31.1 C
Bhubaneswar
Saturday, September 14, 2024
Homeଓଡିଶାସରକାରୀ ସ୍କୁଲରେ କୋଭିଡ ନିୟମ ହେବ କଡ଼ାକଡ଼ି : ପ୍ରତିଦିନ ପ୍ରଧାନଶିକ୍ଷକ ଦେବେ ରିପୋର୍ଟ

ସରକାରୀ ସ୍କୁଲରେ କୋଭିଡ ନିୟମ ହେବ କଡ଼ାକଡ଼ି : ପ୍ରତିଦିନ ପ୍ରଧାନଶିକ୍ଷକ ଦେବେ ରିପୋର୍ଟ

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଏବଂ ବରଗଡ଼ର ବିକାଶ ଇଂରାଜୀ ମାଧ୍ୟମ ସ୍କୁଲରେ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହେବା ପରେ ରାଜ୍ୟରେ ସବୁ ସ୍କୁଲରେ କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଓସେପା ପକ୍ଷରୁ କୋଭିଡ ମନିଟରିଂ ସେଲ ମଙ୍ଗଳବାର ଗଠନ କରାଯାଇଛି । ଏଥିରେ ଓସେପାର ୨ଜଣ ବରିଷ୍ଠ ଅଧିକାରୀଙ୍କୁ କୋଭିଡ କମ୍ପ୍ଲାଏନ୍ସ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ଏହାବ୍ୟତୀତ ଜିଲ୍ଲାସ୍ତରରେ କୋଭିଡ ସେଲ ଗଠନ ସହ ବିଆର୍‌ସିସି ଏବଂ ସିଆର୍‌ସିସିକୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି ।

ଛାତ୍ରଛାତ୍ରୀ ଏବଂ ଶିକ୍ଷକ-କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସ୍କୁଲ ୱାରୀ ଦୈନିକ ରିପୋର୍ଟ ସରକାର ଯାଞ୍ଚ କରିବେ । ପ୍ରତିଦିନ ସ୍କୁଲର ସମ୍ପୂର୍ଣ୍ଣ ତଥ୍ୟ ପ୍ରଧାନଶିକ୍ଷକ ଅପରାହ୍ନ ୧ଟା ସୁଦ୍ଧା ବିଭାଗକୁ ମୋବାଇଲ ଏବଂ ପୋର୍ଟାଲ ମାଧ୍ୟମରେ ପ୍ରଦାନ କରିବେ । ଯେଉଁଥିରେ ବିଷୟଭିତ୍ତିକ ଶିକ୍ଷକଙ୍କ ତାଲିକା, କେଉଁ ପରିରିୟଡରେ କେତେଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ, ସ୍କୁଲକୁ କେତେ ପିଲାଙ୍କର ପ୍ରବେଶ ହୋଇଥିଲା, ପ୍ରତି ଶ୍ରେଣୀରେ କେତେ ଜଣ ଛାତ୍ରଛାତ୍ରୀ ବସିବାର ବ୍ୟବସ୍ଥା କରାଯାଇଛି, ପ୍ରବେଶ ସମୟରେ ହୋଇଥିବା ଥର୍ମାଲ ସ୍କାନିଂ ରିପୋର୍ଟ ମଧ୍ୟ ବିଭାଗକୁ ପ୍ରଧାନ ଶିକ୍ଷକ ଦେବେ । ସେହିପରି ଦୈନିକ ସ୍କୁଲକୁ ବିଭାଗର କେଉଁ ଅଧିକାରୀମାନେ କୋଭିଡ ନିୟମ ଯାଞ୍ଚ ଲାଗି ପରିଦର୍ଶନ କରିଛନ୍ତି ତାହା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରିବା ବାଧ୍ୟତାମୂଳକ କରାଯାଇଛି ।

ଯଦି କେଉଁ ସ୍କୁଲରେ କୋଭିଡ ନିୟମକୁ ସଠିକ ଭାବେ ପାଳନ କରାଯାଉନଥିବା ଅଭିଯୋଗ ହୁଏ ତେବେ ତାହାର କାରଣ ପ୍ରଧାନଶିକ୍ଷକ ଦେବେ । ସୂଚନା ଅନୁଯାୟୀ, ରାଜ୍ୟରେ କୋଭିଡ ପରିସ୍ଥିତିକୁ ଅନୁଧ୍ୟାନ କରି ନବମ ଏବଂ ଦଶମ ଶ୍ରେଣୀ ଲାଗି ସ୍କୁଲ ଖୋଲିଥିଲା । ସେହିପରି ଯେଉଁ ସବୁ ସ୍କୁଲରେ ଛାତ୍ରବାସ ରହିଛି ସେଠାରେ ଛାତ୍ରାବାସ ମଧ୍ୟ ଖୋଲିଥିଲା । କୋଭିଡ ଲାଗି ବିଭାଗ ପକ୍ଷରୁ ଜାରି ହୋଇଥିବା ଏସ୍‌ଓପିକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ମାତ୍ର ରାଜ୍ୟରେ ସ୍କୁଲରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ କୋଭିଡ ଆକ୍ରାନ୍ତ ହେବା ପରେ ଚିନ୍ତା ବଢ଼ିଛି । ତେଣୁ ଏହାକୁ ଅଧିକ ଗୁରୁତ୍ୱ ଦେଇ ଆଗକୁ ଯେପରି ସମସ୍ୟା ନହେବ ସେଥିଲାଗି ସତର୍କ ରହିବାକୁ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ସେହିପରି ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନ୍‌କୁ କଡ଼ାକଡ଼ି ପାଳନ କରିବା ସହ ସ୍କୁଲର ସ୍ଥିତି ପ୍ରତିଦିନ ବିଭାଗକୁ ଅବଗତ କରାଯିବ । ସ୍କୁଲର ପ୍ରଧାନଶିକ୍ଷକମାନେ ଏଥିଲାଗି ଗୁରୁତ୍ୱ ଦେବେ । ତେବେ ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଥିବାରୁ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଗୁରୁତ୍ୱ ଦେବା ସହ ପାଠପଢ଼ାରେ ଯେପରି ସମସ୍ୟା ନହୁଏ ସେଥିଲାଗି ସ୍କୁଲର ପ୍ରଧାନଶିକ୍ଷକ ନଜର ଦେବେ। ଦୈନିକ ରିପୋର୍ଟ ମିଳିବା ପରେ ତାହାର ଯାଞ୍ଚ କରାଯାଇ ମାସକୁ ୨ଥର ସ୍କୁଲ ମନିଟରିଂ ବ୍ୟବସ୍ଥାର ସମୀକ୍ଷା କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking