35.1 C
Bhubaneswar
Monday, June 17, 2024
Homeଓଡିଶାମୋଦି ମାନସିକ ରୋଗରେ ପୀଡ଼ିତ, ତାଙ୍କର ଚିକିତ୍ସା ଆବଶ୍ୟକ: ଅଜୟ କୁମାର

ମୋଦି ମାନସିକ ରୋଗରେ ପୀଡ଼ିତ, ତାଙ୍କର ଚିକିତ୍ସା ଆବଶ୍ୟକ: ଅଜୟ କୁମାର

* ଆଶାରାମ ବାପୁ, ରାମ ରହିମଙ୍କ ଭଳି ମୋଦି ଆତ୍ମ ଘୋଷିତ ଦିବ୍ୟ ପୁରୁଷ
* ୨୯ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ୩୦ରେ ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି
* ବଳାତ୍କାରୀ ଓ ମହିଳା ହତ୍ୟାକାରୀଙ୍କୁ ଦଣ୍ଡ ଦେବାରେ ମୋଦିଙ୍କ ଦିବ୍ୟଶକ୍ତି କାମ କରୁନି: ରୀତୁ ଚୌଧୁରୀ
ଭୁବନେଶ୍ୱର : ପରାଜୟ ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନସିକ ସ୍ଥିତି ହରାଇବସିଲେଣି । ସେଥିପାଇଁ ସେ ଅତ୍ୟନ୍ତ ନିମ୍ନରୁଚିର କଥାବାର୍ତା କରୁଛନ୍ତି । ଆଶାରାମ ବାପୁ, ରାମ ରହିମଙ୍କ ଭଳି ଭଣ୍ଡ ବାବାମାନଙ୍କ ଭଳି ମୋଦିଜୀ ମଧ୍ୟ ନିଜକୁ ଆତ୍ମଘୋଷିତ ଦିବ୍ୟ ପୁରୁଷ ବନାଇ ସାରିଲେଣି । ଏପରିକି ସେ ନିଜକୁ ଭଗବାନ ଭାବି ଲୋକଙ୍କୁ ଦିବ୍ୟ ସନ୍ଦେଶ ଦେବାକୁ ଯାଇ ଅତ୍ୟନ୍ତ ନିମ୍ନସ୍ତରର କଥା କହୁଛନ୍ତି । ଯାହାକି ଦେଶର ଜଣେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଶୋଭନୀୟ ନୁହେଁ । ବିଭିନ୍ନ ସଭାସମିତି ଓ ଗଣମାଧ୍ୟମରେ ତାଙ୍କର କଥାବାର୍ତା ଓ ଭାଷଣରୁ ଜଣାପଡୁଛି ଯେ ସେ ମାନସିକ ରୋଗରେ ପୀଡ଼ିତ । ତାଙ୍କର ତୁରନ୍ତ ଚିକିତ୍ସା ଆବଶ୍ୟକ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର କହିଛନ୍ତି ।
ରବିବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ଅଜୟ କୁମାର କହିଲେ ଯେ ମୋଦିଜୀ ମଟନ, ମସଜିଦ୍‌, ମାଛ, ମୁଜୁରା ଓ ମଙ୍ଗଳସୂତ୍ର ଆଦି ଶବ୍ଦକୁ ନେଇ ଯେଭଳି ଭାଷଣ ଦେଉଛନ୍ତି, ତାହା ତାଙ୍କର ନିମ୍ନ ମାନସିକତାକୁ ଦର୍ଶାଉଛି । ଅନ୍ୟପଟେ ସବୁବେଳେ ନିଜକୁ ଭଗବାନ ରାମଙ୍କ ବଡ଼ ଭକ୍ତ ବୋଲି ପ୍ରଚାର କରିଆସୁଥିବା ଭାରତୀୟ ଜନତା ପାର୍ଟିର ଲୋକମାନେ ମୋଦିଙ୍କୁ ଭଗବାନ ରାମଙ୍କଠାରୁ ବଡ଼ ବୋଲି ଭାବିଲେଣି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ପୁରୀର ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ କଥାରୁ ଏହା ଜାଣି ହେଉଛି । ସ୍ୱାଧୀନତା ପରଠାରୁ ଅଦ୍ୟାବଧି ଏଭଳି ନିମ୍ନସ୍ତରର ରାଜନୀତି କୌଣସି ବ୍ୟକ୍ତି କରିନାହାନ୍ତି । ଜାତିର ପିତା ମହାତ୍ମା ଗାନ୍ଧି ଦେଶ ପାଇଁ ଏତେ ତ୍ୟାଗ ଓ ବଳିଦାନ ଦେଇଥିଲେ ମଧ୍ୟ ତାଙ୍କ ମନରେ ଆତ୍ମ ଗର୍ବ ନଥିଲା । ତାଙ୍କର ମହନୀୟତା ପାଇଁ ରବୀନ୍ଦ୍ର ନାଥ ଟ୍ୟାଗୋର ତାଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ । ହେଲେ ମାତ୍ର ୧୦ବର୍ଷର ଶାସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ଭଗବାନ ଭାବିଲେଣି ଓ ବିଜେପି କାର୍ଯ୍ୟକର୍ତାମାନେ ଏହାକୁ ପ୍ରମାଣିତ କରିବାକୁ ଲାଗିପଡ଼ିଛନ୍ତି । ଯାହାକି ଦେଶ ପାଇଁ ବିପଦ୍‌ଜନକ । ସବୁବେଳେ ହିନ୍ଦୁ ମୁସଲିମ୍ ପ୍ରସଙ୍ଗ ଉଠାଇ ଦେଶରେ ସାମ୍ପ୍ରଦାୟିକ ଭାବନା ସୃଷ୍ଟି କରୁଥିବା ମୋଦିଜୀ ଓ ତାଙ୍କ ସହଯୋଗୀମାନେ ବର୍ତମାନ ନିଜକୁ ଧର୍ମନିରପେକ୍ଷ ବୋଲି ପ୍ରମାଣିତ କରିବାକୁ ମିଛ କହିଲେଣି । ବର୍ତମାନ ପରିସ୍ଥିତିରେ ଦେଶର ଅର୍ଥନୀତି, ଦରଦାମ ଓ ନିଯୁକ୍ତି ଆଦି ପ୍ରସଙ୍ଗରେ ବିଚାର କରିବା ପରିବର୍ତେ ପ୍ରଧାନମନ୍ତ୍ରୀ ଆତ୍ମଘୋଷିତ ଦିବ୍ୟଶକ୍ତିର କଥା କହିବା ହାସ୍ୟାସ୍ପଦ ବୋଲି ଡ. ଅଜୟ କୁମାର କହିଛନ୍ତି । ଏହି ଅବସରରେ ସେ ଓଡ଼ିଶାରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ୨୯ ତାରିଖରେ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍‌ଗେ ଓ ୩୦ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି ବୋଲି ସୂଚନା ଦେଇଥିଲେ ।
ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ମୁଖପାତ୍ର ରୀତୁ ଚୌଧୁରୀ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଯଦି ଦିବ୍ୟଶକ୍ତି ରହିଛି, ତେବେ ସେ ଦେଶର ମହିଳାମାନଙ୍କୁ କ’ଣ ପାଇଁ ସୁରକ୍ଷା ଦେଇପାରୁନାହାନ୍ତି । ପ୍ରଜ୍ଜଳ ରେବନ୍ନା ଭଳି ଜଣେ ବଳାତ୍କାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଜେପି ସରକାର ବିଫଳ ହୋଇଛନ୍ତି । ମହିଳା କୁସ୍ତି କ୍ରୀଡ଼ାବିତ୍‌ଙ୍କୁ ଅସଦାଚରଣ କରିଥିବା ବ୍ରିଜ ଭୂଷଣ ସରଣସିଂ ଭଳି ଜଣେ ବ୍ୟକ୍ତିକୁ ଦଳରୁ ବହିଷ୍କାର କରିପାରୁନି ବିଜେପି । ଦେଶରେ ଅନେକ ସ୍ଥାନରେ ମହିଳାମାନେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିଲେ ମଧ୍ୟ ସେମାନଙ୍କ ପରିବାରକୁ ନ୍ୟାୟ ଦେବାରେ ପ୍ରଧାନମନ୍ତ୍ରୀଙ୍କ ଆତ୍ମାଘୋଷିତ ଦିବ୍ୟଶକ୍ତି କାମ କରୁନାହିଁ ବୋଲି ସେ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ସାମାଜିକ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅମୀୟ ପାଣ୍ଡବ ଓ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସମ୍ପାଦକ ଅଭିନବ ଭଗତ୍ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking