ଭୁବନେଶ୍ୱର: କମିସନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ‘ପ୍ରାରମ୍ଭ’ ଯୋଜନା । ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ ଏହା କାମ କରିବ । ପ୍ରତିବର୍ଷ ଭୁବନେଶ୍ୱରରେ ୩୦୦ରୁ ୩୫୦ ଅପହରଣ ମାମଲା ରୁଜୁ ହେଉଛି । ଅଧିକାଂଶ ଘଟଣାରେ ବିବାହ ପ୍ରଲୋଭନ ଦେଖାଇ ନାବାଳିକାମାନଙ୍କୁ ଅପହରଣ କରାଯାଉଥିବାର ଦେଖିବାକୁ ମିଳୁଛି, ଯାହା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ଏନେଇ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଗତ ଛଅ ମାସ ତଳେ ଆରମ୍ଭ ହୋଇଥିବା କିଡନାପିଂ ସେଲ ଦ୍ୱାରା ଟ୍ୱିନ୍-ସିଟିରୁ ୨୪୧ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ୨୯୫ଟି ଅପହରଣ ଅଭିଯୋଗର ତଦନ୍ତ ଶେଷ ହୋଇଥିଲା । ସୋସିଆଲ ମିଡିଆ ମାଧ୍ୟମରେ ଆମେ ସଚେତନ କରିବୁ । ସ୍କୁଲ ଓ କଲେଜମାନଙ୍କରେ କର୍ମଶାଳା କରାଯିବ । ‘ପ୍ରାରମ୍ଭ’ ଯୋଜନାରେ ଅଭିଯୋଗ କରିବା ପାଇଁ ପୋଲିସ ପକ୍ଷରୁ ହେଳ୍ପ ଲାଇନ ନମ୍ବର ଜାରି କରାଯାଇଛି । ଲୋକେ ଟୋଲ ଫ୍ରି ନମ୍ବର ୨୫୪୫୪୪୫ରେ ଯୋଗାଯୋଗ କରି ପାରିବେ । କେବଳ ଭୁବନେଶ୍ୱର ପାଇଁ ଏହି ନମ୍ବରଟି ଉପଲବ୍ଧ ହେବ । ଯାହା ଦିନ ୧୦ ଟାରୁ ସନ୍ଧ୍ୟା ୫ ଟା ଯାଏ ଖୋଲା ରହିବ ଏହି ସହାୟତା କେନ୍ଦ୍ର । ବସ୍ତିକୁ ଯାଇ ସୋସିଆଲ ମିଡିଆ କ୍ୟାମ୍ପେନ ସହ ପରିବାର ଲୋକଙ୍କୁ କାଉନସିଲ ମଧ୍ୟ କରାଯିବ । ଯାହା ଦ୍ୱାରା ସେମାନେ ନିଜ ପିଲାଙ୍କୁ ଆକଟ କରିପାରିବେ । ପ୍ରତି ସ୍କୁଲ କଲେଜ ଯାଇ ପିଲାଙ୍କୁ ବୁଝାଯିବ । ଏହା ସହିତ ଚକ୍ରବ୍ୟୁହରେ ଫସି ଯାଇଥିବା ଝିଅମାନଙ୍କୁ କାଉନସେଲିଂ କରି ତାଙ୍କ ସହିତ ଶକ୍ତ ଚଟାଣ ଭଳି କମିସନରେଟ ପୋଲିସ ଠିଆ ହେବ । ଏହି ସେଲକୁ ଅଧିକ ଶକ୍ତ କରିବା ପାଇଁ ଲକ୍ଷ ରଖିଛି କମିସନରେଟ ପୋଲିସ । କିସ୍ ଏବଂ ଏସଏନ ମହାନ୍ତି ଫାଉଣ୍ଡେସନ ସହଯୋଗରେ ଏହି ଆପ୍ ଲଞ୍ଚ କରାଯାଇଛି । ଝିଅମାନେ ବିଶେଷ କରି ସୋସିଆଲ ମିଡିଆ ବ୍ୟବହାର ସମୟରେ ଭଦ୍ରମୁଖା ପିନ୍ଧା ସାଇବର ଠକମାନଙ୍କ ଠାରୁ ବଞ୍ଚିବା ପାଇଁ ନିଜ ଆଖି ଖୋଲା ରଖିବାର ଆବଶ୍ୟକ ରହିଛି । ଏଥିପାଇଁ ସେମାନେ ସଚେତନ ରହିବା ଆବଶ୍ୟକ ।