30.1 C
Bhubaneswar
Friday, May 3, 2024
Homeଓଡିଶାକୋଭିଡ ସଂକ୍ରମଣ କମୁଛି ତଥାପି ଅଭିଭାବକ ଚିନ୍ତିତ

କୋଭିଡ ସଂକ୍ରମଣ କମୁଛି ତଥାପି ଅଭିଭାବକ ଚିନ୍ତିତ

୧୪ରୁ ଖୋଲିବ ପ୍ରାଥମିକ ସ୍କୁଲ, କଟକଣାକୁ ନେଇ ଆଶଙ୍କା
ଭୁବନେଶ୍ୱର:  ଗତ ୨ବର୍ଷ ହେବ ରାଜ୍ୟରେ ପ୍ରାଥମିକ ସ୍କୁଲରେ ଶ୍ରେଣୀ ଶିକ୍ଷାଦାନ ବ୍ୟବସ୍ଥା ବନ୍ଦ ରହିଛି । ଯଦିଓ ଗତ ଜାନୁଆରୀରେ ୩ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିବ ବୋଲି ନିଷ୍ପତ୍ତି ହୋଇଥିଲା ତେବେ ସେ ସମୟରେ କରୋନା ସଂକ୍ରମଣ ଗ୍ରାଫ୍ ଉପରମୁହାଁ ଥିବାରୁ ସ୍କୁଲ ଖୋଲିବାର ଗୋଟିଏ ଦିନ ପୂର୍ବରୁ ପୁଣି ବନ୍ଦ ରଖିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଯାହା ବି ହେଉ ଶେଷରେ ରାଜ୍ୟରେ ପ୍ରଥମରୁ ସ୍କୁଲ ଖୋଲିବା ଏବଂ ଅଫ୍‌ଲାଇନ୍ ପାଠପଢ଼ା ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଆସନ୍ତା ୧୪ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ । ରାଜ୍ୟରେ କୋଭିଡ ସ୍ଥିତିରେ ସୁଧାର ଆସିଥିଲେ ହେଁ ସ୍କୁଲରେ ପିଲାମାନେ କିପରି ଗାଇଡ୍‌ଲାଇନ୍ ଅନୁସାରେ ପାଠପଢ଼ିବେ ସେନେଇ ଅଭିଭାବକ ଚିନ୍ତିତ ହୋଇପଡିଛନ୍ତି ।

କିଛି ଅଭିଭାବକଙ୍କ କହିବା ଅନୁଯାୟୀ, ପ୍ରଥମଶ୍ରେଣୀ ହେଉବା ୫ମ ଶ୍ରେଣୀ କୁନିକୁନି ପିଲାମାନେ ଦୀର୍ଘ ସମୟ ମାସ୍କ ପରିଧାନ କିପରି କରିବେ । ଅନେକ କ୍ଷେତ୍ରରେ ବଡଲୋକମାନେ ଯଦି ଠିକ୍ ଭାବେ କୋଭିଡ ଗାଇଡଲାଇନ୍ ପାଳନ କରିବାରେ ଅସମର୍ଥ ହୋଇପଡୁଛନ୍ତି ସେପରି ସ୍ଥିତିରେ କୁନିକୁନି ପିଲାମାନେ କିପରି ଗାଇଡ ଲାଇନ୍‌କୁ ମାନିବେ । ସ୍କୁଲରେ ଗୋଟିଏ ଶ୍ରେଣୀରେ କେତେ ପିଲା ବସିବେ, ଶିକ୍ଷାଦାନ ବ୍ୟବସ୍ଥା କିପରି ହେବ, ଯେଉଁ ପିଲାମାନେ ସ୍କୁଲ ଯିବେ ସେମାନଙ୍କ ମଧ୍ୟରୁ ଯଦି କୌଣସି ପିଲାର ପରିବାର ସଦସ୍ୟ କୋଭିଡରେ ସଂକ୍ରମିତ ହୋଇଥାଏ ତେବେ କ’ଣ ହେବ ସେ ଦିଗରେ ଅଭିଭାବକ ଆଶଙ୍କା ପ୍ରକଟ କରୁଛନ୍ତି । ସରକାରୀ ତଥା ଘରୋଇ ସ୍କୁଲ ଅପେକ୍ଷା ସରକାରୀ ସ୍ୱିକୃତୀପ୍ରାପ୍ତ ସ୍କୁଲ ଗୁଡିକରେ ପଢ଼ୁଥିବା ପିଲାଙ୍କ ଅଭିଭାବକମାନେ ଅଧିକ ଚିନ୍ତିତ ହୋଇପଡିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ସରକାରୀ ସ୍କୁଲଗୁଡିକରେ ଯାଞ୍ଚ ନିୟମିତ ଭାବେ କରାଯିବ ।

ଘରୋଇ ସ୍କୁଲ ଭିତ୍ତିଭୂମୀ ଉନ୍ନତ ଥିବା ବେଳେ ଅଭିଭାବକଙ୍କ ଠାରୁ ମୋଟା ଅଙ୍କର ଫି’ ନେଉଥିବାରୁ ସେମାନେ ଗାଇଡଲାଇନ୍ ଅନୁସାରେ ଠିକ୍ ବ୍ୟବସ୍ଥା କରିବେ । ମାତ୍ର ଯେଉଁ ସ୍କୁଲ ଗୁଡିକ ସ୍ୱିକୃତୀପ୍ରାପ୍ତ ସମ୍ପୃକ୍ତ ସ୍କୁଲରେ ଭିତ୍ତିଭୂମି ଆବ୍ୟାକତା ଅନୁଯାୟୀ ନାହିଁ । ଗୋଟିଏ ଶ୍ରେଣୀରେ ପୂର୍ବରୁ ୫୦ରୁ ୬୦ପିଲା ବସୁଥିଲେ । ଅଧିକ ଶ୍ରେଣୀ କକ୍ଷ ନଥିବାରୁ ଏବେ ଗୋଟିଏ କ୍ଲାସରେ କେତେଜଣ ପିଲା ବସିବେ ତାହା ମୁଖ୍ୟ ପ୍ରସଙ୍ଗ ପାଲଟିଛି । ୧୫ରୁ ଉର୍ଦ୍ଧ ପିଲାଙ୍କ ଲାଗି ଟିକାକରଣ ଆରମ୍ଭ ହୋଇଥିବା ବେଳେ ପ୍ରଥମରୁ ୫ମ ମଧ୍ୟରେ ପଢ଼ୁଥିବା ପିଲାଙ୍କ ଲାଗି ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ସ୍କୁଲ ଖୋଲିବା ଲାଗି ଯଦି ନିଷ୍ପତ୍ତି ହୋଇଛି ତେବେ ପିଲାଙ୍କ ସୁରକ୍ଷା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଅଭିଭାବକମାନେ ଦାବି କରିଛନ୍ତି ।

ଏପରି ସମସ୍ୟା ସମ୍ପର୍କରେ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସବୁ ପିଲା ସ୍କୁଲ ଆସିବା ବାଧ୍ୟତାମୂଳକ କରାଯାଇ ନାହିଁ । ଯେଉଁ ଅଭିଭାବକମାନେ ଚାହିଁବେ ସେମାନେ ପିଲାଙ୍କୁ ସ୍କୁଲ ପଠାଇବେ । ମାତ୍ର ଅନୁମତି ପତ୍ର ସ୍କୁଲରେ ଜମା କରିବା ବାଧ୍ୟତା ମୂଳକ । ସେହିପରି କେବଳ ସରକାରୀ ସ୍କୁଲ ନୁହେଁ ରାଜ୍ୟର ସବୁ ବର୍ଗର ସ୍କୁଲର ନିୟମିତ ଯାଞ୍ଚ କରାଯିବ । ସେଥିପାଇଁ ଜିଲ୍ଲା ଏବଂ ବ୍ଲକ ସ୍ତରରେ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି ।

ନିୟମିତ ସବୁ ସ୍କୁଲର ଯାଞ୍ଚ କରାଯାଇ ରିପୋର୍ଟ ଅପରାହ୍ଣ ୪ଟା ସୁଦ୍ଧା ବିଭାଗର େଓ୍‌ବସାଇଟରେ ଅପ୍‌ଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ସ୍କୁଲରେ ଅନୀୟମିତା  କିମ୍ବା କୋଭିଡ ଗାଇଡଲାଇଡ଼୍ ଠିକ୍ ଭାବେ ପାଳନ ହେଉନଥିବା ଜଣାପଡିବ ସମ୍ପୃକ୍ତ ସ୍କୁଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଗଣଶିକ୍ଷା ବିଭାଗର ଖୋଦ ମନ୍ତ୍ରୀ, ସଚିବ ଏବଂ ଉଚ୍ଚପଦସ୍ତ ଅଧିକାରୀମାନେ ମଧ୍ୟ ବିଭିନ୍ନ ସ୍କୁଲ ଅଚାନକ ଗ୍ରସ୍ତ କରି ବ୍ୟବସ୍ଥାର ଅନୁଧ୍ୟାନ କରିବେ ବୋଲି ନିଷ୍ପତ୍ତି ହୋଇଛି ।  ଯଦି ବ୍ୟବସ୍ଥାରେ କିଛି ସମସ୍ୟା ସୃଷ୍ଟି ହୁଏ ତେବେ ସେ ସମୟର ପରିସ୍ଥିତିକୁ ନଜର ଦେଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking