ଭୁବନେଶ୍ୱର : ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ୟୁନେସ୍କୋ ହେରିଟେଜ ତାଲିକାରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚିଠି ଲେଖିଥିବା ବେଳେ ବିଜୁ ଜନତା ଦଳ ଏହାକୁ ନେଇ କଟାକ୍ଷ କରିଛି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ଆୟୋଜିତ ହୋଇଥିବା ସମସ୍ତ ତିନୋଟି ରଥଯାତ୍ରା ତ୍ରୁଟିଶୂନ୍ୟ ଭାବେ ପରିଚାଳନା କରିବାରେ ସରକାର ସକ୍ଷମ ହୋଇନଥିବା ବେଳେ, ୟୁନେସ୍କୋ ହେରିଟେଜ ତାଲିକାରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା କେବଳ ଏକ ଲୋକ ଦେଖାଣିଆ ପଦକ୍ଷେପ ବୋଲି ବିଜେଡି କହିଛି ।ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ପ୍ରେସ ଇସ୍ତାହାରରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ପବିତ୍ର ରଥଯାତ୍ରାକୁ ତ୍ରୁଟିଶୂନ୍ୟ ଭାବେ ଆୟୋଜନ କରିବାରେ ରାଜ୍ୟ ସରକାର ସଫଳ ହୋଇପାରି ନାହାନ୍ତି ।
ଗତ ୩ ବର୍ଷ ହେଲା ରଥଯାତ୍ରାରେ ବିଭ୍ରାଟ ଦେଖିବାକୁ ମିଳୁଛି । କେତେବେଳେ ଭକ୍ତମାନେ ଦଳାଚକଟାରେ ପ୍ରାଣ ହରାଉଛନ୍ତି ପୁଣି କେତେବେଳେ ନୀତି ନିୟମରେ ବିଭ୍ରାଟ ଦେଖିବାକୁ ମିଳୁଛି । ଏପରିକି ଆଡପ ମଣ୍ଡପକୁ ପହଣ୍ଡି ସମୟରେ ପ୍ରଭୁ ବଳଭଦ୍ର ଖସିପଡିବା ଭଳି ଅଭାବନୀୟ କାଣ୍ଡ ଘଟିଥିଲା ଓ ଏହାର ତଦନ୍ତ ପାଇଁ ସରକାର ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ସେ ରିପୋର୍ଟ ଆସିଲା ନାହିଁ । ରାଜ୍ୟ ସରକାର ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ତ୍ରୁଟିଶୂନ୍ୟ ରଥଯାତ୍ରାର ଦୃଢ଼ ପ୍ରତିଶ୍ରୁତି ଦେଉଛନ୍ତି, କିନ୍ତୁ ପ୍ରତିବର୍ଷ ଅଘଟଣ ଘଟୁଛି । ରଥଯାତ୍ରାକୁ ତ୍ରୁଟିଶୂନ୍ୟ ଭାବେ ଆୟୋଜନ କରିବାରେ ବିଫଳ ହୋଇଥିବା ବେଳେ ରଥଯାତ୍ରାକୁ ୟୁନେସ୍କୋ ହେରିଟେଜ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଚିଠି ଲେଖିବା କେବଳ ଏକ ଲୋକ ଦେଖାଣିଆ ପଦକ୍ଷେପ । ରଥଯାତ୍ରାରେ ଘଟୁଥିବା ଅଘଟଣକୁ ଜନମାନସରୁ ହଟାଇବା ଉଦେ୍ଦଶ୍ୟରେ ସରକାରଙ୍କର ଏହି ପଦକ୍ଷେପ । ୟୁନେସ୍କୋର ହେରିଟେଜ ତାଲିକାରେ ରଥଯାତ୍ରାକୁ ସାମିଲ କରିବା ପୂର୍ବରୁ ରଥଯାତ୍ରା ତ୍ରୁଟିଶୂନ୍ୟ ଭାବେ ଆୟୋଜନ କରନ୍ତୁ ।ଡ଼ ଲେନିନ ମହାନ୍ତି କହିଛନ୍ତି, ପଖାଳ ଦିବସ ପାଳନ ଅବସରରେ ପଖାଳକୁ ଗିନିଜ ବୁକ ଅଫ ରେକର୍ଡରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ମଧ୍ୟ ଏକ ପ୍ରହସନ ଥିଲା । ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହୋଇଥିବା ପ୍ରାୟ ଅଢେଇ କୋଟି ଟଙ୍କା କେତେ ଦୂର ଯଥାର୍ଥ ଥିଲା ବୋଲି ଜନସାଧାରଣରେ ପ୍ରଶ୍ନ ଉଠିଥିଲା । ସରକାରଙ୍କର ଏହି ପଦକ୍ଷେପ କେବଳ ଶସ୍ତା ଲୋକପ୍ରିୟତା ହାସଲ ପାଇଁ ଉଦ୍ଦିଷ୍ଟ ଥିଲା ।ଡ଼ ମହାନ୍ତି ଆହୁରି କହିଛନ୍ତି, ଜଗନ୍ନାଥ ହେଉଛନ୍ତି ବିଶ୍ୱନିୟନ୍ତା । ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ୟୁନେସ୍କୋ ହେରିଟେଜ ତାଲିକାରେ ନଥିଲେ ସୁଦ୍ଧା ବିଶ୍ୱର ବିଭିନ୍ନ ସ୍ଥାନରୁ ରଥଯାତ୍ରାର ଝଲକ ପାଇବା ପାଇଁ ଭକ୍ତମାନେ ଛୁଟି ଆସିଥାନ୍ତି । ତେଣୁ ଯେଉଁ ଭକ୍ତମାନେ ଆସୁଛନ୍ତି, ସେମାନଙ୍କ ସୁରକ୍ଷା ପାଇଁ ତ୍ରୁଟିଶୂନ୍ୟ ରଥଯାତ୍ରା ଆୟୋଜନର ନିହାତି ଆବଶ୍ୟକତା ରହିଛି ।










