28.1 C
Bhubaneswar
Sunday, March 30, 2025
Homeଓଡିଶାନିଲମ୍ବନ ଆଦେଶ ପରେ ତାତିଲା କଂଗ୍ରେସ, ମାଷ୍ଟରକ୍ୟାଣ୍ଟିନରେ ଧାରଣା

ନିଲମ୍ବନ ଆଦେଶ ପରେ ତାତିଲା କଂଗ୍ରେସ, ମାଷ୍ଟରକ୍ୟାଣ୍ଟିନରେ ଧାରଣା

ଭୁବନେଶ୍ବର: ବିଧାନସଭାରୁ ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପରେ ଫୁଲ୍ ଆଗ୍ରେସିଭ ମୋଡ଼କୁ ଆସିଛି ଦଳ । ବିଧାନସଭା ଭିତରରେ କଂଗ୍ରେସ ବିଧାୟକମାନେ ଧାରଣାରେ ବସିଥିବା ବେଳେ ବାହାରେ ଦଳର ବରିଷ୍ଠ ନେତା ଏବଂ କର୍ମୀଙ୍କ ଜୋରଦାର ପ୍ରତିବାଦ ଦେଖିବାକୁ ମିିଳିଥିଲା । ଏପରି କି କଂଗ୍ରେସ କର୍ମୀ ଏବଂ ପୋଲିସ ମଧ୍ୟରେ ମୁଁହାମୁଁହି ସ୍ଥିତି ଉପୁଜିଥିଲା । ବିଧାନସଭା ଭିତରେ ଥିବା ନିଲମ୍ବିତ ବିଧାୟକମାନଙ୍କୁ ଭେଟିବାକୁ ଯିବାବେଳେ ପିସିସି ସଭାପତି ଏବଂ ୪ଜଣ ବରିଷ୍ଠ ନେତାଙ୍କୁ ଗେଟ ସାମ୍ନାରେ ଅଟକାଇଥିଲା ପୋଲିସ । ବିଧାନସଭା ଚତୁର୍ପାଶ୍ବରେ ୧୬୩ ଧାରା ଜାରି କରାଯାଇଥିଲା ଏବଂ ନିଲମ୍ବିତ ବିଧାୟକମାନଙ୍କୁ ଭେଟିବାକୁ ଅନୁମତି ଦେଇନଥିଲା ପୋଲିସ । ସେପଟେ ଗୃହ ଭିତରେ ନିଲମ୍ବିତ ବିଧାୟକମାନଙ୍କୁ ଉଠାଇବା ପାଇଁ ମାର୍ଶାଲମାନଙ୍କ ସହ ଠେଲାପେଲା ହୋଇଥିବା ଅଭିଯୋଗ ହୋଇଥିଲା ।

ମାଷ୍ଟରକ୍ୟାଣ୍ଟିନରେ ଧାରଣା ଦେଇଛନ୍ତି କଂଗ୍ରେସ ବିଧାୟକ:
ପିସିସି ସଭାପତିଙ୍କ ସହ ବହୁ ବରିଷ୍ଠ କଂଗ୍ରେସ ନେତା ବିଧାନସଭା ସମ୍ମୁଖରେ ଉପସ୍ଥିତ ରହି ପୋଲିସର କାର୍ଯ୍ୟକଳାପକୁ ନାପସନ୍ଦ କରିଛନ୍ତି । ବିଧାନସଭା ଭିତରେ ପୋଲିସର ଏଭଳି ବ୍ୟବହାରକୁ ସହଜରେ ଗ୍ରହଣ କରି ପାରିନି କଂଗ୍ରେସ ।ଏପରି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ପୋଲିସକୁ କଡ଼ା ସମାଲୋଚନା କରି କହିଥିଲେ,”ଆମର ବିଧାନସଭା ଭିିତରକୁ ଯିବା ପାଇଁ ଅଧିକାର ଅଛି କିନ୍ତୁ ପୋଲିସର ବିଧାନସଭା ଭିତରକୁ ଯିବାର ଅଧିକାର ନାହିଁ କି ଆମକୁ ଅଟକାଇବା ସେମାନଙ୍କ ଅଧିକାର ନାହିଁ ।”ପରିସ୍ଥିତି ଅଣଆୟତ ହେବାରୁ କଂଗ୍ରେସର କିଛି ବରିଷ୍ଠ ନେତା ଏବଂ କର୍ମୀଙ୍କୁ ଉଠାଇ ନେଇଥିଲା ପୋଲିସ । ସେପଟେ ବିଳମ୍ବିତ ରାତିରେ ବିଧାନସଭା ଭିତରୁ ଅନ୍ଦୋଳନରତ ବିଧାୟକମାନଙ୍କୁ ଉଠାଇ ଆଣିଛନ୍ତି ସୁରକ୍ଷାକର୍ମୀ । ବର୍ତ୍ତମାନ ସେମାନେ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିରେ ଧାରଣା ଦେଇଥିବା ସୂଚନା ମିଳିଛି ।

ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ ଆହତ :
ବିଧାନସଭା ଭିତରେ ୧୨ଜଣ ନିଲମ୍ବିତ ବିଧାୟକ ଖାଦ୍ୟ ଗ୍ରହଣ କଲେ ନାହିଁ ।ମାର୍ଶାଲଙ୍କ ସହ ବିଧାୟକମାନଙ୍କ ଠେଲାପେଲା ଫଳରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ ଆହତ ହେବା ସୂଚନା ଆସିଥିଲା । ଫଳରେ ବିଧାନସଭା ଗେଟ ସାମ୍ନାରେ ପହଞ୍ଚିଥିଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର, ପିସିସି ସଭାପତି ଭକ୍ତ ଚରଣ ଦାଶ,ଜୟଦେବ ଜେନା,ନିରଞ୍ଜନ ପଟ୍ଟନାୟକ, ଶରତ ରାଉତ ।ତେବେ ସେମାନଙ୍କୁ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦେଇନଥିଲା ପୋଲିସ । ଫଳରେ ପୋଲିସ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଏକ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଥିଲା ।

ପୋଲିସ ଆଇନ ବିରୋଧୀ କାମ କରୁଛି: କଂଗ୍ରେସ
ପୋଲିସର ବ୍ୟବହାର ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ ପିସିସି ସଭାପତି ଭକ୍ତ ଦାସ କହିଥିଲେ” ପୋଲିସ ଏବେ ଆଇନ ବିରୋଧୀ କାମ କରୁଛି। ପୋଲିସ ଆମକୁ ଉଠାଇବାକୁ ଯେତିକି ଚେଷ୍ଟା କରୁଛି ଯଦି ସେତିକି ଚେଷ୍ଟା ରାଜ୍ୟର ମହିଳାଙ୍କ ସୁରକ୍ଷା ଦିଗରେ କରିଥାନ୍ତି ,ତାହେଲେ ଆମ ରାଜ୍ୟରେ ମହିଳାମାନଙ୍କ ଉପରେ ଏତେ ଅପରାଧ ହୋଇନଥାନ୍ତା । ଆମର ଜଣେ ବିଧାୟକଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଉ ।” ହେଲେ ପୋଲିସ ନ ଛାଡିବାରୁ କଂଗ୍ରେସ କର୍ମୀ ଧାରଣାରେ ବସିଥିଲେ । ପରେ ପୋଲିସ ପିସିସି ସଭାପତି ଭକ୍ତ ଚରଣ ଦାଶ ,ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକଙ୍କୁ ଅଟକରଖି ଅନ୍ୟତ୍ର ଉଠାଇ ନେଇଥିଲା ଏବଂ ଧାରଣାରତ କିଛି କଂଗ୍ରେସ କର୍ମୀଙ୍କୁ ମଧ୍ୟ ଉଠାଇ ନେଇଥିଲା ପୋଲିସ ।

କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଛନ୍ତି,” ଗଣତନ୍ତ୍ରରେ ବିରୋଧୀ ଦଳର ଭୂମିକା ରହିଛି । ରାଜ୍ୟରେ ମହିଳା ଅସୁରକ୍ଷିତ ଥିବାବେଳେ ବିରୋଧୀ ଭାବରେ ଆମର ପ୍ରତିବାଦ କ’ଣ ଅଗଣତାନ୍ତ୍ରିକ ?ବଳପୂର୍ବକ ଆମର ବିଧାୟକମାନଙ୍କ ସହିତ ଦୁର୍ବ୍ୟବହାର କରିଛନ୍ତି ସରକାର ।ମହିଳାଙ୍କ ସୁରକ୍ଷା ପାଇଁ ହାଉସ କମିଟି ଗଠନ ନକରି କଂଗ୍ରେସ ବିଧାୟକମାନଙ୍କ ପ୍ରତି ସରକାରଙ୍କ ଏଭଳି ଆଚରଣ ଗ୍ରହଣୀୟ ନୁହେଁ । ବିଜେପିର ଚରିତ୍ର ଜଣାପଡି ଯାଇଛି । କଂଗ୍ରେସର ସ୍ୱରକୁ କେହି ଚାପି ପାରିବେ ନାହିଁ । “

କାହିିଁକି ନିଲମ୍ବିତ ହେଲେ ୧୨ ଜଣ କଂଗ୍ରେସ ବିଧାୟକ ?:
ସୂଚନା ଥାଉ କି ବିଧାନସଭାରେ ଦୀର୍ଘ ୧୩ ଦିନ ହେବ ରାଜ୍ୟରେ ବୃଦ୍ଧି ପାଇଥିବା ମହିଳା ନିର୍ଯାତନା ଅଭିଯୋଗ ଆଣି ପ୍ରତିବାଦ କରୁଛି କଂଗ୍ରେସ । ମହିଳାଙ୍କ ସୁରକ୍ଷା ପାଇଁ ସରକାର ହାଉସ କମିଟି ଗଠନ କରନ୍ତୁ ପ୍ରତିବାଦକୁ ତୀବ୍ର କରି ବିଧାନସଭା ଭିତରେ ଏବଂ ବାହାରେ ଭିନ୍ନଭିନ୍ନ ପନ୍ଥା ଅପଣାଇ ବିରୋଧ କରିଥିଲା ଦଳ । ଏପରି କି ବିଧାନସଭରେ ଘଣ୍ଟ ଘଣ୍ଟା ବଜାଇ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲା କଂଗ୍ରେସ । ତେଣୁ ଗତକାଲି ବାଚସ୍ପତି ନିଜ ସ୍ଥାନରେ ଛିଡା ହୋଇ କଂଗ୍ରେସର ସଦସ୍ୟମାନଙ୍କୁ ଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଥିଲେ ।ହେଲେ ପରେ ବାଚସ୍ପତି କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ଗୃହରେ ଅଶୋଭନୀୟ ଆଚରଣ ପାଇଁ ୭ଟି କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ନିଲମ୍ବନ କରିଥିଲେ । ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ନିଲମ୍ବନ ପ୍ରସ୍ତାବ ଆଗତ କରିଥିଲେ।

ଆସନ୍ତା ୨୭ରେ ବିଧାନସଭା ଘେରାଉ:
ସେପଟେ ମହିଳାଙ୍କ ସୁରକ୍ଷା ପାଇଁ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଉ ଡାକରା ଦେଇଛି କଂଗ୍ରେସ । ସାରା ରାଜ୍ୟରୁ କଂଗ୍ରେସ କର୍ମୀ ନେତା ଓ ଜନସାଧାରଣଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଛି ଦଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking