କଟକ: କଟକ ସହରରେ ସମ୍ପ୍ରତି ବହୁଳ ଭାବରେ ବେଆଇନ ପଲିଥିନ୍ ବ୍ୟବହାର ହେଉଛି । ଏନେଇ ଅଭିଯୋଗ ହେବା ପରେ ସିଏମ୍ସି ଏନ୍ଫୋର୍ସମେଣ୍ଟ ଟିିମ୍ ପକ୍ଷରୁ ୨୫ କ୍ୱିଣ୍ଟାଲ୍ ପଲିଥିନ୍ ଜବତ କରାଯାଇ ଗୋଟିଏ ଦୋକାନକୁ ସିଲ୍ କରାଯାଇଛି ।
ପୂର୍ବରୁ କଟକ ସହରରେ ପଲିଥିନ୍ ବ୍ୟବହାର ଉପରେ ସିଏମ୍ସି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । କୌଣସି ବ୍ୟବସାୟିକ ପ୍ରତିଷ୍ଠାନରେ ପଲିଥିନ୍ ବ୍ୟବହାର ନକରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ମାତ୍ର ଏସବୁ ନିର୍ଦ୍ଦେଶନାମା ଧର୍ମକୁ ଆଖିଠାର ସଦୃଶ ହୋଇଛି । ଗୋଟିଏ ପଟେ ପ୍ରଶାସନ ପକ୍ଷରୁ ପଲିଥିନ୍ ବ୍ୟବହାରରେ କଟକଣା ଲଗାଯିବା ସହ ବାରମ୍ବାର ଚଢ଼ଉ ଓ ଜୋରିମାନା ଆଦାୟ କରାଯାଉଥିଲେ ମଧ୍ୟ ସହରରେ ଏହାର କୌଣସି ଫରକ ପଡ଼ୁନଥିବା ଦେଖିବାକୁ ମିଳିଛି ।
ଅତୀତରେ ପଲିଥିନ୍ ବ୍ୟବହାର ରୋକିବା ନିମନ୍ତେ ସିଏମ୍ସି ପକ୍ଷରୁ ଏକ ଏନ୍ଫୋର୍ସମେଣ୍ଟ ଟିମ୍ ଗଠନ କରାଯିବା ସହ ପ୍ରତିଦିନ ଚଢ଼ଉ କରାଯାଇ ବିପୁଳ ପରିମାଣର ପଲିଥିନ୍ ଜବତ କରାଯାଇଥିଲା । ମାତ୍ର କରୋନା କଟକଣା ଯୋଗୁଁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବାରୁ ଚଢ଼ଉ ପ୍ରକ୍ରିୟା ଏକପ୍ରକାର ବନ୍ଦ ହୋଇଯାଇଥିଲା । ଏହାର ସୁଯୋଗ ନେଇ ସମ୍ପ୍ରତି ଦୋକାନବଜାରରେ ବହୁଳ ଭାବେ ପଲିଥିନ୍ ବ୍ୟବହାର ହେଉଛି । ଏପରିକି ସହରର ବିଭିନ୍ନ ସ୍ଥାନରେ ପଡ଼ିଥିବା ଆବର୍ଜନା ମଧ୍ୟରେ ୬୦% ପଲିଥିନ ଓ ପଲିଥିନଜାତ ସାମଗ୍ରୀ ପଡ଼ୁଥିବା ଦେଖିବାକୁ ମିଳିଛି । କଟକ ସହରରେ ପୁଣି ପଲିଥିନ୍ର ବହୁଳ ବ୍ୟବହାର ଅଭିଯୋଗ ଆସିବା ପରେ ସିଏମ୍ସି ଏନ୍ଫୋର୍ସମେଣ୍ଟ ଟିମ୍ ପୁଣି ଚଢ଼ଉ ଆରମ୍ଭ କରିଛି ।
ଚଢ଼ଉର ପ୍ରଥମ ଦିନରେ ଏହି ଟିମ୍ ୨୫କ୍ୱିଣ୍ଟାଲ ପଲିଥିନ୍ ଜବତ କରିବା, ୫୦ହଜାର ଟଙ୍କା ଜୋରିମାନା ଆଦାୟ କରିବା ସହ ଗୋଟିଏ ଦୋକାନକୁ ସିଲ୍ କରିିଛି । କଟକ ସହରର ମୁଖ୍ୟତଃ ବ୍ୟବସାୟିକ ଅଞ୍ଚଳର ଚୌଧୁରୀବଜାର, ପିଠାପୁର, ମାଲଗୋଦାମ ଅଞ୍ଚଳରେ ସିଏମ୍ସିର ମଙ୍ଗଳବାର ଏନ୍ଫୋର୍ସମେଣ୍ଟ ଟିିମ୍ ଅତର୍କିତ ଚଢ଼ଉ କରିଥିଲା । ଏହି ଚଢ଼ାଉ ସମୟରେ ମାଲଗୋଦାମ ଅଞ୍ଚଳରୁ ୨୦କ୍ୱିଣ୍ଟାଲ ପଲିଥିନ ଜବତ ହୋଇଥିଲା । ସେହିଭଳି ଝୋଲାସାହି ଅଞ୍ଚଳରୁ ୫କ୍ୱିଣ୍ଟାଲ ପଲିଥିନ ଜବତ କରାଯାଇଥିଲା ।
ଏଥିସହ ମାଲଗୋଦାମ ଅଞ୍ଚଳରେ ପଲିଥିନ ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କ ଠାରୁ ୫୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇ ଝୋଲାସାହିଠାରେ ଗୋଟିଏ ଦୋକାନକୁ ସିଲ୍ କରାଯାଇଛି । ତେବେ ଜବତ ହୋଇଥିବା ପଲିଥିନ୍ର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ସିଏମ୍ସି ଏନ୍ଫୋର୍ସମେଣ୍ଟ ଅଧିକାରୀ ତଥା ଡେପୁଟି କମିଶନର ଅବିନାଶ ରାଉତ ସୂଚନା ଦେଇଛନ୍ତି । ସିଏମ୍ସି ପକ୍ଷରୁ ପୂର୍ବ ଭଳି ନିୟମିତ ଚଢ଼ଉ କରାଗଲେ ପଲିଥିନ୍ ବ୍ୟବହାର ହ୍ରାସପାଇବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । କିନ୍ତୁ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ କେବଳ ଲୋକଦେଖାଣିଆ ଚଢ଼ଉ କରିବା ଯୋଗୁଁ ସହରରୁ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରିବା ଅସମ୍ଭବ ବୋଲି କୁହାଯାଉଛି ।