ଭୁବନେଶ୍ୱର – ସର୍ବଭାରତୀୟ କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ ନଭେମ୍ବର ମାସ ୧ ତାରିଖରୁ ନୂତନ ୦କଂଗ୍ରେସ ସଦସ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଥିଲେ । ଚଳିତ ମାର୍ଚ୍ଚ ମାସ ୩୧ ତାରିଖ କଂଗ୍ରେସର ପ୍ରାଥମିକ ସଦସ୍ୟ ସଂଗ୍ରହର ଶେଷ ତାରିଖ ବୋଲି ରାଜ୍ୟ ସଭା ସଦସ୍ୟ ତଥା ଓଡ଼ିଶା ପିଆରଓ ଶ୍ରୀଯୁକ୍ତ ନିରଜ ଡାଙ୍ଗି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ସଦସ୍ୟ ସଂଗ୍ରହ ଅଭିଯାନ ସମାପ୍ତ ପରେ ମେ ମାସ ୧୬ ତାରିଖରୁ ୩୦ ତାରିଖ ଭିତରେ ବ୍ଲକସ୍ତରୀୟ କମିଟି ପାଇଁ ନିର୍ବାଚନ ହେବ ଏବଂ ଜୁନ ମାସ ସୁଦ୍ଧା ଜିଲ୍ଲା ସ୍ତରୀୟ ନିର୍ବାଚନ ସମାପ୍ତ ହେବ । ଜୁଲାଇ ମାସ ସୁଦ୍ଧା ପ୍ରଦେଶ କଂଗ୍ରେସ କମିଟିର ନିର୍ବାଚନ ହେବ ଏବଂ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ସର୍ବଭାରତୀୟ କଂଗ୍ରେସ ଦଳର ସଭାପତି ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତାଙ୍କ ପାଇଁ ନିର୍ବାଚନ ହେବ । ଏହି ନିଷ୍ପତିରେ କୌଣସି ପରିବର୍ତନ ହେବ ନାହିଁ ବୋଲି ରୋକ ଠୋକ ଶ୍ରୀ ଡାଙ୍ଗି ପ୍ରକାଶ କରିଛନ୍ତି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ଦେଇ କହିଥିଲେ ଯେ ସଦସ୍ୟ ସଂଗ୍ରହ ଅଭିଯାନ ଓଡ଼ିଶାରେ ବୁଥ ସ୍ତରରୁ କରାଯାଉଛି । ଏହି କାର୍ଯ୍ୟ ପାଖାପାଖି ରାଜ୍ୟରେ ୨ ମାସରୁ ଅଧିକ ଦିନ ଧରି ଚାଲୁ ରହିଛି । କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର କହିଥିଲେ ଯେ ଯେତେ ଶୀଘ୍ର ସଭ୍ୟ ସଂଗ୍ରହ ଅଭିଯାନ ଶେଷ ହେବ ତା ପରେ ପରେ ତୃଣମୂଳ ସ୍ତରରୁ ସାଙ୍ଗଠନିକ ନିର୍ବାଚନ ଆରମ୍ଭ ହେବ । ସଦସ୍ୟ ସଂଗ୍ରହ ଅଭିଯାନ ଏକ ଲଗାତାର ପକ୍ରିୟା ପ୍ରତି ୫ ବର୍ଷରେ ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଏ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଭାରତୀୟ କଂଗ୍ରେସ ସଂପାଦକ ଜି ରୁଦ୍ର ରାଜୁ ଓ ପିସିସି ଉପସଭାପତି ଯଜେ୍ଞଶ୍ୱର ବାବୁ ଉପସ୍ଥିତ ଥିଲେ ।