ଶ୍ରୀନଗର: ‘ମୋତେ ବେଳେବେଳେ ଅନୁଭବ ହୁଏ ଯେ, ବୋଧହୁଏ ବିଜେପି ଜିତୁ ବୋଲି କଂଗ୍ରେସ ଚାହେଁ । ଜମ୍ମୁ-କାଶ୍ମୀରର ଡୋଡା ଅଞ୍ଚଳରେ ଆୟୋଜିତ ଏକ ନିର୍ବାଚନୀ ପ୍ରଚାର ସଭାରେ ଏପ୍ରକାର ବିବୃତି ଦେଇଛନ୍ତି ପୂର୍ବତନ କଂଗ୍ରେସ ନେତା ତଥା ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ଆଜାଦ୍ ପାର୍ଟି ନାମରେ ନିଜର ଏକ ରାଜନୈତିକ ଦଳ ଗଠନ କରିଥିବା ଗୁଲାମ ନବୀ ଆଜାଦ୍ । ପ୍ରକାଶ, ଆଜାଦ୍ ଏବେ ନିଜ ଦଳ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ଆଜାଦ୍ ପାର୍ଟିର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରୁଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ସେ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରସୋରରେ ପ୍ରଚାର କରୁଥିବାର ଦେଖିବାକୁ ମିଳୁଛି । ତେବେ ଜମ୍ମୁ କାଶ୍ମୀରର ସମସ୍ତ ଲୋକସଭା ଆସନ ସହ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ସେ ନିଜ ଦଳ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହିକ୍ରମେ ଆଜାଦ୍ ଉଭୟ କଂଗ୍ରେସ ଏବଂ ବିଜେପିକୁ ସମାଲୋଚନା କରିବା ଦେଖିବାକୁ ମିଳୁଛି ।
ଡୋଡା ଠାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଆଜାଦ୍ କହିଛନ୍ତି, କଂଗ୍ରେସ-ବିଜେପି ଏବେ ପରସ୍ପର ମଧ୍ୟରେ ଗୁପ୍ତ ବୁଝାମଣା କରିଥିବା ନେଇ ସେ ବେଳେବେଳେ ସନ୍ଦେହ କରୁଛନ୍ତି । କଂଗ୍ରେସର ୨୩ ବିଦ୍ରୋହୀ ନେତାଙ୍କ ସମ୍ପର୍କରେ ଉଦାହରଣ ଦେଇ ଆଜାଦ୍ କହିଛନ୍ତି ଯେ, ‘କଂଗ୍ରେସରେ ଚାଲିଥିବା ସଂସ୍କାରଗତ ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ତାଙ୍କୁ ମିଶାଇ ଦଳର ୨୩ ବରିଷ୍ଠ ନେତା ଲଢ଼େଇ କରିଥିଲେ । କିନ୍ତୁ କଂଗ୍ରେସ ହାଇକମାଣ୍ଡ ସେତେବେଳେ ସେମାନଙ୍କ କଥା ଶୁଣି ନଥିଲେ ।’ ଯାହାର ଫାଇଦା ବିଜେପିକୁ ହିଁ ହୋଇଥିଲା । ଆଜାଦ୍ଙ୍କ କହିବାନୁସାରେ ଏହି ଅଞ୍ଚଳ ପାଇଁ ତଥା ସମଗ୍ର ଦେଶ ପାଇଁ ଦାରିଦ୍ର୍ୟ, ବେରୋଜଗାରୀ ଓ ବର୍ଦ୍ଧିତ ମୁଦ୍ରାସ୍ଫୀତି ମୁଖ୍ୟ ପ୍ରସଙ୍ଗ ରହିଛି । ତେବେ ଧର୍ମ ଆଧାରରେ ନୁହେଁ, ବିକାଶ ଆଧାରରେ ନିର୍ବାଚନ ଲଢ଼ାଯାଏ । ସେହିପରି ବିଚ୍ଛିନ୍ନତାବାଦୀଙ୍କ ସମେତ ସମସ୍ତ ରାଜନୀତିକ ଦଳକୁ ସମାଲୋଚନା କରି ଆଜାଦ୍ କହିଛନ୍ତି ଯେ, ଏହି ରାଜନେତାମାନଙ୍କ ଯୋଗୁ ଜମ୍ମୁ ଓ କଶ୍ମୀରରେ ୧ ଲକ୍ଷ ଲୋକଙ୍କୁ ହତ୍ୟା କରାଯାଇଛି । ଏହା ଜମ୍ମୁ-କାଶ୍ମୀରବାସୀ ଭୁଲିବା ଉଚିତ୍ ନୁହେଁ । ଦେଶର ଅନ୍ୟ ସବୁ ଅଞ୍ଚଳ ପରି ଜମ୍ମୁ ଓ କଶ୍ମୀରରେ ମଧ୍ୟ ଏଥର ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଉଧମପୁର ଆସନ ପାଇଁ ଏପ୍ରିଲ ୧୯ରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଜମ୍ମୁ ପାଇଁ ଏପ୍ରିଲ ୨୬, ଅନନ୍ତନାଗ-ରଜୌରୀ ପାଇଁ ମେ’ ୭, ଶ୍ରୀନଗର ପାଇଁ ମେ’ ୧୩ ଓ ବାରାମୂଲା ପାଇଁ ମେ’ ୨୦ରେ ଭୋଟ୍ ଗ୍ରହଣ ହେବ ।