28.1 C
Bhubaneswar
Monday, November 18, 2024
Homeକରୋନାକରୋନା କବଳରେ ଆଇ-ଲିଗ୍‌ : ୩ ଟିମ୍‌ର ସାତ ଖେଳାଳିଙ୍କ ସମେତ ୧୦ ସଂକ୍ରମିତ

କରୋନା କବଳରେ ଆଇ-ଲିଗ୍‌ : ୩ ଟିମ୍‌ର ସାତ ଖେଳାଳିଙ୍କ ସମେତ ୧୦ ସଂକ୍ରମିତ

କୋଲ୍‌କାତା :  କୋଲ୍‌କାତାର ବିଭିନ୍ନ ଷ୍ଟାଡିୟମ୍‌ରେ ଚାଲିଥିବା ଆଇ-ଲିଗ୍ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ୍ ବୁଧବାର କୋଭିଡ୍‌-୧୯ ସଂକ୍ରମଣ ଦ୍ୱାରା କବଳିତ ହୋଇଛି । ବାୟୋ ବବଲ୍‌ରେ ରହିବା ଏବଂ ଖେଳିବା ସତ୍ତ୍ୱେ ବିଭିନ୍ନ ଟିମ୍‌ର କେତେକ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୭ ଖେଳାଳିଙ୍କ ସମେତ ୧୦ ଜଣରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା କୁହାଯାଉଛି । ଏହା ମଧ୍ୟରେ ରିୟଲ୍ କଶ୍ମୀର ଏଫ୍‌ସିର ୫, ମହମ୍ମଡାନ୍ ସ୍ପୋର୍ଟିଂ ଓ ଶ୍ରୀନିଧି ଡେକ୍କାନ୍ ଏଫ୍‌ସିର ଜଣେ ଲେଖାଏଁ ଖେଳାଳି ମଙ୍ଗଳବାର ପଜିଟିଭ୍ ଚିହ୍ନଟ ହୋଇଥିବା ଲିଗ୍‌ର ଏକ ଶୀର୍ଷ ସୂତ୍ରରୁ ଜଣାଯାଇଛି । ଏହି ମାମଲା ନୋଭୋଟେଲ୍ ହୋଟେଲରୁ ମିଳିଛି ।  ଆୟୋଜକଙ୍କ ଦ୍ୱାରା ପ୍ରସ୍ତୁତ ତିନିଟି ବାୟୋ ବବଲ୍ ମଧ୍ୟରୁ ଏହା ଅନ୍ୟତମ । ଏଠାରେ ରିୟଲ୍ କଶ୍ମୀର ଏଫ୍‌ସି, ମହମ୍ମଡାନ୍ ସ୍ପୋର୍ଟିଂ ଓ ଶ୍ରୀନିଧି ଡେକ୍କାନ୍ ବ୍ୟତୀତ ରାଜସ୍ଥାନ ୟୁନାଇଟେଡ୍‌, ଆଇଜଲ୍ ଏଫ୍‌ସି ଓ ନେରୋକା ଟିମ୍ ମଧ୍ୟ ଅବସ୍ଥାନ କରୁଥିଲେ ।

କରୋନା ସଂକ୍ରମଣ ମାମଲା ଦେଖା ଦେଇଥିବାରୁ ଲିଗ୍‌କୁ ଜାରି ରଖାଯିବ କିମ୍ବା ନିଲମ୍ବିତ କରାଯିବ ସେ ନେଇ ଲିଗ୍ କମିଟିର ଏକ ଜରୁରୀ ବୈଠକ ଡକାଯାଇଛି । ଲିଗ୍‌ର ସିଇଓ ସୁନନ୍ଦୋ ଧର କହିଛନ୍ତି ‘ଲିଗ୍ କମିଟିର ଜରୁରୀ ବୈଠକ ସନ୍ଧ୍ୟା ଚାରିଟା ବେଳେ ଡକାଯାଇଛି । ଏଥିରେ ଲିଗ୍‌ର ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଖେଳାଳି ଓ ଅଧିକାରୀଙ୍କ ସୁରକ୍ଷା ସର୍ବୋଚ୍ଚ ବୋଲି ସେ କହିଥିଲେ ମଧ୍ୟ ପଜିଟିଭ୍ ମାମଲାର ସଠିକ୍ ସଂଖ୍ୟା ସମ୍ପର୍କରେ କିଛି ସୂଚନା ଦେଇନଥିଲେ । ଲିଗ୍‌ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲ୍‌ରେ ଟ୍ୱିଟ୍ କରାଯାଇଛି ଯେ ‘ଆଇ-ଲିଗ୍ ଟିମ୍‌ରେ କେତେକ ପଜିଟିଭ୍ ମାମଲା ଚିହ୍ନଟ ହୋଇଛି ।

ଲିଗ୍ ପକ୍ଷରୁ ଏହା ଉପରେ ନଜର ରଖାଯାଇଛି ଏବଂ କ୍ଲବ୍‌ଗୁଡ଼ିକ ସହିତ କଥାବାର୍ତ୍ତା କରାଯାଇଛି । ଏହା ବ୍ୟତୀତ ଲିଗ୍ କମିଟିର ଜରୁରୀ ବୈଠକ ଡକାଯାଇଛି ଏବଂ ପରବର୍ତ୍ତୀ ସୂଚନା ଖୁବ୍‌ଶୀଘ୍ର ଦିଆଯିବ । ସୂଚନାଯୋଗ୍ୟ, ରବିବାରଠାରୁ ଆରମ୍ଭ ହୋଇଥିବା ଚଳିତ ଆଇ-ଲିଗ୍‌ରେ ୧୩ଟି ଟିମ୍ ଭାଗ ନେଇଛନ୍ତି । ମ୍ୟାଚ୍‌ଗୁଡ଼ିକ ତିନିଟି ଭେନ୍ୟୁ କୋଲ୍‌କାତାର ମୋହନ ବାଗାନ ଗ୍ରାଉଣ୍ଡ୍‌, କଲ୍ୟାଣୀର କଲ୍ୟାଣୀ ଷ୍ଟାଡିୟମ୍ ଏବଂ ନୌହାଟିର ନୌହାଟି ଷ୍ଟାଡିୟମ୍‌ରେ ଖେଳାଯାଉଛି । ରିୟଲ୍ କଶ୍ମୀର ଏଫ୍‌ସିରେ କେତେକ ଖେଳାଳି ସଂକ୍ରମିତ ହୋଇଥିବା ଏହାର ମାଲିକ ସନ୍ଦୀପ ଚଟ୍ଟୁ ସ୍ୱୀକାର କରିଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ସଂଖ୍ୟା ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking