରେ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଏହି ପ୍ରାର୍ଥୀମାନେ ନିଜ ନିଜ ସମ୍ପତ୍ତି ତାଲିକା ସହ ଅପରାଧିକ ମାମଲା ଓ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସତ୍ୟପାଠରେ ଦର୍ଶାଇଛନ୍ତି । ସମ୍ପତ୍ତି ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ଭିତରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ସବୁଠୁ ଧନୀ ହୋଇଥିବା ବେଳେ ଦ୍ୱିତୀୟରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଓ ତୃତୀୟରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ରହିଛନ୍ତି । ଅଜିତ ୮ କୋଟିରୁ ଅଧିକ ଟଙ୍କାର ମାଲିକ ହୋଇଥିବାବେଳେ ରୁଦ୍ର ୨ କୋଟିରୁ ଅଧିକ ଟଙ୍କାର ମାଲିକ । ସେହିଭଳି ଆଶ୍ରିତ କୋଟିଏ ଟଙ୍କାର ମାଲିକ । ଅଜିତଙ୍କ ବାର୍ଷିକ ଆୟ ୧୪ ରୁ ୧୭ ଲକ୍ଷ ଟଙ୍କା ରହିଛି । ଅନ୍ୟ ପକ୍ଷରେ ସବୁଠୁ ଗରିବ ତାଲିକାରେ ରହିଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୁଲୋଚନା ସାହୁ ।
ସୁଲୋଚନା ଟଙ୍କାଟିଏ ସମ୍ପତ୍ତିର ବି ମାଲିକ ନୁହଁନ୍ତି । ଶିକ୍ଷାଗତ ଯୋଗ୍ୟତାକୁ ବିଚାର କଲେ ସବୁଠୁ ଆଗରେ ରହିଛନ୍ତି ସ୍ୱାଧୀନ ପ୍ରାର୍ଥୀ ନଗେନ୍ଦ୍ରନାଥ ମିଶ୍ର । ନଗେନ୍ଦ୍ରନାଥ ଡି.ଲିଟ୍ କରିଛନ୍ତି । କିନ୍ତୁ ସ୍ୱାଧୀନ ପ୍ରାର୍ଥୀ ସୁଲୋଚନା ଜମାରୁ ପାଠ ପଢ଼ିନାହାନ୍ତି ।
ସେହିଭଳି ଅପରାଧିକ ମାମଲା ଉପରେ ନଜର ପକାଇଲେ ସବୁଠୁ ଅଧିକ ମାମଲା ଆଶ୍ରିତଙ୍କ ନାମରେ ରହିଛି । ଆଶ୍ରିତଙ୍କ ନାଁରେ ୧୧ଟି ମାମଲା ରହିଛି । ତା ମଧ୍ୟରୁ ୧୯ ଟି ଗୁରୁତର ଦଫା ରହିଛି । ଏହା ପରକୁ ରହିଛନ୍ତି ଅଜିତ । ଅଜିତଙ୍କ ନାମରେ ୬ଟି ମାମଲା ରହିଛି । ହେଲେ ତା ମଧ୍ୟରୁ ୮ ଟି ଗୁରୁତର ଦଫା ରହିଛି । ସେହିଭଳି ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ନାଁରେ ୪ଟି ଅପରାଧିକ ମାମଲା ରହିଥିବା ବେଳେ ୧୧ ଟି ଗୁରୁତର ଦଫା ରହିଛି । କିନ୍ତୁ ସ୍ୱାଧୀନ ପ୍ରାର୍ଥୀମାନଙ୍କ ନାମରେ କୌଣସି ଥାନାରେ ମାମଲା ନାହିଁ ।