27.1 C
Bhubaneswar
Sunday, July 7, 2024
Homeଓଡିଶାଓଡ଼ିଶାରେ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କୁ ଦମନ କରିବାକୁ ଅପପ୍ରୟାସ କରୁଛି ବିଜେଡ଼ି – ଶରତ ପଟ୍ଟନାୟକ

ଓଡ଼ିଶାରେ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କୁ ଦମନ କରିବାକୁ ଅପପ୍ରୟାସ କରୁଛି ବିଜେଡ଼ି – ଶରତ ପଟ୍ଟନାୟକ

ଭୁବନେଶ୍ୱର – ଓଡ଼ିଶାରେ ବିଗତ କିଛିବର୍ଷ ହେଲା ସାମ୍ବାଦିକ ମାନଙ୍କ ଉପରେ ଚାଲିଛି ଦମନରାଜ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଉପରେ ଆକ୍ରମଣକୁ କଂଗ୍ରେସ କେବେହେଲେ ବରଦାସ୍ତ କରିବନାହିଁ । ଗଣତନ୍ତ୍ରକୁ ସଶକ୍ତ କରିବା ଜନସାଧାରଣଙ୍କ ଅଭାବ ଅସୁବିଧାକୁ ସରକାର ଏବଂ ସରକାରୀ ବ୍ୟବସ୍ଥାର ବିଭିନ୍ନ ଅଧିକାରୀ ମାନଙ୍କର ଧ୍ୟାନଆକର୍ଷଣ କରିବା ଏବଂ ଏହାର ସମାଧାନ ପାଇଁ ସରକାରଙ୍କୁ କଟୁ ସମାଲୋଚନା କରିବା ପ୍ରତ୍ୟେକ ସାମ୍ବାଦିକ ଏବଂ ଗଣମାଧ୍ୟମର ଧର୍ମ ଓ କର୍ତବ୍ୟ । ସାମ୍ବାଦିକମାନେ ସତ୍ୟ ଓ ଠିକ ସମ୍ବାଦ ପରିବେଷଣ କରିବେ ନାହିଁ ତ କ’ଣ କେବଳ ବିଜେଡ଼ି ସରକାରଙ୍କର ସମସ୍ତ କଳାକାରନାମାକୁ ଚପାଇ ଦେଇ କେବଳ ପ୍ରଶଂସା ବା ଗୁଣଗାନ କରିବା କ’ଣ ତାଙ୍କ ଧର୍ମକି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଆଜି ପ୍ରଦେଶ କଂଗ୍ରେସ ଭବନରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ।

ଶ୍ରୀ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଛନ୍ତି ଯେ ଓଡ଼ିଶାରେ ଏବେ ଅଭିବ୍ୟକ୍ତିର ସ୍ୱାଧୀନତା ସଂକୁଚିତ ହେବାରେ ଲାଗିଛି । ଏହା ଆମ ଗଣତନ୍ତ୍ର ଲାଗି ଏକ ବିଡ଼ମ୍ବନା । ଯେଉଁ ସରକାର ଗଣତନ୍ତ୍ରର କଣ୍ଠରୋଧ କରେ ସେଠି ଘୋର ଅଘଟଣ ଘଟେ । ଅତ୍ୟାଚାରୀ ଓ ପ୍ରତିହିଂସା ପରାୟଣ ଶାସକ କେବଳ ଗଣତନ୍ତ୍ରର କଣ୍ଠରୋଧ କରେ । ଓଡ଼ିଶାରେ ଆଜି ସେହି ଅବସ୍ଥା ଦେଖିବାକୁ ମିଳୁଛି । ଏହି କିଛି ଦିନ ହେଲା ଗୋଟେ ପରେ ଗୋଟେ ଗଣମାଧ୍ୟମ ଉପରେ ବିଜେଡ଼ି ସରକାର ପ୍ରତିହିଂସା ପରାୟଣ ହୋଇ ସରକାରୀ କଳର ସଂପୂର୍ଣ୍ଣ ଅପବ୍ୟବହାର ଓ ଚାପ ପ୍ରୟୋଗ କରି କଣ୍ଠରୋଧ କରିବାପାଇଁ ଲାଗିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜକୁ ଜନସାଧାରଣଙ୍କ ପ୍ରତିନିଧି ପରିବର୍ତେ ନିଜକୁ ରାଜା ଏବଂ ସ୍ୱେଚ୍ଛାଚାରୀ ଶାସକ ବୋଲି ପ୍ରମାଣିତ କରୁଛନ୍ତି । ରାଜ୍ୟ ସରକାରଙ୍କାର କଳାକାରନାମାକୁ ଯେଉଁ ଗଣମାଧ୍ୟମ ବା ସାମ୍ବାଦିକ ମାନେ ପ୍ରକାଶ କଲେ ଏବଂ ତାର ସମାଲୋଚନା କଲେ ତାଙ୍କ ଉପରେ ସରକାରୀ ପ୍ରାୟୋଜିତ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । କଂଗ୍ରେସ ଦଳ ସରକାରଙ୍କ ଏତାଦୃଶ କାର୍ଯ୍ୟକୁ କେବେ ବରଦାସ୍ତ କରିବ ନାହିଁ । ସମ୍ବିଧାନରେ ଦିଆଯାଇଥିବା ଚତୁର୍ଥସ୍ତମ୍ବର ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରୁଥିବା ଓଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଲଢ଼େଇ କରିବ । ଆଜି ରାଜ୍ୟରେ ଗଣମାଧ୍ୟମ ଜଗତ ପାଇଁ ଏକ ଅଘୋଷିତ ଜରୁରୀ କାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁ ସାମ୍ବାଦିକମାନେ ରାଜ୍ୟର ବିଜେଡ଼ି ସରକାରଙ୍କର ଦୁର୍ନୀତିକୁ ଲୋକଲୋଚନକୁ ଆଣୁଛନ୍ତି ସତ୍ୟ ଓ ତଥ୍ୟ ସମ୍ବଳିତ ଖବର ପ୍ରକାଶ କରୁଛନ୍ତି ସେମାନଙ୍କୁ ସରକାର ସରକାରୀ କଳ ମାଧ୍ୟମରେ ସିଧା ଟାର୍ଗେଟ କରୁଛନ୍ତି ଏବଂ ସିଧାସଳଖ ଧମକ ମଧ୍ୟ ଦେଉଛନ୍ତି । ସାମ୍ବାଦିକ ମାନଙ୍କୁ ସରକାରୀ ଘର ଛାଡ଼ିବାପାଇଁ ନୋଟିସ ଦିଆଯାଉଛି । ରାଜ୍ୟରେ ୧୭ ବର୍ଷ ହେଲା ସାମ୍ବାଦିକଙ୍କ ଅଧିସ୍ୱୀକୃତି କମିଟି ନାହିଁ । ସାମ୍ବାଦିକମାନେ ଦୀର୍ଘଦିନ ଧରି ଆବେଦନ କରିଥିଲେ ମଧ୍ୟ ଅଧିସ୍ୱୀକୃତି ମିଳୁନାହିଁ । ସରକାର ଏହି କମିଟିକୁ ନିଜ ଅଧିନରେ ରଖି ସାମ୍ବାଦିକ ମାନଙ୍କୁ ନିୟନ୍ତ୍ରିତ କରିବାକୁ ଚେଷ୍ଟା କରୁଛନ୍ତି । ୨୦୨୩ ମସିହା ପ୍ରେସଫ୍ରିଡମ ଅଫ ଇଣ୍ଡେକ୍ସରେ ଭାରତର ସ୍ଥାନ ୧୮୦ ଟି ଦେଶ ମଧ୍ୟରେ ୧୬୧ ସ୍ଥାନରେ । ପୂର୍ବବର୍ଷ ତୁଳନାରେ ଏହା ୧୧ ସ୍ଥାନ ତଳକୁ ଖସିଛି । ଦେଶରେ ଗଣମାଧ୍ୟମର ସ୍ୱରକୁ ପ୍ରତିଦିନ ସଂକୁଚିତ କରୁଥିବା ବେଳେ ଓଡିଶାରେ ନବୀନ ପଟ୍ଟନାୟକ ମଧ୍ୟ ଅନୁରୂପ ସ୍ଥିତି ସୃଷ୍ଟି କରୁଛନ୍ତି । ଓଡ଼ିଶାର ଲୋକ ବୁଝିସାରିଲେଣି ଏଠି ଆଇନର ଶାସନ ଚାଲିନାହିଁ । ଅନ୍ୟାୟ ଅନିତିର ଶାସନ ଚାଲିଛି । ସମ୍ବାଦ ଖବର କାଗଜ ଉପରେ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ବିଭାଗ ଦ୍ୱାରା ଚଢ଼ାଉ ଅତ୍ୟନ୍ତ ନିନ୍ଦନିୟ ଏହା ଉଦ୍ଦେଶ୍ୟମୂଳକ । ସତ୍ୟ ପ୍ରକାଶ କରିବା ଯୋଗୁଁ । ଆଜି ସମ୍ବାଦ ଖବର କାଗଜ ଉପରେ ଏପରି ଦମନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କଂଗ୍ରେସ ଆସନ୍ତା ଦିନରେ ସରକାର ଗଠନ କରିବ । ଓଡ଼ିଶାର ଜନସାଧାରଣ ବିଜେଡ଼ି ଓ କେନ୍ଦ୍ର ବିଜେପି ସରକାର କୁଶାସନ ଓ ଜନବିରୋଧି ନିଷ୍ପତିରେ ଆଜି ହନ୍ତସନ୍ତ ହୋଇସାରିଲେଣି । ସମୟକୁ ଅପେକ୍ଷା କରିଛନ୍ତି । ଓଡ଼ିଶାରେ କଂଗ୍ରେସ ସରକାର ଫେରିଲେ ସାମ୍ବାଦିକ ମାନଙ୍କୁ ସଚିବାଳୟ ଓ ବିଧାନସଭାକୁ ଆସି ସମ୍ବାଦ ସଂଗ୍ରହ କରିବା ପୂର୍ଣ୍ଣ ଅନୁମତି ମିଳିବ । ସାମ୍ବାଦିକ ମାନଙ୍କର ନ୍ୟାର୍ଯ୍ୟଦାବି ଓ ସମ୍ମାନକୁ ଫେରାଇ ଦିଆଯିବ । ମହିଳା ସଂରକ୍ଷଣ ବିଲ ଉପରେ ସାମ୍ବାଦିକ ମାନଙ୍କୁ ଉତର ଦେଇ ସେ କହିଥିଲେ ଯେ ସ୍ୱର୍ଗତ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସ୍ୱପ୍ନକୁ ପୂରଣ କରିବାପାଇଁ ଶ୍ରୀମତୀ ସୋନିଆ ଗାନ୍ଧୀ ଉପା-୨ କଂଗ୍ରେସ ସରକାର ସମୟରେ ଏହି ବିଲକୁ ୨୦୧୦ ମସିହା ମାର୍ଚ୍ଚମାସ ୯ ତାରିଖ ରାଜ୍ୟ ସଭାରେ ପାସ କରାଇଥିଲେ । ପରବର୍ତୀ ପର୍ଯ୍ୟାୟରେ ଏହା ଲୋକସଭାରେ ପାସ ହୋଇପାରିନଥିଲା । କିନ୍ତୁ ମହିଳାମାନଙ୍କୁ ୩୩% ପାଲ୍ୟାମେଂଟ ଏବ ରାଜ୍ୟ ବିଧାନସଭାରେ ସଂରଣକ୍ଷ ଦିଆଯାଉ ବୋଲି ଶ୍ରୀମତୀ ସୋନିଆ ଗାନ୍ଧୀ ନିଷ୍ପତି ନେଇଥିଲେ । ୧୯୮୯ ମସିହାରୁ ମହିଳାମାନଙ୍କୁ ପଂଚାୟତ ଓ ନଗରପାଳିକାରେ ଏକ ତୃତୀୟାଂଶ ରିଜରଭେସନ କଂଗ୍ରେସ ୭୩ ତମ ସମ୍ବିଧାନ ସଂଶୋଧନ ବିଲ ମାଧ୍ୟମରେ ପ୍ରଦାନ କରିବାପାଇଁ ଚେଷ୍ଟା କରିଥିଲା ଏବଂ ୧୯୯୩ ମସିହାରେ କଂଗ୍ରେସ ସରକାରରେ ଏହି ବିଲ ପାରିତ ହୋଇଥିଲା । ତେଣୁ କଂଗ୍ରେସ ଏକମାତ୍ର ରାଜନୈତିକ ଦଳ ଯିଏକି ମହିଳାମାନଙ୍କୁ ସମଭାଗିଦାରୀ କରିବାପାଇଁ ପ୍ରତ୍ୟେକ ସ୍ତରରେ କାର୍ଯ୍ୟ କରୁଛି । ତେଣୁ ବିଜେଡ଼ି ଓ ବିଜେପି ମହିଳାମାନଙ୍କ ବିକାଶ ପାଇଁ ଏପର୍ଯ୍ୟନ୍ତ କୌଣସି ଠୋସ ନିଷ୍ପତି ନେଇନାହାନ୍ତି । କାଳିଆ ଯୋଜନାରେ ୧୦ ଜହାର ଟଙ୍କା ପ୍ରତିବର୍ଷ ଚାଷୀଙ୍କ ଖାତାକୁ ଯିବ ବୋଲି କୁହାଯାଇଥିଲା । ଠିକ ନିର୍ବାଚନ ପୂର୍ବରୁ ବଡ଼ ଜୋର ପ୍ରଚାର କରି କହିଲେ ଏହା କୃଷକମାନଙ୍କ ପାଇଁ ଏକ ଗେମଚେଞ୍ଜର ହେବ । କିନ୍ତୁ ନିର୍ବାଚନ ସରିଲା କାଳିଆ ଯୋଜନରେ ବର୍ତମାନ ମାତ୍ର ୪ ହଜାର ଟଙ୍କା ଦୁଇଟି କିସ୍ତିରେ କୃଷକଙ୍କ ଖାତାକୁ ଦିଆଯାଉଛି । ଦୀର୍ଘ ୧୩ ବର୍ଷ ଭିତରେ କୃଷକଙ୍କର ଆୟ ୩ ଟଙ୍କା ବି ବୃଦ୍ଧି ଘଟିନାହିଁ । ଏତେ ସଂଖ୍ୟକ କୃଷକ ରାଜ୍ୟରେ କାହିଁକି ମୃତ୍ୟୁବରଣ କରୁଛନ୍ତି । ସବୁଧାନ କାହିଁକି ଖରଦି କରାଯାଉନାହିଁ, କଟଣୀ, ଛଟଣୀ କେବେ ବନ୍ଦ ହେବ, ଏହାର ସମାଧାନ ୨୩ ବର୍ଷରେ ହୋଇପାରିଲା ନାହିଁ ।
ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ମେନିଫେଷ୍ଟୋ କମିଟିର ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନଗୋ ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଲେ ଜଣେ ସଂପାଦକ କ’ଣ ସାଂପଦକୀୟ ଲେଖିବ ତାକୁ କଣ ବିଜେଡ଼ି ସରକାରଙ୍କୁ ପଚାରିକି ଲେଖିବ । ସାମ୍ବାଦିକତା ବୃତିର ଧର୍ମ ହେଉଛି ସତ୍ୟ ଓ ନ୍ୟାୟକୁ ଲେଖିବା । ଯେଉଁ ସାମ୍ବାଦିକମାନେ ସରକାରଙ୍କର ଅନ୍ୟାୟ ଅନିତି ଓ ଦୁର୍ନୀତି ବିରୋଧରେ ସ୍ୱର ଉତୋଳନ କରିବ ତାକୁ ସରକାର ଆକ୍ରୋଶମୂଳକ ଆକ୍ରମଣ କରିବା ସ୍ୱେଚ୍ଛାଚାରିତାର ସବୁଠାରୁ ନିମ୍ନସ୍ତର ବୋଲି ଆମକୁ ବୁଝିବାକୁ ପଡ଼ିବ । ନବୀନ ପଟ୍ଟନାୟକ ଜଣେ ସ୍ୱେଚ୍ଛାଚାରୀ ବୋଲି ଏଥିରୁ ପ୍ରମାଣିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking