32.1 C
Bhubaneswar
Wednesday, September 18, 2024
Homeଓଡିଶାନବୀନଙ୍କୁ ମୋହନଙ୍କ କଟାକ୍ଷ

ନବୀନଙ୍କୁ ମୋହନଙ୍କ କଟାକ୍ଷ

ଭୁବନେଶ୍ୱର: ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନା ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମାଲୋଚନା ଓ ପ୍ରଶ୍ନର ମୁହଁତୋଡ଼ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନବୀନ ପଟ୍ଟନାୟକ ଆଜି ଖର୍ଚ୍ଚଦାବି ଆଲୋଚନାରେ ସରକାରଙ୍କୁ କିଛି ପ୍ରଶ୍ନ ପଚାରି ପଳାଇ ଯାଇଥିବାରୁ ଶ୍ରୀ ମାଝୀ ତାଙ୍କୁ କଟାକ୍ଷ କରି କହିଥିଲେ ଯେ ପ୍ରଶ୍ନର ଉତ୍ତର ଶୁଣିବା ପାଇଁ ବିରୋଧୀ ଦଳ ନେତା ଉପସ୍ଥିତ ଥିଲେ ଅଧିକ ଭଲ ହୋଇଥାନ୍ତା । ବୋଧହୁଏ ବିଧାନସଭାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତାଙ୍କର ଥାଇପାରେ ବୋଲି କହି କଟାକ୍ଷ କରିବାକୁ ପଛାଇନଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଗତ ୨୪ବର୍ଷର ରେକର୍ଡ ଭାଙ୍ଗି ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଉପରେ ପ୍ରାୟ ୧ଘଣ୍ଟା ୪୦ମିନିଟର ବୟାନ ରଖିଥିଲେ।

ବିଧାନସଭାରେ ଉଭୟ ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ସାଧାରଣ ଅଭିଯୋଗ ଶୁଣାଣିର ବିକୃତ ବ୍ୟବସ୍ଥା ପୂର୍ବ ସରକାରର ମୁଖ୍ୟମନ୍ତ୍ରୀ ସୃଷ୍ଟି କରିଥିଲେ । ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କ ପାଖକୁ ନଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ଦୁର୍ଭାଗ୍ୟଜନକ । ପୂର୍ବ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଅଭିଯୋଗ ଶୁଣାଣି ପାଇଁ ପଠାଇବା ଏକ ବିକୃତ ବ୍ୟବସ୍ଥା ଥିଲା । ନିଜର ଜଣେ ଅଫିସରଙ୍କୁ ପଠେଇ ଅଭିଯୋଗ ଶୁଣାଣି କରୁଥିଲେ । ନିଜେ କେବେ ଲୋକଙ୍କ ଗୁହାରି ଶୁଣୁନଥିଲେ । ଏଭଳି ଏକ ବିକୃତ ବ୍ୟବସ୍ଥା ପୂର୍ବ ସରକାରରେ ଚାଲିଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଦମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମାତ୍ର ମୁଁ କହିବି ତାଙ୍କ ସରକାର ମଦକୁ ପ୍ରୋତ୍ସାହନ ଓ ପ୍ରଶୟ ଦେଇଥିଲେ । ବାଲେଶ୍ୱରରେ ସାମ୍ପ୍ରଦାୟିକ ହିଂସାକୁ ଆମେ ସମ୍ପୂର୍ଣ୍ଣ ସଫଳତାର ସହ ସମାଧାନ କରିଛୁ । ଖୋର୍ଦ୍ଧା ଘଟଣାକୁ ସାମ୍ପ୍ରଦାୟିକ କହିବା ବଡ଼ ନିନ୍ଦନୀୟ କଥା । ଦୁଇ ପରିବାରର କଳି କେବେ ସାମ୍ପ୍ରଦାୟିକ ହିଂସା ନୁହେଁ ।

ଶ୍ରୀ ମାଝୀ କହିଛନ୍ତି ଯେ, ଆମ ସରକାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପୁଣିଥରେ ଚଳଚଞ୍ଚଳ କରିଛନ୍ତି । ସବୁଦିନେ ପ୍ରାୟ ରାତି ସାଢ଼େ ୧୨ଟାରେ ସେ ଲୋକସେବା ଭବନରୁ ଘରକୁ ଯାଉଛନ୍ତି । ରାତି ୩ଟାରେ ଶୋଇ ସକାଳୁ ଉଠିବାରେ ସମସ୍ୟା ହେଉଛି । ମାତ୍ର ଲୋକଙ୍କ ଦୁଃଖ ଶୁଣିବା ପାଇଁ ସମୟ ବାହାର କରିପାରୁଥିବାରୁ ନିଜକୁ ଖୁସି ଲାଗୁଛି । ଏବେସୁଦ୍ଧା ୫୬୦୦ ଅଭିଯୋଗ ଶୁଣାଣି କରିଛି । ଏଥିରୁ ୨୩ ପ୍ରତିଶତ ସମାଧାନ ହୋଇଛି ଓ ଏହି ହାରକୁ ୫୦ ପ୍ରତିଶତ କରିବା ପାଇଁ ପ୍ରୟାସ ଚାଲିଛି । ପ୍ରଥମଦିନ ଅଭିଯୋଗ ଶୁଣାଣି ପରେ ଆମେ ସମସ୍ତେ ମଧ୍ୟାହ୍ନଭୋଜନ ସନ୍ଧ୍ୟା ୫ଟାରେ କରିଥିଲୁ । ସେହିପରି ଆମ ସରକାର ଆସିବା ପରେ ଭିଜିଲାନ୍ସ ବିଭାଗ ଇତିମଧ୍ୟରେ ୪୯କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠାବ କରିଛି । ପୂର୍ବ ସରକାରବେଳେ ଭିଜିଲାନ୍ସ କେବଳ କେରାଣ୍ଡିକୁ ଧରୁଥିଲା । ଏବେ ଆମ ସରକାର ବାଳିଆ, ରୋହି ଓ ଭାକୁର ଧରୁଛନ୍ତି । ସେହିପରି ବିଧାୟକମାନଙ୍କ କ୍ୱାର୍ଟର୍ସ ଉନ୍ନତିକରଣ ପାଇଁ ଲକ୍ଷେ ଟଙ୍କା ବଦଳରେ ୧୦ଲକ୍ଷ ଟଙ୍କା ଦେବାକୁ ଆମ ସରକାର ନିଷ୍ପତ୍ତି ନେଇଥିବା ଶ୍ରୀ ମାଝୀ କହିଛନ୍ତି ।

ସେ ପୁଣି କହିଲେ ଯେ ରାଜ୍ୟରେ ନୂଆ ହୋମଗାର୍ଡ ନିଯୁକ୍ତିକୁ ନେଇ ରହିଥିବା କଟକଣାକୁ ପ୍ରତ୍ୟାହାର କରାଯାଉଛି । ୨୦୨୦ ମସିହା ଫେବୃୟାରୀ ମାସରୁ ଏହି କଟକଣା ଜାରି ରହିଥିଲା । ଏହି କଟକଣା ହଟିବା ପରେ ଏବେ ଖାଲିପଡ଼ିଥିବା ୨୨୯୮ଟି ହୋମଗାର୍ଡ ପଦବୀରେ ନିଯୁକ୍ତି ଖୁବଶୀଘ୍ର ହୋଇପାରିବ । ସେହିପରି ନକ୍ସଲ କିମ୍ବା ଅନ୍ୟ ଘଟଣାରେ କୌଣସି କର୍ତ୍ତବ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ କ୍ଷତିପୂରଣ ଭାବେ ସରକାରୀ ଚାକିରି ମିଳିବ । ଏହାସହିତ ମୁଖ୍ୟମନ୍ତ୍ରୀ ଶ୍ର ମାଝୀ ଗୃହ ବିଭାଗରେ ବ୍ୟାପକ ନିଯୁକ୍ତି ସଂପର୍କରେ ଘୋଷଣା କରିଛନ୍ତି । ଓଡ଼ିଶା ଶିଳ୍ପ ନିରାପତ୍ତା ବାହିନୀ(ଓଆଇଏସଏଫ)ରେ ୪ହଜାର ନୂଆ ପଦବୀ ଓ ଟ୍ରାଫିକ ପୁଲିସରେ ୧ହଜାର ପଦବୀ ସୃଷ୍ଟି ସମେତ ପୁରୀରେ ଏସଏସ୍ ବାଟାଲିୟନରେ ୧୦୮୩ଟି ପଦବୀ ପୂରଣ, ଓଡ଼ିଶା ପୁଲିସରେ ବିଭିନ୍ନ ବର୍ଗରେ ଖାଲି ପଡ଼ିଥିବା ୨୯୨୨ଟି ପଦବୀକୁ ପୂରଣ, ୧୦ଟି ନୂଆ ଓଡ୍ରାଫ ଟିମକୁ ଅନୁମୋଦନ ଦେବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି । ଏହାସହିତ ରାଜ୍ୟର ସମସ୍ତ ୧୦ଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଗୋଟିଏ ଲେଖାଏଁ ପୁଲିସ ଆଉଟପୋଷ୍ଟ ମଧ୍ୟ ଖୋଲିବ । ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ମଧ୍ୟ ଗୋଟିଏ ପୁଲିସ ଆଉଟପୋଷ୍ଟ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ରାଜ୍ୟରେ ପୁଲିସ ଏଏସଆଇ, ଏସଆଇ ଓ ଇନ୍ସପେକ୍ଟର ର‌୍ୟାଙ୍କର ଅଫିସରମାନଙ୍କ ପାଇଁ ୯ହଜାର ବାଇକ୍ କିଣାଯିବ । ଏର୍ମଜେନ୍ସି ରେସପନ୍ସ ସିଷ୍ଟମ(୧୧୨)ରେ ସୁଦୃଢ଼ୀକରଣ ପାଇଁ ୧୧୭କୋଟି ଟଙ୍କାର ବଜେଟ୍ ପ୍ରାବଧାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଶ୍ରୀ ମାଝୀ କହିଛନ୍ତି ଯେ ଗତ ଅଗଷ୍ଟ ୨୧ତାରିଖରେ ଭାରତ ସରକାର ଓଡ଼ିଶା ଅଗ୍ନିଶମ ବିଭାଗର ଉନ୍ନତୀକରଣ ପାଇଁ ୨୦୦କୋଟି ଟଙ୍କାର ଆକ୍ସନ ପ୍ଲାନକୁ ମଞ୍ଜୁରୀ ଦେଇଛନ୍ତି । ଆଉ ରାଜ୍ୟ ସରକାର ମଧ୍ୟ ଅନୁରୂପ ୨୦୦କୋଟି ଟଙ୍କା ଓଡ଼ିଶା ଅଗ୍ନିଶମ ଓ ଜରୁରୀ ସେବା ପାଇଁ ପ୍ରଦାନ କରିବେ । ଏହାସହିତ ରାଜ୍ୟ ସରକାର ୩୪୬ଟି ଫାୟାର ଷ୍ଟେସନର ଉନ୍ନତୀକରଣ ପାଇଁ ରାଜ୍ୟ ବିପର୍ଯ୍ୟୟ ରିଲିଫ ପାଣ୍ଠିରୁ ୫୪୦କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଅଗ୍ନିଶମ ବିଭାଗର ଏହି ସୁଦୃଢ଼ୀକରଣ ସହ କଟକ, ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର ଓ ରାୟଗଡ଼ାଠାରେ ୫ଟି ଅଗ୍ନିଶମ ଆଞ୍ଚଳିକ ହବ୍ ମଧ୍ୟ ସ୍ଥାପନ କରାଯିବ । ଏହି ଆଞ୍ଚଳିକ ହବ୍ ପାଇଁ ଏବେ ସ୍ଥାନ ଚିହ୍ନଟ ସହ ଆବଶ୍ୟକ ଉପକରଣ କିଣା ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking