ୱାଶିଂଟନ: ୨୦୧୬ ରାଷ୍ଟ୍ରପତି ନିର୍ବାଚନ ଅଭିଯାନ ବେଳେ ଜଣେ ପର୍ନ ଷ୍ଟାର୍ଙ୍କୁ ମୁହଁ ବନ୍ଦ ରଖିବା ପାଇଁ ଅର୍ଥ ଦେବା ମାମଲାରେ ମ୍ୟାନ୍ହଟନ୍ ସହରର ଗ୍ରାଣ୍ଡ୍ ଜୁରୀ ଗୁରୁବାର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହା ବ୍ୟତୀତ ଗ୍ରାଣ୍ଡ୍ ଜୁରୀ ତାଙ୍କ ବିରୋଧ ମହାଭିଯୋଗ ଚଳାଇବା ସପକ୍ଷରେ ମଧ୍ୟ ମତଦାନ କରିଛନ୍ତି । ଫଳରେ କୌଣସି ଅପରାଧିକ ଅଭିଯୋଗର ସାମ୍ନା କରିବାରେ ସେ ଆମେରିକାର ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି ।
ଏହା ଆସନ୍ତାବର୍ଷ ଅର୍ଥାତ୍ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପ୍ରସ୍ତୁତିରେ ଲାଗିଥିବା ଟ୍ରମ୍ପ୍ଙ୍କ ପାଇଁ ବଡ଼ ଝଟ୍କା ସଦୃଶ ହୋଇଛି । ଅପରାଧିକ ମୋକଦ୍ଦମା ମଧ୍ୟରେ ନିର୍ବାଚନ ଅଭିଯାନ ଚଳାଇବା ତାଙ୍କ ପାଇଁ ବହୁ କଷ୍ଟକର ହୋଇପଡ଼ିବ । ଗ୍ରାଣ୍ଡ୍ ଜୁରୀର ଏକ ନିଷ୍ପତ୍ତି ପରେ ଟ୍ରମ୍ପ୍ଙ୍କୁ ଆଟ୍ଲାଣ୍ଟା ଏବଂ ୱାଶିଂଟନ୍ରେ ମଧ୍ୟ ଅପରାଧିକ ଯାଞ୍ଚ୍ର ସାମ୍ନା କରିବାକୁ ପଡ଼ିପାରେ । ଏପରି ସ୍ଥିତିରେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦ ଦୌଡ଼ରେ ପ୍ରମୁଖ ଦାବିଦାର ଟ୍ରମ୍ପ୍ଙ୍କ ପାଇଁ ପାର୍ଟି ଫୋରମ୍ରେ ଆଗକୁ ବଢ଼ିବା ସୁଯୋଗ ଶେଷ ହୋଇଯିବ ।
ଆଇନଗତ ଲଢ଼େଇ ମଧ୍ୟରେ ନିଜ ପାର୍ଟିର ଅନ୍ୟ ଦାବିଦାରଙ୍କ ମୁକାବିଲା କରିବା ମଧ୍ୟ ଟ୍ରମ୍ପ୍ଙ୍କ ପାଇଁ କଷ୍ଟକର ହୋଇପାରେ । ସେହିପରି ଗତ ନିର୍ବାଚନ ପରିଣାମ ପରେ କ୍ୟାପିଟାଲ୍ ହିଲ୍ରେ ଟ୍ରମ୍ପ୍ ସମର୍ଥକଙ୍କ ହଙ୍ଗାମା ମାମଲା ମଧ୍ୟ ଏହି ଅବସରରେ ପଦାକୁ ଆସିପାରେ ।