ନୂଆଦିଲ୍ଲୀ: ଦେଶରେ ପୁଣି ହେଲା ଉପରମୁହାଁ କୋରୋନା ଗ୍ରାଫ୍ । ଲଗାତାର ଦ୍ବିତୀୟ ଦିନରେ ୨୧ ହଜାର ଟପିଲା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୨୧,୮୮୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଉଛି । ଦିନକରେ ୬୦ ଜଣ ଆକ୍ରାନ୍ତ ଆଖି ବୁଜିଥିବା ବେଳେ ୨୧,୨୧୯ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା ୪,୩୧,୭୧,୬୫୩କୁ ବୃଦ୍ଧି ପାଇଛି ।
ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଦେଢ ଲକ୍ଷ ପାଖାପାଖି ରହିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୪୯,୪୮୨କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ସମୁଦାୟ ୫,୨୫,୯୩୦ ଜଣ କୋରୋନା ସଂକ୍ରମଣ ପ୍ରାଣ ହରାଇଛନ୍ତି । ଦେଶବ୍ୟାପୀ ମୋଟ ୨୦୦ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୩୭,୦୬,୯୯୭ ଜଣଙ୍କୁ ଟିକା ଦିଆଯାଇଛି ।