ନୂଆଦିଲ୍ଲୀ: ୨୦୨୩ ଜାନୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଆଗାମୀ ୪୦ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଚେତାବନୀ ମଧ୍ୟ ଦେଇଛନ୍ତି । କୋଭିଡ୍ର ପୂର୍ବ ଲହରଗୁଡିକର ପ୍ୟାଟର୍ଣ୍ଣକୁ ଅନୁଧ୍ୟାନ କରାଯିବାପରେ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ସତର୍କବାଣୀ ଜାରି କରାଯାଇଛି । ଯେତେବେଳେ ଇଷ୍ଟ (ପୂର୍ବ) ଏସିଆରେ କୋଭିଡ୍ର ନୂଆ ଲହର ଦେଖାଦେଇଛି, ଠିକ୍ ତାହାର ୩୦-୩୫ ଦିନ ମଧ୍ୟରେ ଏହା ଭାରତକୁ ବ୍ୟାପିଥିବା ଲକ୍ଷ୍ୟ କରାଯାଇଛି । ଚଳିତମାସରେ କୋଭିଡ୍ର ନୂଆ ଭାରିଆଣ୍ଟ୍ ବିଏଫ୍.୭ରେ ଆକ୍ରାନ୍ତ ଚାରିଜଣ ରୋଗୀ ଭାରତରେ ଚିହ୍ନଟ ହୋଇସାରିଛନ୍ତି । ତେଣୁ ଜାନୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଭାରତରେ ସଂକ୍ରମଣ ବୃଦ୍ଧି ପାଇବ ବୋଲି କୁହାଯାଇଛି । ବିଗତ ଦୁଇଦିନ ମଧ୍ୟରେ ବିଦେଶରୁ ଫେରିଥିବା ୬ ହଜାର ଯାତ୍ରୀଙ୍କ କୋଭିଡ୍ ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୯ ଜଣ ସଂକ୍ରମିତ ହୋଇଥିବାର ପ୍ରମାଣ ମିଳିଛି । ଏହି ପରିପ୍ରେକ୍ଷୀରେ ସ୍ଥିତି ଅନୁଧ୍ୟାନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡ୍ଭିଆ ଆସନ୍ତାକାଲି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ବିମାନବନ୍ଦର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯଇଛି । ଚଳିତ ଲହରରେ ସଂକ୍ରମଣ ହାର ଏତେଟା ଉଦ୍ବେଗଜନକ ରହିବ ନାହିଁ ଏବଂ ତତ୍ଜନିତ ମୃତ୍ୟୁହାର ଏବଂ ଡାକ୍ତରଖାନାରେ କୋଭିଡ୍ ରୋଗୀଙ୍କ ସଂଖ୍ୟା ଅପେକ୍ଷାକୃତ କମ ରହିବ ବୋଲି କୁହାଯାଇଛି । ଶନିବାରଠାରୁ ବିଭିନ୍ନ ଏୟାରପୋର୍ଟରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ମଧ୍ୟରୁ ଅତିକମରେ ଦୁଇ ପ୍ରତିଶତ ଯାତ୍ରୀଙ୍କ ର୍ୟାଣ୍ଡମ୍ ଟେଷ୍ଟ କରାଯାଉଛି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହରୁ ଚୀନ୍, ଜାପାନ, ଦକ୍ଷିଣ କୋରିଆ, ହଂକଂ, ବ୍ୟାଙ୍କକ୍ ଏବଂ ସିଙ୍ଗାପୁରରୁ ଆସୁଥିବା ବିମାନଯାତ୍ରୀଙ୍କ ପାଇଁ ୭୨ ଘଣ୍ଟା ପୂର୍ବରୁ ପ୍ରାପ୍ତ ଆର୍ଟି-ପିସିଆର ରିପୋର୍ଟକୁ ବାଧ୍ୟତାମୂଳକ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି । ଭାରତ ଆସୁଥିବା ଆନ୍ତର୍ଜାତିକ ବିମାନଯାତ୍ରୀଙ୍କୁ ‘ଏୟାର ସୁବିଧା’ ଫର୍ମ ମଧ୍ୟ ପୂରଣ କରିବାକୁ ପଡିବ । ଚୀନ୍ ଓ ଦକ୍ଷିଣ କୋରିଆ ଭଳି ରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ହୁ ହୁ ହୋଇ ବଢୁଥିବାରୁ ସମସ୍ତ ପ୍ରକାର ଜରୁରୀ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଲହର ଆସିଲେ, ପ୍ରସ୍ତୁତି କାର୍ଯ୍ୟ କିପରି ଚାଲିଛି,ତାହା ତଦାରଖ କରିବାକୁ ମଙ୍ଗଳବାର ଦେଶବ୍ୟାପୀ ବିଭିନ୍ନ ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ଦେଖାଦେଇଥିବା ଓମିକ୍ରନ୍ର ବିଏଫ୍.୭ ସବ୍ଭାରିଆଣ୍ଟ୍ କ୍ଷୀପ୍ରଗତିରେ ସଂକ୍ରମିତ ହେବାର ଆଶଙ୍କା ରହିଛି । ଏହି ସବ୍ଭାରିଆଣ୍ଟ୍ରେ ଆକ୍ରାନ୍ତ ବ୍ୟକ୍ତି ଅନ୍ୟ ୧୬ ଜଣଙ୍କୁ ସଂକ୍ରମିତ କରିବାର ସମ୍ଭାବନା ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ମାଣ୍ଡ୍ଭିଆ ଦୃଢୋକ୍ତି ପ୍ରକାଶ କରିଛନ୍ତି ।