ନୂଆଦିଲ୍ଲୀ: ଆମେରିକାରୁ ଫେରୁଛନ୍ତି ବେଆଇନ ପ୍ରବାସୀ । ବେଆଇନ ଭାବରେ ଆମେରିକାରେ ଥିବା ଭାରତୀୟମାନଙ୍କୁ ଟ୍ରମ୍ପ ସରକାର ଦେଶରୁ ବିତାଡିତ କରୁଛନ୍ତି । ଶନିବାର ଦ୍ବିତୀୟ ବ୍ୟାଚରେ ୧୧୯ଜଣଙ୍କୁ ନେଇ ଆମେରିକା ସେନା ବିମାନ ଅମୃତସରରେ ପହଁଚିଥିବାବେଳେ ଆଜି ଆଉ ଶତାଧିକ ପହଞ୍ଚିବେ । ତେବେ ବିମାନ ଅମୃତସର ବିମାନବନ୍ଦରରେ ଅବତରଣ କରିବା ନେଇ ରାଜନୀତି ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ । କହିଛନ୍ତି , ଯଦି ଦେଶର ବିଭିନ୍ନ ରାଜ୍ୟରୁ ଲୋକ ଫେରୁଛନ୍ତି ତେବେ ବିମାନକୁ କ’ଣ ପାଇଁ ଅମୃତସରରେ ଅବତରଣ କରାଯାଉଛି । ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଷଡଯନ୍ତ୍ର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ମାନଙ୍କୁ ଜବାବ ଦେଇ ବିଜେପି କହିଛି ଆମେରିକାରୁ ଭାରତରେ ପ୍ରବେଶ କରୁଥିବା ବିମାନ ପାଇଁ ଅମୃତସର ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ନିକଟତମ ବିମାନବନ୍ଦର । ତେଣୁ ଏଠାରେ ବିମାନ ଅବତରଣ କରାଯାଉଛି । ଦେଶରେ ଯେଉଁମାନେ ଅବୈଧ କାଗଜପତ୍ରରେ ରହିଆସୁଥିଲେ ସେମାନଙ୍କୁ ବିତାଡିତ କରୁଛନ୍ତି ଆମେରିକାରେ ଟ୍ରମ୍ପ ସରକାର । ତାଲିକାରେ ଅଛନ୍ତି ୧୮ହଜାର ଭାରତୀୟ । ଅନ୍ୟପଟେ , ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଅନ୍ୟ ଏକ ପ୍ରସଙ୍ଗରେ ଘେରିଛନ୍ତି । ଫେରୁଥିବା ଭାରତୀୟଙ୍କ ସହ ଟ୍ରମ୍ପ ସରକାର ଦୁବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଯାଇଥିଲେ କିନ୍ତୁ ଭାରତୀୟଙ୍କ ପ୍ରତି ହୋଇଥିବା ଦୁବ୍ୟବହାର ପ୍ରସଙ୍ଗ କ’ଣ ପାଇଁ ଉଠାଇନଥିଲେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।