ନୂଆଦିଲ୍ଲୀ: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆଜି ପାଟନ ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ଦାଖଲ କରିବେ। ସିଏମ୍ଙ୍କ ସହ ଦୁର୍ଗ ଜିଲ୍ଲାର ସମସ୍ତ ୬ ଜଣ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ। ସିଏମ୍ ଦୁର୍ଗ କଲେକ୍ଟୋରେଟରେ ପହଞ୍ଚି ନାମାଙ୍କନ ଭରିବେ। ତେବେ ମୁଖ୍ୟମନ୍ତ୍ରୀ ନାମାଙ୍କନ ଦାଖଲ କରିବାକୁ ନିଜ ଭିଲାଇ ବାସଭବନରୁ ବାହାରିବା ସମୟର କିଛି ଫଟୋ ଢରେ ସେୟାର କରିଛନ୍ତି ଏବଂ ଏହା ବିଷୟରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏକ୍ସରେ ଫଟୋ ସେୟାର କରି ଲେଖିଛନ୍ତି, ‘ପ୍ରତ୍ୟେକ ଥର ମୋର ସେହି ଦିନ ମନେ ପଡ଼ିଥାଏ, ଯେଉଁଦିନ ମୁଁ ପ୍ରଥମ ଥର ପାଇଁ ନାମାଙ୍କନ ଦାଖଲ କରିବାକୁ ଯାଇଥିଲି। ଆଜି ପାଟନ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିବାକୁ ମୁଁ ଭିଲାଇ ବାସଭବନରୁ ବାହାରିଛି। ମୋ ପତ୍ନୀ ମୁକ୍ତେଶ୍ୱରୀ ପ୍ରତ୍ୟେକ ଥର ଭଳି ତିଲକ ଲଗାଇ ଦେଇଥିଲେ। ଆପଣ ସମସ୍ତଙ୍କ ଭଲ ପାଇବା ମୋର ସମ୍ବଳ। ଛତିଶଗଡବାସୀଙ୍କ ସ୍ୱାଭିମାନ ପାଇଁ, ଆପଣ ସମସ୍ତଙ୍କ ସେବା ପାଇଁ ମୁଁ ସର୍ବଦା ସମର୍ପିତ ରହିବାକୁ ପ୍ରତିଜ୍ଞା କରୁଛି’।
ସିଏମ୍ ବଘେଲ ଯେଉଁ ଆସନରୁ ନିର୍ବାଚନ ଲଢ଼ୁଛନ୍ତି, ତାହା ଛତିଶଗଡର ସବୁଠାରୁ ହାଇ ପ୍ରୋଫାଇଲ୍ ଆସନ ମଧ୍ୟରୁ ଅନ୍ୟତମ। ଏଥର ତାଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଜୟ ବଘେଲଙ୍କ ସହିତ ହେଉଛି। ବିଜେପି ସାଂସଦ ବିଜୟ ବଘେଲଙ୍କୁ ସିଏମ୍ଙ୍କ ବିରୋଧରେ ମୈଦାନକୁ ଆଣିଛି, ଯିଏକି ସମ୍ପର୍କରେ ଭୂପେଶ ବଘେଲଙ୍କ ଭଣଜା। କହି ରଖୁଛୁ, ଏହାପୂର୍ବରୁ ମଧ୍ୟ ଭୂପେଶ ବଘେଲ ଓ ବିଜୟ ବଘେଲ ପାଟନ ବିଧାନସଭା ନିର୍ବାଚନମଣ୍ଡଳୀରୁ ମୁହାଁମୁହିଁ ହୋଇଛନ୍ତି।