ଭୁବନେଶ୍ୱର: ଏଥର ଲିଙ୍ଗରାଜ ମନ୍ଦିରରେ କରୋନା କଟକଣା ମଧ୍ୟରେ ପାଳିତ ହେବ ମହାଶିବରାତ୍ରି । ସେଥିପାଇଁ ଆଜିଠୁ ମନ୍ଦିରରେ ଥିବା ସେବାୟତ ଓ ସେଠାରେ ନିୟୋଜିତ ହେବାକୁ ଥିବା ସମସ୍ତ ପୁଲିସ୍ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ତେବେ ଶିବରାତ୍ର ପାଇଁ ମନ୍ଦିର ପ୍ରଶାସନର ବସିଛି ବୈଠକ । ଶ୍ରୀ ଲିଙ୍ଗରାଜଙ୍କ ଜାଗର ଯାତ୍ରା ନେଇ ପ୍ରଶାସନ ପକ୍ଷରୁ ବଡୁ ନିଯୋଗ ଓ ବ୍ରାହ୍ମଣ ନିଯୋଗଙ୍କୁ ବୁଝେଇବା ପାଇଁ ଚାଲିଛି ପ୍ରୟାସ । ବଡୁ ନିଯୋଗର ବକେୟା ଶ୍ରାବଣୀ ପ୍ରାପ୍ୟ ଓ ପରମ୍ପରା ରକ୍ଷା ଦାବି କରୁଛି ବ୍ରାହ୍ମଣ ନିଯୋଗ । ଚଳିତ ଥର ଏହି ସମସ୍ୟାର ସମାଧାନ ନହେଲେ ୧୦ ତାରିଖରେ ବ୍ରାହ୍ମଣ ନିଯୋଗ ଅସହଯୋଗ କରିବାକୁ ଚେତାବନୀ ଦେଇଛି ।
ଦେବୋତ୍ତର କମିଶନରଙ୍କ ସହ ମନ୍ଦିର ପ୍ରଶାସନ ଓ ବିଏମସିର ଅଧିକାରୀସ୍ତରୀୟ ଟିମ୍ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି କୁହାଯାଇଛି । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ଓ ସୁରୁଖୁରୁରେ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଳନ ହେବ ବୋଲି ଆଶା ରଖିଛନ୍ତି ବିଏମସି ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ ।