ବଡ଼ସାହି : ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷା ଦେବା ପାଇଁ ପୁଲିସ ପକ୍ଷରୁ ନିଆଯାଇଥିବା ଉଦ୍ୟମ ବେଶ୍ ଫଳପ୍ରଦ ହେଉଛି। ପୂର୍ବାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ଓ ମୟୂରଭଞ୍ଜ ଏସ୍ପି ବାତୁଳ ଗଙ୍ଗାଧରଙ୍କ ତତ୍ତ୍ବାବଧାନରେ ଶିମିଳିପାଳ ଜଙ୍ଗଲ ଓ ନିକଟସ୍ଥ ଗ୍ରାମଗୁଡ଼ିକରେ ପୁଲିସର କମ୍ବିଂ ଅପରେସନ୍ ଜାରି ରହିଥିବା ବେଳେ ନିୟମିତ ବ୍ୟବଧାନରେ ବନ୍ଧୁକ ସହ ଶିକାରୀ ଧରାପଡ଼ୁଛନ୍ତି। ଗତ ୧୩ ତାରିଖରେ ବଡ଼ସାହି ଥାନା ଅନ୍ତର୍ଗତ ଯଦୁନାଥପୁର ପଞ୍ଚାୟତର ଚନ୍ଦନଚତୁରୀ ଓ ରେଣ୍ଟାସାହି ଗାଁରୁ ୨ଟି ବନ୍ଧୁକ ସହ ୩ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା। ଆଜି ପୁଣି ସେହି ପଞ୍ଚାୟତର ହାତୀକୋଟ ଗ୍ରାମରେ ଚଢ଼ଉ କରାଯାଇ ୩ ଜଣ ଶିକାରୀଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ ଜବତ କରାଯାଇଛି।
ଅଭିଯୁକ୍ତମାନେ ହେଲେ ମହେନ୍ଦ୍ର ସିଂ, ଶ୍ୟାମସୁନ୍ଦର ସିଂ ଓ ମଦନ ସିଂ । ଏ ନେଇ ୨୯୩/୨୩ରେ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହିପରି ଖୁଣ୍ଟା ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ବେଳେ ବହଳଦା ଜଙ୍ଗଲରେ ଶିକାରୀମାନେ ଲୁଚାଇ ରଖିଥିବା ୫ଟି ବନ୍ଧୁକ ମଧ୍ୟ ଜବତ ହୋଇଛି। ଏହାକୁ ଲୁଚାଇଥିବା ଶିକାରୀଙ୍କୁ ଖୁବ୍ଶୀଘ୍ର ପୁଲିସ ଗିରଫ କରିବ ବୋଲି କହିଛନ୍ତି ଖୁଣ୍ଟା ଥାନା ଆଇଆଇସି ଲୋପାମୁଦ୍ରା ନାୟକ।